ନୂଆଦିଲ୍ଲୀ: ଆଜିଠୁ 5 ଦିନିଆ ତିନୋଟି ରାଜ୍ୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେଲେଙ୍ଗାନା, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଗସ୍ତରେ ରହିବେ ରାଷ୍ଟ୍ରପତି । ଏନେଇ ରାଷ୍ଟ୍ରପତି ଭବନ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆ ସୂଚନା ପ୍ରଦାନ କରାଯାଇଛି । ନଜର ପକାନ୍ତୁ ରାଷ୍ଟ୍ରପତିଙ୍କ କାର୍ଯ୍ୟସୂଚୀ ଉପରେ । ପ୍ରଥମେ କର୍ଣ୍ଣାଟକ ଗସ୍ତ କରିବେ ରାଷ୍ଟ୍ରପତି । ଆଜି ଏଠାରେ ପହଞ୍ଚିବା ପରେ ମୁଡେନହାଲ୍ଲୀ ଶ୍ରୀ ସତ୍ୟ ସାଇ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସମାରୋହରେ ସାମିଲ ହେବେ । ଏହା ପରେ ସନ୍ଧ୍ୟାରେ କର୍ଣ୍ଣାଟକର ରାଜ ଭବନରେ ପିଭିଟିଜି ସଦସ୍ୟଙ୍କ ସହ ଆଲୋଚନା କରିବେ ।
ଆସନ୍ତାକାଲି (ମଙ୍ଗଳବାର) ତେଲେଙ୍ଗାନା ଗସ୍ତରେ ବାହାରିବେ । ଏଠାରେ ପହଞ୍ଚିବା ପରେ ହାଇଦ୍ରାବାଦରେ ଆଲୁରୀ ସୀତାରାମ ରାଜୁଙ୍କ 125 ତମ ଜନ୍ମ ବାର୍ଷିକୀ ଉତ୍ସବରେ ସାମିଲ ହେବେ । ଜୁଲାଇ 5 ତାରିଖ ଅର୍ଥାତ ବୁଧବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାରାଷ୍ଟ୍ର ଗସ୍ତ କରି ଗୋଣ୍ଡୱାନା ବିଶ୍ୱବିଦ୍ୟାଳୟର ଦଶମ ସମାରୋହରେ ଯୋଗ ଦେବେ । ଏହାପରେ ନାଗପୁରର କୋରାଡିରେ ଥିବା ଭାରତୀୟ ବିଦ୍ୟା ଭବନରେ ସଂସ୍କୃତ କେନ୍ଦ୍ରର ଉଦଘାଟନ କରିବେ ।
ଜୁଲାଇ 6 ତାରିଖ ଗୁରୁବାର ଦିନ ରାଷ୍ଟ୍ରପତି ନାଗପୁରର ରାଜଭବନରେ ପିଭିଟିଜି ସଦସ୍ୟଙ୍କୁ ସାକ୍ଷାତ କରିବେ । ଏହାପରେ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ମହାରାଷ୍ଟ୍ର ସରକାରଙ୍କ ଦ୍ବାରା ଆୟୋଜିତ ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ଯୋଗଦେବେ ଦ୍ରୌପଦୀ ମୁର୍ମୁ ।
ଏହା ମଧ୍ୟ ପଢନ୍ତୁ-ପ୍ରଥମ ଭାରତୀୟ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନ
ଗତ 27 ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ । ରାଷ୍ଟ୍ରପତି ଭବନରେ ସାକ୍ଷାତ ପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ନିକଟରେ ସର୍ବିୟା ଏବଂ ସୁରିନାମ ଗସ୍ତ କରିଥିଲେ ରାଷ୍ଟ୍ରପତି । ଦ୍ରୌପଦୀ ମୁର୍ମୁଙ୍କୁ ସୁରିନାମରେ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରଥମ ଭାରତୀୟ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୁରିନାମର 'ଦି ଗ୍ରାଣ୍ଡ ଅର୍ଡର ଅଫ ଏଲୋ ଷ୍ଟାର'ରେ ସମ୍ମାନିତ କରାଯାଇଥିଲା । ସୁରିନାମ ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସତୋଖୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରିଥିଲେ ।
ଗତ ଜୁନ 4 ତାରିଖରେ ସୁରିନାମରେ ପହଞ୍ଚିଥିଲେ ରାଷ୍ଟ୍ରପତି । ସୁରିନାମ ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସତୋଖୀ ପୁରା ରାଜକୀୟ ସମ୍ମାନ ସହକାରେ ଜୋହାନ ଏଡ୍ରାଲ୍ଫ ପେଙ୍ଗଲ ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ । ସେଠାରୁ ରାଷ୍ଟ୍ରପତି ଦ୍ରୌପତି ମୁର୍ମୁ ପାରାମାରିବୋ ରାଷ୍ଟ୍ରପତି ଭବନ ଗସ୍ତ କରିଥିଲେ । ବୈଠକ ସମୟରେ ସୁରିନାମ ରାଷ୍ଟ୍ରପତିଙ୍କ ଆତିଥ୍ୟକୁ ପ୍ରଶଂସା କରିଥିଲେ ଦ୍ରୌପଦୀ ମୁର୍ମୁ ।