ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ଥମୁନି ଝଡ । ପେଗାସସ ଝଡରେ ଉଠୁଛି ପଡୁଛି ରାଜ୍ୟସଭା ଓ ଲୋକସଭା । ହଙ୍ଗାମା କାରଣରୁ ୧୦୭ ଘଣ୍ଟାରୁ ମାତ୍ର ୧୮ ଘଣ୍ଟା ହୋଇଛି ଗୃହ କାର୍ଯ୍ୟ । ଆଉ ପାଣିରେ ପଡିଲାଣି ୧୩୩ କୋଟି ଟଙ୍କା ।
ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ, ୧୯ ଜୁଲାଇରୁ ଆରମ୍ଭ ହୋଇଥିଲା ମୌସୁମୀ ଅଧିବେଶନ । ୧୩ ଅଗଷ୍ଟ ପର୍ଯ୍ୟନ୍ତ ଏହା ଜାରି ରହିବ । ଏହି ଅଧିବେଶନରେ ୮୯ ଘଣ୍ଟା ନଷ୍ଟ ହୋଇଯାଇଛି । ରାଜ୍ୟସଭାରେ ନିର୍ଦ୍ଧାରିତ ସମୟରୁ ୨୧ ପ୍ରତିଶତ କମ କାମ ହୋଇଥିବାବେଳେ ଲୋକସଭାରେ ହୋଇଛି ମାତ୍ର ୧୩ ପ୍ରତିଶତ କାର୍ଯ୍ୟ ।
ଲୋକସଭାରେ ସମ୍ଭାବିତ ୫୪ ଘଣ୍ଟାରୁ ୭ ଘଣ୍ଟା କାମ ହୋଇଛି । ସେହିପରି ରାଜ୍ୟସଭାରେ ସମ୍ଭାବିତ ୫୨ ଘଣ୍ଟାରୁ ୧୧ ହୋଇଛି ଗୃହ କାର୍ଯ୍ୟ । ବର୍ତ୍ତମାନ ସୁଦ୍ଧା ସଂସଦରେ ୧୦୭ ଘଣ୍ଟାରୁ ହାରାହାରି ୧୬.୮ ପ୍ରତିଶତ ଅର୍ଥାତ ୧୮ ଘଣ୍ଟା କାମ ହୋଇଛି । ହଙ୍ଗାମା କାରଣରୁ ଜନସାଧାରଣଙ୍କର ୧୩୩ କୋଟି ଟଙ୍କା ପାଣିରେ ପଡିଥିବା ଜଣାପଡିଛି ।
ପେଗାସସ ଜାସୁସି, କୃଷି ଆଇନ ସମେତ ଅନ୍ୟ ବିଷୟ ଉପରେ ବିଜେପିକୁ ଟାର୍ଗେଟ କରି ଗୃହରେ ହଟଗୋଳ ଜାରି ରଖିଛନ୍ତି । ସେପଟେ ବିରୋଧୀଙ୍କ ହଙ୍ଗାମା ସତ୍ତ୍ବେ ୫ଟି ବିଲ୍ ପାରିତ ହୋଇଛି । ରାଜ୍ୟସଭାରେ ମଧ୍ୟ ଏହି ବିଧେୟକ ପାରିତ ହୋଇଛି ।