ନୂଆଦିଲ୍ଲୀ: ଆଜି (ସୋମବାର) ଉତ୍ତରପ୍ରଦେଶ ବାରଣାସୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ଏହି ଗସ୍ତ ସମୟରେ ବାରଣାସୀରେ କାଶୀ ବିଶ୍ୱନାଥ କରିଡର (Kashi Vishwanath Corridor)ର ଉଦଘାଟନ କରିବେ । ଏନେଇ ୧୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଅରୁଣାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଆସାମ, ନାଗାଲାଣ୍ଡ, ମଣିପୁର, ତ୍ରିପୁରା, ଗୁଜୁରାଟ, ହରିୟାଣା, ଗୋଆ, ସିକିମ, ମେଘାଳୟ, ମିଜୋରାମ, କର୍ଣ୍ଣାଟକ, ପୁଡୁଚେରୀ ପ୍ରମୁଖ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏଥିସହ ଦେଶର ୧୮୧ ଜଣ ସାଧୁ ମଧ୍ୟ ଯୋଗଦେବେ । ଏହା ବ୍ୟତୀତ ଅଯୋଧ୍ୟାରୁ ୨୩ଜଣ ସାଧୁ ଏବଂ କାଶୀରୁ ୪୭ ସାଧୁଙ୍କୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ନିମନ୍ତ୍ରଣ କରାଯାଇଛି । ଏନେଇ ଶନିବାର ଠାରୁ ସାଧୁମାନଙ୍କ ଆଗମନ ଆରମ୍ଭ ହୋଇଯାଇଛି ।
ଆଜି(ସୋମବାର) କାଶୀ ବିଶ୍ୱନାଥ କରିଡରର ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ଡିସେମ୍ବର ୧୪ରେ ମାଣ୍ଡିର ଚୋକ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଡିସେମ୍ବର ୧୬ରେ ରାଜ୍ୟ ସରକାରଙ୍କ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଡିସେମ୍ବର ୧୭ରେ ଦେଶର ପ୍ରମୁଖ ସହରର ମେୟରମାନଙ୍କ ସହ ଏକ ଭର୍ଚୁଆଲ୍ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ଏବଂ ଡିସେମ୍ବର ୨୩ରେ ପୁନର୍ବାର କାଶୀ ପରିଦର୍ଶନ କରି କୃଷକଙ୍କ ସହ ଆଲୋଚନା କରିବେ ।
ମାର୍ଚ୍ଚ ୮, ୨୦୧୯ ରେ ନରେନ୍ଦ୍ର ମୋଦି ଏହି କରିଡରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୪୦୦ ମିଟର ଲମ୍ବ ବିଶିଷ୍ଟ ଏହି କରିଡରରେ ପ୍ରାୟ ୬୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି, କାଶୀ ବିଶ୍ୱନାଥ କରିଡରରେ ୬୦ଟି ପ୍ରାଚୀନ ମନ୍ଦିର ରହିଛି । ଏହି ମନ୍ଦିର ନିର୍ମାଣ ପାଇଁ ୩୬୦ଟି କୋଠାକୁ ଭଙ୍ଗା ଯାଇଥିବା ବେଳେ ୧୪୦୦ଲୋକଙ୍କୁ ଥଇଥାନ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ