ହାଇଦ୍ରାବାଦ: ପୁଣି ରକ୍ତରେ ଭିଜିଲା ପ୍ରେମ । ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କଲା ପ୍ରେମିକ । ମୁଣ୍ଡକୁ କାଟି ନଦୀରେ ଫିଙ୍ଗିଲା । ରାଜଧାନୀ ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ମନରୁ ଲିଭି ନଥିବାବେଳେ ଏଭଳି ଆଉ ଏକ ନିର୍ମମ ହତ୍ୟା ଘଟିଛି ହାଇଦ୍ରାବାଦ ସହରରେ । ଜଣେ ବ୍ୟକ୍ତି ନିଜର ଗର୍ଲଫ୍ରେଣ୍ଡକୁ ହତ୍ୟା କରି ଖଣ୍ଡ ଖଣ୍ଡ କରିପକାଇଛି । ମୁଣ୍ଡକୁ ନେଇ ନଦୀରେ ଫିଙ୍ଗିଥିବା ବେଳେ ଶରୀରର ଅନ୍ୟ ଅଂଶଗୁଡିକୁ ନିଜ ଫ୍ରିଜରେ ଲୁଚାଇ ରଖିଥିଲା । ନଦୀରୁ କଟା ମୁଣ୍ଡା ମିଳିବା ପରେ ଏହି ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ମୃତ ମହିଳା ୫୫ ବର୍ଷୀୟା ଏରମ ଅନୁରାଧା ରେଡ୍ଡି । ଘର ହାଇଦ୍ରାବାଦର ଦିଲସୁଖନଗରରେ ଏବଂ ସେ ସ୍ଥାନୀୟ ଏକ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ । ଗତ ୧୭ ତାରିଖରେ ମଲକପେଟ ଥାନା ଅନ୍ତର୍ଗତ ଥିଗଲାଗୁଡା ମୁସି ନଦୀ କୂଳରୁ ତାଙ୍କର କଟା ମୁଣ୍ଡ ମିଳିଥିଲା । ଜଣେ ସଫେଇ କର୍ମଚାରୀ ନଦୀ ଆଡକୁ ଯାଇଥିବା ବେଳେ ଅଳିଆ ଗଦାରେ ଏକ କଳା ବ୍ୟାଗରେ ମହିଳାଙ୍କ ମୁଣ୍ଡ ପିଙ୍ଗା ଯାଇଥିବାର ଦେଖିଥିଲେ । ପୋଲିସ ଛାନଭିନ କରି ମୃତକଙ୍କ ପରିଚୟ ଜାଣିବା ସହ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଜଣାପଡିଛି ଯେ, ମହିଳାଙ୍କ ପ୍ରେମିକ ତଥା ତାଙ୍କର ଘର ମାଲିକ ୪୮ ବର୍ଷୀୟ ଚନ୍ଦ୍ରମୋହନ ତାଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କରିଥିଲେ ।
ପୋଲିସର ସୂଚନା ମୁତାବକ, ଅନେକ ବର୍ଷ ତଳେ ଅନୁରାଧାଙ୍କ ସ୍ବାମୀ ତାଙ୍କୁ ଛାଡି ଚାଲିଯାଇଥିଲେ । ଏହାପରେ ଚନ୍ଦ୍ରମୋହନଙ୍କ ସହ ତାଙ୍କର ସମ୍ପର୍କ ଗଢି ଉଥିଲା । ୧୫ ବର୍ଷ ହେଲା ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା ଏବଂ ମହିଳା ତାଙ୍କରି ଘରେ ଭଡାରେ ରହୁଥିଲେ । ମୋହନ ସେୟାର ମାର୍କେଟରେ କାରବାର କରୁଥିଲେ ଏବଂ ଲୋକଙ୍କୁ ଟଙ୍କା ଲଗାଇବାକୁ ଉସକାଉ ଥିଲେ । କିଛି ମାସ ତଳେ ସେ ଅନୁରାଧାଙ୍କୁ ଭଲ ରିଟର୍ଣ୍ଣର ପ୍ରତିଶ୍ରୁତି ଦେଇ ତାଙ୍କ ଠାରୁ ୭ ଲକ୍ଷ ଟଙ୍କା ନେଇ ମାର୍କେଟରେ ଲଗାଇଥିଲେ । ହେଲେ ସବୁତକ ଟଙ୍କା ବୁଡି ଯାଇଥିଲା । ଏହାସତ୍ତ୍ବେ ମୋହନ ପ୍ରେମିକା ଅନୁରାଧାଙ୍କୁ ପୁଣିଥରେ ଟଙ୍କା ମାଗିଥିଲେ । କିନ୍ତୁ ସେ ମନା କରିଦେଇଥିଲେ । ଏହାକୁ ନେଇ ଗତ ୧୨ ତାରିଖରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ରାଗି ଯାଇ ଚନ୍ଦ୍ରମୋହନ ଅନୁରାଧାଙ୍କୁ ହତ୍ୟା କରିଥିଲେ । ଏହାପରେ ମୃତଦେହକୁ ଛୁରୀ ଓ ଟାଇଲ କଟରରେ କାଟି ଖଣ୍ଡ ଖଣ୍ଡ କରି ପକାଇଥିଲେ ।
ଅଟୋରେ କଟା ମୁଣ୍ଡକୁ ବ୍ୟାଗରେ ଭର୍ତ୍ତି କରେ ନଦୀ କୂଳରେ ଫିଙ୍ଗି ଦେଇଥିଲେ ଏବଂ ବଳକା ଶରୀରକୁ ଘରେ ଫ୍ରିଜରେ ଲୁଚାଇ ରଖିଥିଲେ । ଦୁର୍ଗନ୍ଧ ନହେବା ପାଇଁ ସେ ଅତର ପକାଉଥିଲେ । କଟା ମୁଣ୍ଡ ଜବତ ହେବା ପରେ ପୋଲିସ ସ୍ବତନ୍ତ୍ର ଟିମ୍ ଗଠନ କରି ହତ୍ୟାର ତଦନ୍ତ ଆରମ୍ଭ କରିଥିଲା ଏବଂ ଚନ୍ଦ୍ରମୋହନ ପାଖରେ ପହଞ୍ଚିଥିଲା । ଅଭିଯୁକ୍ତର ଘର ଛାନଭିନ କରିବା ସମୟରେ ଘର ଫ୍ରିଜ ଓ ଏକ ବାଲଟିରୁ ହାତ, ଗୋଡ ଓ ଅନ୍ୟ ଅଂଶଗୁଡିକ ମିଳିଥିଲା । ଏନେଇ ଗତକାଲି ପୋଲିସ ସୂଚନା ଦେଇଛି । ମୃତଦେହ ଖଣ୍ଡଗୁଡିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ