ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ(Winter Session of Parliament) । ଚଳିତ ଥର ୧୭ ଦିନ ଧରି ଚାଲିବ ଗୃହ କାର୍ଯ୍ୟ । ତେବେ ଶୀତ ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Narendra Modi) ଗଣମାଧ୍ୟମ ସହ ଆଲୋଚନା କରିବେ । ଏନେଇ ଗତକାଲି(ମଙ୍ଗଳବାର) ଲୋକସଭା ସଚିବ ସୂଚନା ଦେଇଛନ୍ତି ।
ପାଖାପାଖି ୧୬ଟି ନୂଆ ବିଧେୟକ ଆଗତ ହେବାକୁ ଥିବା ବେଳେ କିଛି ବିଧେୟକ ଲୋକସଭା କିମ୍ବା ରାଜ୍ୟସଭାରୁ ପାରିତ ହୋଇଥିବା ବେଳେ ଆଉ କିଛି ସଂସଦୀୟ କମିଟି ନିକଟକୁ ସମୀକ୍ଷା ପାଇଁ ଯାଇଛି । ତେବେ ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ଶୀତ ଅଧିବେଶନ ।
ଶୀତ ଅଧିବେଶନ ପୂର୍ବରୁ ଗତକାଲି(ମଙ୍ଗଳବାର) କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଏହି ବୈଠକ ଡାକିଥିଲେ । ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କ ସମେତ ଅନେକ ବରିଷ୍ଠ ନେତା ସାମିଲ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ: ଆସନ୍ତା 9ରେ ରାଜଧାନୀରେ ବିକ୍ଷୋଭ କରିବ କିଷାନ କଂଗ୍ରେସ
ସୂଚନାଅନୁସାରେ, ଶୀତକାଳୀନ ଅଧିବେଶନ ପାଇଁ ରାଜ୍ୟସଭା ସଚିବ ସଦସ୍ୟମାନଙ୍କ ପାଇଁ ଆଚରଣ ବିଧି ପ୍ରକାଶ କରିଛନ୍ତି । ଅନ୍ୟପଟେ ଲୋକସଭାର ସଦସ୍ୟମାନେ ଅଧିବେଶନ ସମୟରେ ଦେହାନ୍ତ ହୋଇଥିବା ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ସେମାନଙ୍କ ମଧ୍ୟରେ ପ୍ରଥମେ ରହିବେ ସମାଜବାଦୀ ପାର୍ଟିର ନେତା ମୁଲାୟମ ସିଂ ଯାଦବ । ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟସଭାରେ ଅଧ୍ୟକ୍ଷତା କରିବେ ଜଗଦୀପ ଧନଖଡ ।
ସର୍ବଦଳୀୟ ବୈଠକରେ ବିରୋଧି ଦଳଗୁଡିକ ଦରବୃଦ୍ଧି, ବେକାରୀ ଏବଂ ଇଡବ୍ଲୁଏସ କୋଟା ଉପରେ ଆଲୋଚନା ପାଇଁ ଦାବି କରିଥିଲେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିର୍ବାଚନ କମିଶନଙ୍କ ନିଯୁକ୍ତି ପ୍ରସଙ୍ଗ ଉଠାଇଥିଲେ । ଟେଏମସି ନେତା ଡେରେକ ଓ ବ୍ରିଏନ ଶୀତ ଅଧିବେଶନରେ ସ୍ବର ଉତ୍ତୋଳନ ପାଇଁ ବିରୋଧି ଦଳ ଗୁଡିକୁ ଅଧିକ ସୁଯୋଗ ଦେବା ଆବଶ୍ୟକ ବୋଲି କହିଥିଲେ ।