ପଲି ସାଇଷ୍ଟିକ୍ ଓଭାରିଆନ ସିଂଡ୍ରୋମ ( ପିସିଓଏସ ) ହେଉଛି ମହିଳାଙ୍କଠାରେ ଦେଖାଯାଉଥିବା ସବୁଠାରୁ ସାଧାରଣ ବିକାର । ସନ୍ତାନଧାରଣ ବୟସର ମହିଳାମାନଙ୍କଠାରେ ଏହି ରୋଗ ଦେଖାଯାଏ । ତେବେ, ପିସିଓଏସ ଦ୍ୱାରା ଓଜନ କାହିଁକି ବଢିଥାଏ ? ପିସିଓଏସ୍ ବାବଦରେ ଅଧିକ ଆଲୋକପାତ କରିଛନ୍ତି ଦିଲ୍ଲୀ ମୟୂର ବିହାର କ୍ଲିନିକାଲ ନ୍ୟୁଟ୍ରିଅନିଷ୍ଟ ଡକ୍ଟର ରେଣୁ ଗର୍ଗ । ଇଟିଭି ଭାରତ ସୁଖିଭବ ପକ୍ଷରୁ ତାଙ୍କ ସହ ଆଲୋଚନା କରାଯାଇଥିଲା । ପିସିଓଏସ ଦ୍ୱାରା ଶରୀର ପାଇଁ ହରମୋନ ଇନସୁଲିନ ବ୍ୟବହାର କଷ୍ଟକର ହୋଇପଡେ ।
ଖାଦ୍ୟରୁ ଶର୍କରା ଆଦିକୁ ଶକ୍ତିରେ ପରିଣତ କରିଥାଏ ହରମୋନ ଇନସୁଲିନ । ଶରୀର ଦ୍ୱାରା ହରମୋନ ଇନସୁଲିନ ବ୍ୟବହାର ନ ହୋଇପାରିବା ସ୍ଥିତିକୁ ‘ଇନସୁଲିନ ରେସିଟାନ୍ସ’ ବୋଲି କୁହାଯାଏ । ଏଭଳି ସ୍ଥିତି ଇନସୁଲିନ, ସୁଗାର ଓ ଗ୍ଲୁକୋଜକୁ ବ୍ଲଡଷ୍ଟ୍ରିମରେ ଜମାକରେ । ଅଧିକ ମାତ୍ରାରେ ଇନସୁଲିନ ଆଂଡ୍ରୋଜେନ ନାମକ ମେଲ୍ ହରମୋନର ଉତ୍ପାଦନ ବୃଦ୍ଧି କରେ । ଏହି ସମସ୍ୟା ଦ୍ୱାରା ଶରୀରରେ କେଶ ବଢିବା, ଅନିୟମିତ ପିରିୟଡ ଓ ଓଜନ ବୃଦ୍ଧି ଭଳି ଲକ୍ଷଣ ଦେଖାଯାଏ । ମେଲ୍ ବା ପୁରୁଷ ହରମୋନ ଦ୍ୱାରା ଓଜନ ବୃଦ୍ଧି ହେଉଥିବାରୁ ସାଧାରଣତଃ ତଳିପେଟର ଓଜନ ବଢିଥାଏ । ଏହା ଆବଡୋମିନାଲ ଫ୍ୟାଟ୍ ନାମରେ ଜଣାଶୁଣା , ଯାହା କି ଭାରି ବିପଜ୍ଜନକ । ତଳିପେଟ ଚର୍ବି ବୃଦ୍ଧି ହେଲେ ହୃଦରୋଗ ହେବା ଆଶଙ୍କା ଅଧିକ ରହେ । ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୁଏ । ନିୟମିତ ଆହାରରେ ଯଦି ଉଚ୍ଚ ମାତ୍ରାରେ ରିଫାଇନଡ୍ କାର୍ବୋହାଇଡ୍ରେଟସ୍ ରହେ, ତାହା ହେଲେ ଇନସୁଲିନ ରେସିଟାନ୍ସ ସୃଷ୍ଟି ହୁଏ । ପରିଣାମ ସ୍ୱରୂପ ଓଜନ ହ୍ରାସ କରିବା କଷ୍ଟକର ହୋଇପଡେ ।
କେଉଁସବୁ ଖାଦ୍ୟରୁ ଦୂରେଇ ରହିବେ ?
. ହ୍ୱାଇଟ ବ୍ରେଡ୍ , ମଫିନ, ପାସ୍ତା, ନୁଡଲ୍ସ , ସେମୋଲନା ( ସୁଜି ), ପିଜା, ହ୍ୱାଇଟ ରାଇସ ଭଳି ଅଧିକ ମାତ୍ରାରେ ରିଫାଇନଡ୍ କାର୍ବୋହାଇଡ୍ରେଟସ ଥିବା ଖାଦ୍ୟ ।
. ଅଧିକ ଚିନିଯୁକ୍ତ ସ୍ନାକ୍ସ ଓ ପାନୀୟ, ପାଷ୍ଟ୍ରିସ୍ ,ସୋଡା ଓ ଜୁସ, ଏନର୍ଜି ଡ୍ରିଙ୍କସ, କେକ୍, କ୍ୟାଣ୍ଡି, କୁକି, ମିଠା ଦହି । ଫୁଡ୍ ଲେବଲ ପଢିଲା ବେଳେ ସୁଗାରର ବିଭିନ୍ନ ନାମ ଯଥା ସୁକ୍ରୋଜ୍, ହାଇ ଫ୍ରକଟୋଜ୍ କର୍ନ ସିରାପ୍ ଓ ଡେକ୍ସଟ୍ରୋଜ୍ ର ନାମ ସଂପର୍କରେ ଅବଗତ ରହନ୍ତୁ ।
. ପ୍ରକ୍ରିୟାକୃତ ଖାଦ୍ୟ, ରେଡ୍ ମିଟ୍, ହଟ ଡଗ୍ ଓ ସସ୍ରୁ ବି ଦୂରେଇ ରହନ୍ତୁ । ରିଫାଇନଡ୍ କାର୍ବୋହାଇଡ୍ରେଟ୍ ପ୍ରଦାହ, ଇନସୁଲିନ ରେସିଟାନସ୍ ସୃଷ୍ଟି କରେ ।
. ଜେନେଟିକାଲି ମୋଡିଫାଏଡ୍ ଖାଦ୍ୟରୁ ଦୂରେଇ ରହନ୍ତୁ । ଯେତେବେଳେ ଆପଣ ଏ ଧରଣର ଖାଦ୍ୟ ଖାଇବେ, ତାହା ହେଲେ ଆପଣ ସ୍ୱଳ୍ପ ମାତ୍ରାରେ କେମିକାଲ ବି ଖାଆନ୍ତି । ଏହି କେମିକାଲ ଦୂଷିତ ହେବା ସହ ହରମୋନର କାର୍ଯ୍ୟକୁ ପ୍ରଭାବିତ କରନ୍ତି ।
. ପକୋଡା, ପୁରୀ ଭଳି ଛଣା ଖାଦ୍ୟରୁ ବି ଦୂରେଇ ରହନ୍ତୁ । ଏସବୁଥିଲେ ଅସ୍ୱାସ୍ଥ୍ୟକର ଫ୍ୟାଟ୍ ରହିଥାଏ ।
. ଛେନା, ଦହି ଭଳି କୃତ୍ରିମ ବା ଅଧିକ ପ୍ରକ୍ରିୟାକୃତ ଦୁଗ୍ଧଜାତ ସାମଗ୍ରୀରୁ ଦୂରେଇ ରହନ୍ତୁ ।
. ମଦ୍ୟପାନ କମ୍ କରନ୍ତୁ ।
ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ
. ହାଇ ଫାଇବର ଡାଏଟ ନିଅନ୍ତୁ । ପ୍ରଚୁର ଫଳ, ପନିପରିବା, ହୋଲ୍ ଗ୍ରେନ୍, ବ୍ରୋକୋଲି, ଫୁଲକୋବି, ବିନ୍, ଡାଲି , ଆଲମଣ୍ଡ, କୋଳି, କନ୍ଦମୂଳ, କଖାରୁ ନିୟମିତ ଖାଆନ୍ତୁ ।
. ଦିନ ସାରା ସ୍ୱଳ୍ପ ପରିମାଣରେ ୪ରୁ ୬ ଥର ଖାଦ୍ୟ ଖାଆନ୍ତୁ । ଏହା ଆପଣଙ୍କ ବ୍ଲଡ୍ ସୁଗାର ଲେବେଲରେ ସହାୟକ ହେବ ।
. ମାଛ, ଚିକେନ ଓ ଟୋଫୁ କିଛି ମାତ୍ରାରେ ଖାଆନ୍ତୁ ।
. ପ୍ରଦାହ ନିରୋଧୀ ଖାଦ୍ୟ ଓ ହଳଦୀ, ଟମାଟୋ, ପୋଇ, ଆଲମଣ୍ଡ ଓ ୱାଲନଟ ଆଦି ଆହାରରେ ଅନ୍ତର୍ଭୁକ୍ତ କରନ୍ତୁ ।
. ଆହାରରେ ମାଛ, ଆଭୋକାଡୋ ଓ ଅଲିଭ ଅଏଲ ଭଳି ସ୍ୱାସ୍ଥ୍ୟକର ଫ୍ୟାଟ୍ ଅନ୍ତର୍ଭୁକ୍ତ କରନ୍ତୁ । ଅନସାଚ୍ୟୁରେଟେଡ୍ ଫ୍ୟାଟ୍ସ ପିସିଓଏସର ଲକ୍ଷଣ ପରିଚାଳନାରେ ଅତ୍ୟାବଶ୍ୟକ ହୋଇଥାଏ । ଏସେନସିଆଲ ଫ୍ୟାଟି ଏସିଡ ହରମୋନ ରିବ୍ୟାଲାନ୍ସ ଏବଂ ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହୁଏ ।
. ମ୍ୟାଗ୍ନେଜିୟମ ରିଚ୍ ଫୁଡ୍ ଖାଆନ୍ତୁ ।
. ଫାଇବରରେ ସମୃଦ୍ଧ ଫଳ ଓ ମିନେରାଲ ଆହାରରେ ବ୍ୟବହାର କରନ୍ତୁ ।
. ଅଣ ପ୍ରକ୍ରିୟାକୃତ ଓ ନନ୍ ଜେନେଟିକାଲି ମୋଡିଫାଏଡ ସୋୟ ଫୁଡ୍ ଉପରେ ଗୁରୁତ୍ୱ ଦିଅନ୍ତୁ ।
ପିସିଏଏସର ଚିକିତ୍ସା ବା ଏହାର ପ୍ରତିକାର ପାଇଁ କୌଣସି ନିର୍ଦ୍ଦିଷ୍ଟ ଡାଏଟ ନାହିଁ । ତେବେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇ ସକ୍ରିୟ ହେଲେ ଏହାର ଦୀର୍ଘକାଳୀନ ପ୍ରଭାବରୁ ଆଶ୍ୱସ୍ତି ମିଳିବ । ଜଣେ ଯୋଗ୍ୟ ଓ ପେଷାଦାର ନ୍ୟୁଟ୍ରନିଷ୍ଟ ହିଁ ଆପଣଙ୍କୁ ଓଜନ ହ୍ରାସ ନେଇ ଦରକାର ପଡୁଥିବା ଆହାର ସଂପର୍କରେ ପରାମର୍ଶ ଦେଇପାରିବେ ।