ଅଯୋଧ୍ୟା: ବାସି ଫୁଲରୁ ତିଆରି ହେବ ପରଫ୍ୟୁମ୍ । ଡ଼ ରାମ ମନୋହର ଲୋହିଆ ଅବଧ ବିଶ୍ବବିଦ୍ୟାଳୟ ପକ୍ଷରୁ ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ରବି ଶଙ୍କର ସିଂ ବୁଧବାର ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ପ୍ରକଳ୍ପ ଅଧିନରେ ଅଯୋଧ୍ୟାର ମନ୍ଦିର ଗୁଡିକରେ ଲାଗି ହୋଇଥିବା ବାସି ଫୁଲରୁ ପରଫ୍ୟୁମ, ଧୂପକାଠି ଆଦି ତିଆରି କରାଯିବା ନେଇ ଯୋଜାନ ପ୍ରସ୍ତୁତ ହୋଇଛି ।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଫେସର ରବି ଶଙ୍କର କହିଛନ୍ତି, ପାଇଲଟ ପ୍ରୋଜେକ୍ଟ ଅଧିନରେ ଅଯୋଧ୍ୟା ମନ୍ଦିରରୁ ବାହାରୁଥିବା ବାସି ଫୁଲରୁ ପରଫ୍ୟୁମ ଉତ୍ପାଦନ, ଧୂପବତୀ ଏବଂ ଧୂପକାଠି ଆଦି ପ୍ରସ୍ତୁତ କରାଯିବ । କାର୍ଯ୍ୟକ୍ରମରେ ମହନ୍ତ ରାମଦାସ ଜୀ ନାକା ହନୁମାନଗଢି ସମେତ ଅଯୋଧ୍ୟା ସ୍ଥିତ ସମସ୍ତ ମନ୍ଦିରରୁ ବାହାରୁଥିବା ଲାଗି ଫୁଲ ଏହି ପ୍ରକଳ୍ପ ପାଇଁ ଉପଲବ୍ଧ କରାଇବାକୁ ପ୍ରତିଶ୍ରୁତି ଦେବା ସହ ଏହାର ବାଣିଜ୍ୟିକ ଉତ୍ପାଦନ ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।
ବିଶ୍ବବିଦ୍ୟାଳୟର ପର୍ଯ୍ୟାବରଣ ବିଭାଗର ପ୍ରଫେସର ଯଶବନ୍ତ ସିଂହ ଏହି ପାଇଲଟ ପ୍ରକଳ୍ପର ରୂପରେଖ ଉପସ୍ଥାପନ କରିଛନ୍ତି ଏବଂ ଏହି ଅତର ବା ସୁଗନ୍ଧିକ ପରଫ୍ୟୁମ ନିର୍ମାଣ କାରଖାନା ଦ୍ବାରା ବିଭିନ୍ନ ଏକାଡେମିକ କାର୍ଯ୍ୟକୁ ଗତି ମିଳିବ ବୋଲି ମନ୍ତବ୍ୟ ରଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ