ଲକ୍ଷ୍ନୌ: କଥାରେ ଅଛି 'ଯାହାକୁ ରଖିବେ ଅନନ୍ତ, କି କରିପାରିବ ବଳବନ୍ତ' । ଏହି ଘଟଣାଟି ଏହି ଉକ୍ତିର ଜ୍ବଳନ୍ତ ପ୍ରମାଣ । ଏହାକୁ କୌଣସି ଯାଦୁ ନା ବଞ୍ଚିବାର ଆଶା କୁହାଯିବ । ଉତ୍ତରପ୍ରଦେଶ ଫତେହପୁର ଜିଲ୍ଲାରେ ଜଣେ ବୃଦ୍ଧା ଗଙ୍ଗା ନଦୀରେ ପଡ଼ି ଭାସିଗଲା ପରେ ଦୀର୍ଘ ୪୦ କିମି ପରେ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବାବେଳେ ବୃଦ୍ଧାଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ରହିଥିବା ନେଇ ଚର୍ଚ୍ଚା ହେଉଛି ।
ରବିବାର ସକାଳେ ବୃଦ୍ଧା ଜଣକ ନଦୀରେ ଭାସିଯାଇଥିବାବେଳେ ତାଙ୍କର ପତା ମିଳିନଥିଲା । ପରିବାର ତାଙ୍କୁ ମୃତ ବୋଲି ଭାବି ସାରିଥିଲା । ମାତ୍ର କୌଶମ୍ବୀ ଠାରେ ନଦୀକୂଳରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ସେ ଚେତା ଫେରିପାଇଥିବାବେଳେ ନିଜ ଠିକଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ତାଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଛି ।
ଏହା ବି ପଢନ୍ତୁ- କୁମ୍ଭୀରର ଆଧ୍ୟାତ୍ମିକଭାବ: ଭଗବାନଙ୍କୁ କରେ ଦର୍ଶନ, ସ୍ପର୍ଶ କରେନି ମାଛ
କୌଶମ୍ବୀ ପୋଲିସର କହିବାନୁସାରେ, ଫତେହପୁର ଜିଲ୍ଲାର ହାତଗୱାଁ ଥାନା ଅଞ୍ଚଳ ଶମାପୁର ଗାଁର ଅଧିବାସୀ ଶାନ୍ତି ଦେବୀ (୭୫) ରବିବାର ସକାଳେ ଗଙ୍ଗାନରେ ଶୌଚ ହେବାକୁ ଯାଇଥିବାବେଳେ ଭାସିଯାଇଥିଲେ । ସେ ବହୁତ ସମୟ ଧରି ଘରକୁ ନ ଫେରିବା ପରେ ପରିବାର ଖୋଜାଖୋଜି କରିଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ । ପରିବାର ଓ ଉଦ୍ଧାରକାରୀ ଟିମ ଗଙ୍ଗା ନଦୀରେ ତାଙ୍କର ସନ୍ଧାନ କରିଥିଲେ । ମାତ୍ର କୌଣସି ସୁଫଳ ମିଳିନଥିଲା । ଏହାପରେ ପରିବାର ତାଙ୍କୁ ମୃତ ବୋଲି ଭାବିନେଇଥିଲେ ।
ମାତ୍ର ରବିବାର ସନ୍ଧ୍ୟା ସମୟରେ କୌଶମ୍ବୀ ଜିଲ୍ଲାର କଡାଧାମ ଥାନା ଅଞ୍ଚଳ ନଦୀକୂଳରେ ସ୍ଥାନୀୟ ଲୋକେ ଜଣେ ବୃଦ୍ଧାଙ୍କୁ ଦେଖିଥିଲେ । ତାଙ୍କ ନିଶ୍ବାସ ପ୍ରଶ୍ବାସ ଚାଲୁଥିବାରୁ ତାଙ୍କୁ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ବୃଦ୍ଧାଙ୍କ ଜୀବିତ ଥିବା ନେଇ ଖବର ପରିବାର ଲୋକଙ୍କୁ ଦେଇଥିଲେ । ଏହି ଆଶ୍ଚର୍ଯ୍ୟ କରିବା ଭଳି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।