ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ୨ ଲକ୍ଷ ଉପରେ ରହିଛି । କୋରୋନାର ନୂଆ ପ୍ରଜାତି ଓମିକ୍ରନ ଦ୍ରୁତଗତିରେ ବ୍ୟାପୁଛି । ଏପରିସ୍ଥିତିରେ ଦିନ କେଇଟା ପରେ ୫ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟରେ ନିର୍ବାଚନ ସ୍ଥଗିତ ରଖିବାକୁ ଦିଲ୍ଲୀ କୋର୍ଟରେ ପିଟିସନ ଦାଖଲ କଲେ କଂଗ୍ରେସ ନେତା ଜଗଦୀଶ ଶର୍ମା । ଏଥିସହ ତୃତୀୟ ଲହର ସମୟରେ ଆବଶ୍ୟକୀୟ ସେବା ଯୋଗାଇବା ଦିଗରେ ଯୋଜନା ପ୍ରସ୍ତୁତ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ପିଟିସନରେ ନିବେଦନ କରିଛନ୍ତି କଂଗ୍ରେସ ନେତା ।
ଜଗଦୀଶ କୋର୍ଟକୁ କହିଛନ୍ତି, ଦ୍ବିତୀୟ ଲହର ସମୟରେ ବହୁସଂଖ୍ୟକ ଲୋକେ ଅକ୍ସିଜେନ ଏବଂ ମେଡିକାଲରେ ଶଯ୍ଯା ଅଭାବରୁ ପ୍ରାଣ ହରାଇଥିଲେ । ତେଣୁ ସଂକ୍ରମଣ ବଢୁଥିବାରୁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ମହଜୁଦ ରଖିବାକୁ ଏବଂ ବିତରଣ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ । ସାମ୍ଭାବ୍ୟ ଲହରର ମୁକାବିଲା ପାଇଁ କେନ୍ଦ୍ର ସରକାର କ'ଣ ସବୁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ଜଣାନ୍ତୁ ।
ଏହାମଧ୍ୟ ପଢନ୍ତୁ: Uttarakhand Poll: ରାମନଗର ନୁହେଁ ଲାଲକୁଆଁରୁ ଲଢିବେ ହରିଷ ରାୱତ
ଏଥିସହ ନିର୍ବାଚନ ଆୟୋଗ କିଛି ସପ୍ତାହ ପାଇଁ ୫ ରାଜ୍ୟରେ ନିର୍ବାଚନକୁ ସ୍ଥଗିତ ରଖିନ୍ତୁ । ଏହାବ୍ୟତୀତ ନିର୍ବାଚନ ହେବାକୁ ଥିବା ୫ ରାଜ୍ୟ ଯଥା, ଉତ୍ତରପ୍ରଦେଶ, ପଞ୍ଜାବ, ମଣିପୁର, ଉତ୍ତରଖଣ୍ଡ ଏବଂ ଗୋଆରୁ ଦିଲ୍ଲୀ ଫେରୁଥିବା ବ୍ୟକ୍ତିଙ୍କୁ ୧୪ ଦିନିଆ ବାଧ୍ୟତାମୂଳକ କ୍ବାରେଣ୍ଟାଇନରେ ରହିବା ଲାଗି ଦିଲ୍ଲୀ ସରକାର ଗାଇଡଲାଇନ ଜାରି କରନ୍ତୁ ବୋଲି କୋର୍ଟରେ ନିବେଦନ କରିଛନ୍ତି କଂଗ୍ରେସ ନେତା ।