ନୂଆଦିଲ୍ଲୀ: ୟୁକ୍ରେନ ସଙ୍କଟ ଉପରେ ଆଲୋଚନା କରିବା ପାଇଁ ଆଜି(ସୋମବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହି ବୈଠକରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଆଲୋଚନା ହୋଇଛି । ଏଥିଲାଗି ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରକୁ ୪ ଜଣ ମନ୍ତ୍ରୀଙ୍କୁ ମୋଦି ପଠାଇବେ । ଏହି ମନ୍ତ୍ରୀ ସେଠାରେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବେ ବୋଲି ଜଣାପଡିଛି ।
ଏହି ୪ ମନ୍ତ୍ରୀ ମାନଙ୍କ ମଧ୍ୟରେ ରହିଛନ୍ତି ହରଦୀପ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରନ ରିଜ୍ଜୁ ଓ ଭି. କେ ସିଂ । ଏହି ମନ୍ତ୍ରୀମାନେ ଭାରତର 'ସ୍ବତନ୍ତ୍ର ଦୂତ' ଭାବରେ ସେଠାକୁ ଯିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସମେତ ଅନେକ ମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ। ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଭାରତ ସରକାର 'ଅପରେସନ ଗଙ୍ଗା' ଅଭିଯାନ ଆରମ୍ଭ କରିଛନ୍ତି ।
ଏହାପୂର୍ବରୁ, ୟୁକ୍ରେନରୁ 249 ଭାରତୀୟଙ୍କୁ ନେଇ ପଞ୍ଚମ ବିମାନ ଦିଲ୍ଲୀରେ ପହଞ୍ଚିଛି। ରବିବାର ରାତିରେ ରୋମାନିଆରୁ ଦିଲ୍ଲୀକୁ ଏହି ବିମାନ ଉଡ଼ାଣ କରିଥିଲା । ବୈଦେଶିକ ମନ୍ତ୍ରୀ ଟ୍ବିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଯେତେବେଳେ ବିମାନଟି ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଲା, ପରିବାର ସଦସ୍ୟ ସେମାନଙ୍କ ପ୍ରିୟଜନଙ୍କୁ ଭେଟିବା ପରେ ଭାବପ୍ରବଣ ହୋଇଥିବା ଦେଖିବାକୁ ମିଳିଥିଲା । ସେମାନେ ନିଜ ପ୍ରିୟଜନଙ୍କୁ ଫୁଲ ଏବଂ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।
ଅନ୍ୟପଟେ ଆଜି ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ପଞ୍ଚମ ଦିନ । ୟୁକ୍ରେନର ରାଜଧାନୀ କିଭ ଏବଂ ଖାର୍କିଭ ସହର ଉପରେ ଆକ୍ରମଣ ଜାରି ରଖିଛନ୍ତି ଋଷ ସେନା । ଏଥି ସହିତ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ଦାବି କରିଛନ୍ତି ଯେ ଋଷ ତାଙ୍କୁ ହତ୍ୟା କରିବା ପାଇଁ 400ରୁ ଅଧିକ ହତ୍ୟାକାରୀଙ୍କୁ କିଭକୁ ପଠାଇଛି ।
@ANI