ନୂଆଦିଲ୍ଲୀ: ବିଶ୍ବ ଦରବାରରେ ପ୍ରଧାନମନ୍ତ୍ରୀଙ୍କ ଦବଦବା । ଲୋକପ୍ରିୟ ନେତାଙ୍କ ତାଲିକାରେ ଶୀର୍ଷରେ ଭାରତର ପ୍ରଧାନମନ୍ତ୍ରୀଙ୍କ ନାମ । ବିଶ୍ବର ୧୩ ନେତାଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛନ୍ତି ନରେନ୍ଦ୍ର ମୋଦି । ୭୧ ପ୍ରତିଶତ ରେଟିଂ ସହ ଗ୍ଲୋବାଲ ରେଟିଂରେ ପ୍ରଧାନମନ୍ତ୍ରୀ ମୋଦି ଶୀର୍ଷରେ ରହିଛନ୍ତି । ଏହି ତାଲିକାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୪୩ ପ୍ରତିଶତ ରେଟିଂ ସହ ଷଷ୍ଠ ସ୍ଥାନରେ ରହିଛନ୍ତି। ଏହା ପରେ କାନାଡାର ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋ ୪୩ପ୍ରତିଶତ ସହ ସପ୍ତମ ସ୍ଥାନରେ ରହିଛନ୍ତି । ସେହିପରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ଙ୍କୁ ୪୧ ପ୍ରତିଶତ ରେଟିଂ ଦିଆଯାଇଛି ।
ତେବେ ମର୍ଣ୍ଣିଂ କନ୍ସଲ୍ଟ ପଲଟିକାଲ ଇଣ୍ଟେଲିଜେନ୍ସ (Morning Consult Political Intelligence) ବର୍ତ୍ତମାନ ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଟାଲୀ, ଜାପାନ, ମେକ୍ସିକୋ, ଦକ୍ଷିଣ କୋରିଆ, ସ୍ପେନ୍, ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକାର ନେତାଙ୍କ ଆପ୍ରୁଭାଲ ରେଟିଂ ଓ ଦେଶ ଟ୍ରାଜେକ୍ଟୋରୀ ଉପରେ ନଜର ରଖିଛି । ମର୍ଣ୍ଣିଂ କନ୍ସଲ୍ଟ ଏହାର ୱେବସାଇଟରେ କହିଛି ଯେ ପ୍ରକାଶ ପାଇଥିବା ରିପୋର୍ଟ ଚଳିତ ବର୍ଷ ଜାନୁୟାରୀ 13ରୁ 19 ମଧ୍ୟରେ ସଂଗୃହିତ ତଥ୍ୟ ଉପରେ ଆଧାରିତ ।
ସାପ୍ତାହିକ ଭିତ୍ତିରେ, ଏହି ପୃଷ୍ଠାଟି ସମସ୍ତ 13 ଟି ଦେଶ ପାଇଁ ସର୍ବଶେଷ ତଥ୍ୟ ଉପରେ ଆଧାରିତ । ଯାହା ସମଗ୍ର ବିଶ୍ୱରେ ପରିବର୍ତ୍ତିତ ରାଜନୈତିକ ଗତିଶୀଳତା ଅନୁଯାୟୀ ସ୍ଥିରୀକୃତ ହୋଇଥାଏ ।