ମୁମ୍ବାଇ: ସଙ୍ଗୀତ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଭେଟେରାନ ଗାୟିକା ତଥା ପଦ୍ମ ପୁରସ୍କାର ପ୍ରାପ୍ତ ପ୍ରଭା ଅତ୍ରେଙ୍କର ପରଲୋକ ହୋଇଛି । ଆଜି(ଶନିବାର) ସକାଳେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କୁ 92 ବର୍ଷ ବୟସ ହୋଇଥିଲା । ହୃଦଘାତ ଯୋଗୁଁ ପୁଣେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆଜି ମୁମ୍ବାଇରେ ପ୍ରଭାଙ୍କର ଏକ କାର୍ଯ୍ୟକ୍ରମ ରହିଥିବା ବେଳେ ଯୋଗଦେବା ପୂର୍ବରୁ ତାଙ୍କର ପରଲୋକ ହୋଇଛି । କହିରଖୁଛୁ କି ପ୍ରଭା ଅତ୍ରେଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ, ପଦ୍ମ ଭୂଷଣ ଏବଂ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ସୂଚନା ଅନୁସାରେ, ଭେରେଟାନ ଗାୟିକା ପ୍ରଭା ଅତ୍ରେ ଶୋଇଥିବା ସମୟରେ ତାଙ୍କୁ ହୃଦଘାତ ହୋଇଥିଲା । ଭୋର ସମୟରେ ହାର୍ଟ ଆଟାକ ଆସିବା ପରେ ତାଙ୍କୁ ତୁରନ୍ତ ଦିନାଥ ମଙ୍ଗେଶକର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଭାଙ୍କର ସମସ୍ତ ସମ୍ପର୍କୀୟ ଆମେରିକାରେ ରହୁଥିବା ବେଳେ ସେମାନଙ୍କ ଭାରତ ଆଗମନ ପରେ ହିଁ ଶେଷକୃତ୍ୟ କରାଯିବ ବୋଲି ସୂଚନା ଦିଆଯାଇଛି । ଭାରତ ସରକାରଙ୍କ ପକ୍ଷରୁ 1990 ମସିହାରେ ପଦ୍ମଶ୍ରୀ, 2002 ମସିହାରେ ପଦ୍ମ ଭୂଷଣ ଏବଂ 2022 ମସିହାରେ ପଦ୍ମ ବିଭୂଷଣ ପୁରସ୍କାର ସହିତ ଆହୁରି ଅନେକ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି । ମରାଠି ଭାଷାରେ ମଧ୍ୟ ଅନେକ ସଙ୍ଗୀତ ଗାଇଛନ୍ତି ପ୍ରଭା ଅତ୍ରେ ।
ପୁଣେରେ 1932 ମସିହା ସେପ୍ଟେମ୍ବର 13 ତାରିଖରେ ପ୍ରଭା ଅତ୍ରେ ଜନ୍ମ ଗ୍ରହଣ କରିଥିଲେ । ପ୍ରଭାଙ୍କୁ ଯେତେବେଳେ 8 ବର୍ଷ ହୋଇଥିଲା, ସେ ସମୟରେ ତାଙ୍କ ମାତା ଇନ୍ଦିରାବାଇଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ତେବେ ସଙ୍ଗୀତ ଶୁଣିବା ଦ୍ବାରା ମାଆଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିବ ବୋଲି କେହି କହିବା ପରେ ସେ ସେଠାରୁ ଅନୁପ୍ରାଣିତ ହୋଇ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ମନ ବଳାଇଥିଲେ । ସେ ଗୁରୁ ଶିଷ୍ୟ ପରମ୍ପରାରେ ସଙ୍ଗୀତ ଟ୍ରେନିଂ ନେଇଥିଲେ । ଏହାପରେ ଅନେକ ଗୀତ ଗାଇ ଫ୍ୟାନ୍ସଙ୍କ ମନ ଜିଣିବା ସହିତ ଅନେକ ପୁରସ୍କାର ମଧ୍ୟ ହାତେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ