ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀର ଭାରତ ମଣ୍ଡପମ ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦଘାଟନ କରିଛନ୍ତି । ଜାତୀୟ ଶିକ୍ଷା ନୀତି ୨୦୨୦ ର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପିଏମ ଶ୍ରୀ ଯୋଜନାରେ ପ୍ରଥମ କିସ୍ତିର ପାଣ୍ଠି ଜାରି କରିଛନ୍ତି । ଦେଶର ୬୨୦୭ ବିଦ୍ୟାଳୟକୁ ପ୍ରଥମ କିସ୍ତିରେ ମୋଟ ୬୩୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ଏହାସହ ୧୨ଟି ଭାରତୀୟ ଭାଷାରେ ଅନୁବାଦ ହୋଇଥିବା ଶିକ୍ଷା ଓ ଦକ୍ଷତା ବିକାଶ ପାଠ୍ୟକ୍ରମକୁ ଉନ୍ମୋଚନ କରିଛନ୍ତି।
ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶିକ୍ଷାକୁ ପ୍ରାଥମିକତା ଦିଆଯିବା ଦ୍ବାରା ଦେଶର ଭାଗ୍ୟ ବଦଳିପାରିବ। ‘‘ଏକବିଂଶ ଶତାବ୍ଦୀର ଭାରତ ଯେଉଁ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି ତାହାକୁ ହାସଲ କରିବା କ୍ଷେତ୍ରରେ ଆମ ଶିକ୍ଷା ବ୍ୟବସ୍ଥାର ପ୍ରମୁଖ ଭୂମିକା ରହିଛି’’। ଅଖିଳ ଭାରତୀୟ ଶିକ୍ଷା ସମାଗମର ଉପରେ ଗୁରୁତ୍ବାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିକ୍ଷା ପାଇଁ ଆଲୋଚନା ଓ ବିଚାରବିମର୍ଶ ଜରୁରୀ । ଗତ ବର୍ଷ ବାରଣାସୀର ନବନିର୍ମିତ ରୁଦ୍ରାକ୍ଷ ସମ୍ମିଳନୀ କେନ୍ଦ୍ରରେ ଅଖିଳ ଭାରତୀୟ ଶିକ୍ଷା ସମାଗମ ଆୟୋଜନ କରାଯାଇଥିବା ବେଳେ ଚଳିତ ବର୍ଷ ନୂଆ କରି ନିର୍ମାଣ କରାଯାଇଥିବା ଭାରତ ମଣ୍ଡପମରେ ଅଖିଳ ଭାରତୀୟ ଶିକ୍ଷା ସମାଗମ ଆୟୋଜନ କରାଯିବା ଏକ ବିରଳ ସଂଯୋଗ । ଔପଚାରିକ ଭାବେ ଉଦଘାଟନ ହେବା ପରେ ଏହା ଭାରତ ମଣ୍ଡପମରେ ପ୍ରଥମ କାର୍ଯ୍ୟକ୍ରମ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଏହାବି ପଢନ୍ତୁ- ଜାତୀୟ ଶିକ୍ଷା ନୀତିକୁ ବର୍ଷେ, ଶିକ୍ଷାବିତ୍ଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ କହିଥିଲେ ଯେ କାଶୀର ରୁଦ୍ରାକ୍ଷ ଠାରୁ ଆରମ୍ଭ କରି ଆଧୁନିକ ଭାରତ ମଣ୍ଡପମ ପର୍ଯ୍ୟନ୍ତ, ଅଖିଳ ଭାରତୀୟ ଶିକ୍ଷା ସମାଗମର ଯାତ୍ରାରେ ପ୍ରାଚୀନ ଓ ଆଧୁନିକତାର ମିଶ୍ରଣ ସମ୍ପର୍କରେ ଏକ ଲୁକ୍କାୟିତ ବାର୍ତ୍ତା ରହିଛି । ସେ କହିଥିଲେ ଯେ, ଗୋଟିଏ ପଟେ ଭାରତର ଶିକ୍ଷା ବ୍ୟବସ୍ଥା ଦେଶର ପ୍ରାଚୀନ ପରମ୍ପରାକୁ ସଂରକ୍ଷିତ କରୁଥିବା ବେଳେ ଅନ୍ୟପଟେ ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ବର୍ତ୍ତମାନ ସୁଦ୍ଧା ହୋଇଥିବା ଅଗ୍ରଗତିରେ ଶିକ୍ଷା କ୍ଷେତ୍ର ପାଇଁ ଯୋଗଦାନ ଦେଇଥିବା ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ଆଜି ଜାତୀୟ ଶିକ୍ଷା ନୀତିର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ନୀତିକୁ ପ୍ରସ୍ତୁତ କରୁଥିବା ବୁଦ୍ଧିଜୀବୀ, ଶିକ୍ଷାବିତ ଓ ଶିକ୍ଷକମାନେ ଧନ୍ୟବାଦର ପାତ୍ର । ଶିକ୍ଷା ନୀତିକୁ ଏକ ଲକ୍ଷ୍ୟ ଭାବେ ଗ୍ରହଣ କରିବା ଏବଂ ଏହାର ବ୍ୟାପକ ପ୍ରଗତି ଦିଗରେ ଯୋଗଦାନ ଦେବା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀ ସମ୍ପର୍କରେ ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏଠାରେ ଦକ୍ଷତା, ଶିକ୍ଷା ଏବଂ ଅଭିନବ ଜ୍ଞାନକୌଶଳ ପ୍ରଦର୍ଶିତ ହୋଇଛି । ସେ ଦେଶରେ ଶିକ୍ଷା ଏବଂ ବିଦ୍ୟାଳୟ ଶିକ୍ଷାର ପରବର୍ତ୍ତିତ ରୂପ ବିଷୟରେ ଉଲ୍ଲେଖ କରିଥିଲେ ଯେଉଁଠି ଛୋଟ ପିଲାମାନଙ୍କର ଚପଳ ଅନୁଭବ ମାଧ୍ୟମରେ ଶିଖୁଛନ୍ତି ଏବଂ ସେ ଏହାକୁ ନେଇ ଆଶାବାଦ ମଧ୍ୟ ବ୍ୟକ୍ତ କରିଥିଲେ । ଅତିଥିମାନେ ଏହି ପ୍ରଦର୍ଶନୀକୁ ଅବଲୋକନ କରିବା ଉଚିତ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯୁଗାନ୍ତକାରୀ ପରିବର୍ତ୍ତନରେ କିଛି ସମୟ ଲାଗିଥାଏ। ଏନଇପିର ଉଦଘାଟନ ସମୟର ବିଶାଳ କାନଭାସକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ସବୁ ଅଂଶୀଦାରମାନଙ୍କୁ ସମର୍ପଣ ଓ ନୂଆ ଅବଧାରଣାକୁ ଆପଣାଇବା ଲାଗି ଇଚ୍ଛାକୁ ପ୍ରଶଂସା କରିଥିଲେ । ସେ କହିଥିଲେ, ଏନଇପିରେ ପାରମ୍ପରିକ ଜ୍ଞାନ ଓ ଭବିଷ୍ୟତର ପ୍ରଯୁକ୍ତିକୁ ସମାନ ଗୁରୁତ୍ବ ଦିଆଯାଇଛି । ପ୍ରାଥମିକ ଶିକ୍ଷାରେ ନୂଆ ପାଠ୍ୟକ୍ରମ, ଆଞ୍ଚଳିକ ଭାଷାରେ ପୁସ୍ତକ, ଉଚ୍ଚ ଶିକ୍ଷା ପାଇଁ ଓ ଦେଶରେ ଗବେଷଣା ଇକୋସିଷ୍ଟମକୁ ସୁଦୃମ କରିବା ଲାଗି ଶିକ୍ଷା ଜଗତର ଅଂଶୀଦାରଙ୍କ କଠିନ ପରିଶ୍ରମ ବିଷୟରେ ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଏବେ ଛାତ୍ରଛାତ୍ରୀ ବୁଝିପାରିଛନ୍ତି ଯେ ୧୦ +୨ ବ୍ୟବସ୍ଥା ସ୍ଥାନରେ ଏବେ ୫+୩+୩+୪ ବ୍ୟବସ୍ଥା ଲାଗୁ ହୋଇଛି । ସାରା ଦେଶରେ ଏକ ସମାନ ବ୍ୟବସ୍ଥା ଆଣି ୩ ବର୍ଷର ବୟସରୁ ଶିକ୍ଷା ଆରମ୍ଭ ହେବ । ମୋଦି ସୂଚନା ଦେଇଥିଲେ ଯେ ସଂସଦରେ ଜାତୀୟ ଗବେଷଣା ଫାଉଣ୍ଡେସନ ବିଲ ଉପସ୍ଥାପନ କରିବାକୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ମଞ୍ଜୁର କରିଛି । ଏନଇପି ଅଧୀନରେ ଜାତୀୟ ପାଠ୍ୟ ଭିତ୍ତିଭୂମି ଖୁବଶୀଘ୍ର ଆଗକୁ ଆସିବ । ୩-୮ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଛି । ସାରା ଦେଶରେ ଏକ ସମାନ ପାଠ୍ୟକ୍ରମ ପ୍ରଚଳନ କରାଯିବ ଏବଂ ଏନସିଇଆରଟି ଏଥିପାଇଁ ନୂଆ ପାଠ୍ୟକ୍ରମର ପୁସ୍ତକ ପ୍ରସ୍ତୁତ କରୁଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ କରାଯାଉଥିବାରୁ ୨୨ଟି ବିଭିନ୍ନ ଭାଷାରେ ତୃତୀୟରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ୧୩୦ଟି ବିଭିନ୍ନ ବିଷୟରେ ନୂଆ ପୁସ୍ତକ ଆସିବାକୁ ଯାଉଛି ।
କ୍ଷମତା ପରିବର୍ତ୍ତେ ଭାଷା ଆଧାରରେ ଜଣେ ଛାତ୍ରର ପ୍ରତିଭାକୁ ଆକଳନ କରିବା ଯେକୌଣସି ଛାତ୍ର ପ୍ରତି ସବୁଠୁ ବଡ଼ ଅନ୍ୟାୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ, ‘‘ମାତୃଭାଷାରେ ଶିକ୍ଷାଦାନ ଭାରତର ଛାତ୍ରଛାତ୍ରୀଙ୍କ ପାଇଁ ନ୍ୟାୟର ଏକ ନୂଆ ସ୍ବରୂପ ଆରମ୍ଭ କରୁଛି । ସାମାଜିକ ନ୍ୟାୟ ଦିଗରେ ଏହା ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ।’’ ବିଶ୍ବରେ ଭାଷାର ଅଧିକତା ଏବଂ ସେଗୁଡ଼ିକର ମହତ୍ବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ବିଶ୍ବର ଅନେକ ବିକଶିତ ଦେଶକୁ ସେମାନଙ୍କ ଆଞ୍ଚଳିକ ଭାଷା କାରଣରୁ ପ୍ରଗତି ମିଳିପାରିଛି । ପ୍ରଧାନମନ୍ତ୍ରୀ ୟୁରୋପର ଉଦାହରଣ ଦେଇ କହିଥିଲେ ଯେ ଅଧିକାଂଶ ଦେଶ ନିଜର ମୂଳ ଭାଷାକୁ ଉପଯୋଗ କରିଥାନ୍ତି । ଭାରତରେ ପ୍ରତିଷ୍ଠିତ ଭାଷାର ଏକ ଶୃଙ୍ଖଳା ସମୂହ ରହିଛି, କିନ୍ତୁ ସେଗୁଡ଼ିକୁ ପଛୁଆପଣର ଏକ ସଙ୍କେତ ରୂପରେ ଉପସ୍ଥାପନ କରାଯାଇଛି । ଏହା ପରିତାପର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ, ଯେଉଁମାନେ ଇଂରାଜୀ କହିପାରିନାହାନ୍ତି, ସେମାନଙ୍କୁ ଉପେକ୍ଷା କରାଯାଇଛି ଏବଂ ସେମାନଙ୍କ ପ୍ରତିଭାକୁ ପରିଚୟ ମିଳିପାରିନାହିଁ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାର ଫଳସ୍ବରୂପ ଗ୍ରାମୀଣ କ୍ଷେତ୍ରର ପିଲାମାନେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି । ସେ ଜୋର ଦେଇ କହିଥିଲେ ଯେ ଦେଶ ଏବେ ଜାତୀୟ ଶିକ୍ଷା ନୀତିର ଉଦ୍ଭବ ସହିତ ଏହି ବିଶ୍ବାସକୁ ଦୂରେଇ ଦେବା ଆରମ୍ଭ କରିଛି । ମିଳିତ ଜାତିସଂଘରେ ମଧ୍ୟ ମୁଁ ଭାରତୀୟ ଭାଷାରେ ହିଁ କଥା ହୋଇଥାଏ ।’’
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାରାଷ୍ଟ୍ର ସୁବାସ ସରକାର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ନୂଆଦିଲ୍ଲୀ