ହାଇଦ୍ରାବାଦ: ସେ ସମୟ ଥିଲା ସ୍ବତନ୍ତ୍ର । ଦିନ ଥିଲା ପ୍ରତିଟି ଓଡିଆଙ୍କ ପାଇଁ ଗର୍ବର ଦିନ । ଇତିହାସର ଏକ ସ୍ବର୍ଣ୍ଣାଭ ପୃଷ୍ଠାରେ ସ୍ଥାନ ପାଇଥିଲା ସେହି ତାରିଖ ଯେବେ ଦେଶ ପାଇଥିଲା 15ତମ ରାଷ୍ଟ୍ରପତି । 2022 ଜୁଲାଇ 25 ସ୍ବର୍ଣ୍ଣିମ ମୂହୂର୍ତ୍ତର ସାଷୀ ଥିଲା ସଂସଦ ଭବନ । ମହାମହିମ ମୁକୁଟ ମଣ୍ଡନ କରିଥିଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । କ୍ଲାସ ମନିଟରରୁ ସୁପ୍ରିମୋ କମାଣ୍ଡର ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଗର୍ବିତ ଥିଲା ପ୍ରତିଟି ଓଡିଆ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପରବେଢା ଗାଁର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ । ସ୍ବାଧୀନତା ପରେ ଜନ୍ନ ହୋଇଥିବା ପ୍ରଥମ ଓ ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବାରେ ସେ ସର୍ବକନିଷ୍ଠ । ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ । 65 ବର୍ଷରେ ପଦାର୍ପଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ରାଇରଙ୍ଗପୁରରୁ ରାଇସିନା ଯାତ୍ରା: 1985 ମସିହା ଜୁନ 20 ତାରିଖରେ ବାପା ବିରଞ୍ଚି ନାରାୟଣ ମୁର୍ମୁ ଓ ମାଆ ସିନାଗୋ ଟୁଡୁଙ୍କ କୋଳମଣ୍ଡନ କରିଥିଲେ ଦ୍ରୌପଦୀ ମୁର୍ମୁ । ଏକ ସାଧାରଣ ପରିବାରରେ ଜନ୍ମ । ଶ୍ରେଣୀରେ ମନିଟର ଥିବା ଝିଅଟିଏ ଆଜି ସମ୍ବିଧାନର ସର୍ବୋଚ୍ଚ ପଦବୀରେ ରହିଛନ୍ତି ତାହା କାହାକୁ ବା ଜଣାଥିଲା । କ୍ଲାସ ମନିଟର ହେବା ବୋଧ ହୁଏ ଦେଶର ସର୍ବୋଚ୍ଚ ପଦବୀରେ ଦିନେ ବସିବାର ମୂଳଦୁଆ ଥିଲା । ଉପରବେଢା ମାଟିରେ ଜନ୍ମ ନେଇଥିବା କନ୍ୟା ସଫଳତା ପରେ ସଫଳତା ହାସଲ କରିଥିଲେ । ଶିକ୍ଷୟିତ୍ରୀରୁ ରାଜନୀତି ମୈଦାନକୁ ଓହ୍ଲାଇଥିଲେ । 1997ରେ ଶିକ୍ଷୟିତ୍ରୀ ଚାକିରି ଛାଡ଼ି ରାଜନୀତି କ୍ୟାରିଅର ଆରମ୍ଭ କରିଥିଲେ ।
ରମାଦେବୀ ମହାବିଦ୍ୟାଳୟରୁ ଗ୍ରାଜୁଏସନ ପରେ କର୍ମମୟ ଜୀବନ ଆରମ୍ଭ କରିଥିଲେ । କିଛି ଦିନ ଶିକ୍ଷାଦାନ ପରେ 1997ରେ ପୌର ନିର୍ବାଚନରେ ରାଇରଙ୍ଗପୁର ଏନଏସି ପାଇଁ ୱାର୍ଡମେମ୍ବର ଭାବେ ବିଜୟୀ ହୋଇଥିଲେ । ପରେ ପୌର ଉପାଧକ୍ଷ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ମାଡ଼ି ଚାଲିଥିଲେ ଆଗରୁ ଆଗକୁ । ରାଇରଙ୍ଗପୁରରୁ ରାଇସିନା ଯାତ୍ରା ସହଜ ନଥିଲା । ଦାରିଦ୍ର୍ୟ ଆଉ ସଂଘର୍ଷପୂର୍ଣ୍ଣ ଜୀବନ ଦୁଃଖକୁ ଚାପି ଲୁହକୁ ପିଇ ପଙ୍କରୁ ପଦନ୍ମ ହୋଇ ଫୁଟିଥିଲେ ଦ୍ରୌପଦୀ ମୁର୍ମୁ । ୱାର୍ଡ କାଉନସିଲର, ମନ୍ତ୍ରୀ, ଜଣେ ଶିକ୍ଷୟତ୍ରୀ, ରାଜ୍ୟପାଳ ହେବା ପରେ ଆଜି ଭାରତବର୍ଷର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତାଙ୍କ ସଂଘର୍ଷମୟ ଜୀବନ ଆଜି ଅନେକଙ୍କ ପାଇଁ ପ୍ରେରଣା । ଆଜି ରାଇରଙ୍ଗପୁରରୁ ରାଇସିନା ଯାତ୍ରାରେ ସେ ସର୍ବୋଚ୍ଚ ଶିଖରରେ ପହଞ୍ଚି ସାରିଛନ୍ତି ।
ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ 65ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, '' ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା । ଜ୍ଞାନସ ଗରିମା ଏବଂ ଆମ ଲୋକଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ନେଇ ଏକ କିରଣ, ରାଷ୍ଟ୍ରର ପ୍ରଗତିକୁ ଆଗକୁ ନେବାକୁ ତାଙ୍କର ପ୍ରୟାସ ପାଇଁ ସେ ସର୍ବଦା ପ୍ରଶଂସିତ । ତାଙ୍କର ସମର୍ପଣ ଭାର ଆମ ସମସ୍ତଙ୍କୁ ପ୍ରେରଣା ଦେବ । ତାଙ୍କ ସୁସ୍ଥ ଓ ଦୀର୍ଘାୟୁ କାମନା କୁରଛି ।''
2015ରୁ 2021 ଯାଏଁ ଝାଡଖଣ୍ଡର ରାଜ୍ୟପାଳ ଥିଲେ ଦ୍ରୈପଦୀ ମୁର୍ମୁ । 2000ରୁ 2009 ଯାଏଁ ଓଡିଶା ସରକାରରେ ବିଧାୟକ ଥିଲେ । 2000ରୁ 2004 ଯାଏଁ ସେ ନବୀନ ସରକାରରେ ମନ୍ତ୍ରୀ ଥିଲେ । ଇଟିଭି ଭାରତ ପକ୍ଷରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ।