ଚଣ୍ଡିଗଡ଼: ଆସନ୍ତା 29ରେ ହରିୟାଣା ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କୁରୁକ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସର୍ବେକ୍ଷଣ ଯୋଜନାର ଶୁଭାରମ୍ଭ କରିବେ ରାଷ୍ଟ୍ରପତି । ଏନେଇ ଗୁରୁବାର ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସର୍ବେକ୍ଷଣ ଯୋଜନା ଅଧିନରେ ରାଜ୍ୟର 1 କୋଟି 60 ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ସ୍ବାସ୍ଥ୍ୟ ସର୍ଭେ କରାଯିବ ।
ଆୟୋଜିତ ଏକ ସମୀକ୍ଷା ବୈଠକରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି, ‘‘ଆସନ୍ତା 29 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସର୍ବେକ୍ଷଣ ଯୋଜନା ଅଧିନର ଶୁଭାରମ୍ଭ କରିବେ । 1.8 କୋଟି ଲୋକଙ୍କୁ ଯୋଗାଇ ଦିଆଯାଉଥିବା ସ୍ବାସ୍ଥ୍ୟସେବାର ତଥ୍ୟ ଇ-ଉପଚାର ଯୋଜନା ଅଧିନରେ ଉପଲବ୍ଧ ହୋଇଛି । ସେହିପରି ଲୋକଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧିତ ତଥ୍ୟ ରଖିବାକୁ ସାର୍ବଜନୀନ ଇ-ଉପଚାର ପୋର୍ଟାଲର ଆରମ୍ଭ କରାଯିବ ।’’
ନିକଟରେ ମୁଖ୍ୟମନ୍ତ୍ରୀ ଚିରାୟୁ ରହିୟାଣା (Comprehensive health insurance of Antyodaya units) ଯୋଜନାର ଶୁଭାରମ୍ଭ କରିଥିଲେ । 1.25 କୋଟି ହିତାଧିକାରୀ ଏହାଦ୍ବାରା ଲାଭବାନ ହେବେ । ଡିସେମ୍ବର 5 ସୁଦ୍ଧା 10 ଲକ୍ଷ ସ୍କିମ କାର୍ଡ ବଣ୍ଟନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟର ପ୍ରାୟ 28 ଲକ୍ଷ ପରିବାର ଏହି ଯୋଜନା ଅଧିନରେ ସାମିଲ ହେବେ । ପ୍ରତ୍ୟେକ ପରିବାରକୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସୁବିଧା ଯୋଗାଇଦିଆଯିବ । ଚିରାୟୁ ଯୋଜନା କାର୍ଡ ପ୍ରସ୍ତୁତ କରି ଶ୍ରୀଘ୍ର ଲୋକଙ୍କୁ ଏହି ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: କନୌଜରୁ ଲୋକସଭା ନିର୍ବାଚନ ଲଢିବେ ଅଖିଳେଶ ଯାଦବ
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଚିରାୟୁ ସ୍ବାସ୍ଥ୍ୟ କାର୍ଡର ପଞ୍ଜିକରଣ ମାଗଣାରେ କରାଯିବ । ଏଥିପାଇଁ ସରକାର କୌଣସି ଶୁଳ୍କ ନେବେ ନାହିଁ । ତେଣୁ ସ୍ବାସ୍ଥ୍ୟକାର୍ଡ କରାଇବା ପାଇଁ ଯେଉଁଠାରେ ଶୁଳ୍କ ଆଦାୟ ହେଉଥିବା ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ନିର୍ଦ୍ଦେଶ ଦେଇଛନ୍ତି ।