ପାଟନା: ଟପ୍ ମାଓ ନେତା ବିଜୟ ଆର୍ଯ୍ୟଙ୍କ ଏକାଧିକ ଠିକଣାରେ ଏନଆଇଏ ରେଡ୍ । ଆଜି ସକାଳୁ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ମାଓବାଦୀ ସେଣ୍ଟ୍ରାଲ କମିଟି( Maoist Central Committee) ସଦସ୍ୟ ବିଜୟ ଆର୍ଯ୍ୟଙ୍କ ବାସଭବନ ସମେତ କେତେକ ସ୍ଥାନରେ ରେଡ୍ କରୁଛି । NIA ଏକାସାଙ୍ଗରେ ପାଟନା, ଔରଙ୍ଗାବାଦ ଏବଂ ଗୟା ଜିଲ୍ଲାରେ ଚଢାଉ କରୁଥିବା ସୂଚନା ମିିଳିଛି । ପାଟନା ଅନ୍ତର୍ଗତ ଶାସ୍ତ୍ରୀ ନଗରରେ ରହୁଥିବା ଏହି ମାଓ ନେତାଙ୍କ ପୁଅଙ୍କ ଘରେ ଛାନଭିନ ଜାରି ରହିଛି । ଏହାସହିତ ଔରଙ୍ଗାବାଦ ସ୍ଥିତ ମହେଶ ପାରସି ଠାରେ ଥିବା ତାଙ୍କ ଝିଅ ଶୋଭା କୁମାରୀଙ୍କ ବାସଭବନରେ ମଧ୍ୟ NIA ଟିମ୍ ଛାପା ମାରିଛି ।
ଆଜି ସକାଳ ୬ଟାରୁ NIA ଟିମ୍ ଏକାସାଙ୍ଗରେ ବିଜୟ ଆର୍ଯ୍ୟ(Maoist top leader Vijay Arya)ଙ୍କ ତିନୋଟି ଠିକଣାରେ ଚଢାଉ ଜାରି କରିଛି । ଏହି ଚଢାଉ ସମୟରେ NIA ହାତରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଛି କି ନାହିଁ ତାହା ଏ ଯାଏଁ ଜଣାପଡିନାହିଁ । ପ୍ରକାଶଥାଉ କି, ବିଜୟ ଆର୍ଯ୍ୟଙ୍କ ଘର ଗୟା ଜିଲ୍ଲା ଅନ୍ତର୍ଗତ କର୍ମା ଗ୍ରାମରେ । ସେ ମଗଧ ବିଶ୍ବବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ସ୍ନାତକତ୍ତୋର କରିଛନ୍ତି । ଆର୍ଯ୍ୟ ପ୍ରଥମେ ରାଜନୈତିକ କାର୍ଯ୍ୟକର୍ତ୍ତା ଥିଲେ । ରାଜନୀତିରେ ପ୍ରବେଶ ପୂର୍ବରେ ସେ ଅସ୍ଥାୟୀ ଅଧ୍ୟାପକ ଭାବେ ଶିକ୍ଷାଦାନ କରୁଥିଲେ । ପରବର୍ତ୍ତୀ ସମୟରେ ସେ ବାମପନ୍ଥୀ ଉଗ୍ରବାଦୀ ବିଚାରଧାରାରେ ଆକର୍ଷିତ ହୋଇ ମାଓବାଦୀ କମ୍ୟୁନିଷ୍ଟ ସେଣ୍ଟର ଅଫ୍ ଇଣ୍ଡିଆ (MCCI)ରେ ସାମିଲ ହୋଇଥିଲେ ।
ଏହାମଧ୍ୟ ପଢନ୍ତୁ: ମନ୍ଦିର ଯାଉଥିବା ବେଳେ ଶ୍ରଦ୍ଧାଳୁଙ୍କ ଉପରେ ମାଡିଗଲା କାର୍, ୬ ମୃତ
ଏନକାଉଣ୍ଟରରେ MCCI ମୁଖ୍ୟ ସାଗର ଚାଟାର୍ଜୀଙ୍କ ମୃତ୍ୟୁ ପରେ ପୋଲିସ ବିଜୟ ଆର୍ଯ୍ୟଙ୍କ ଗାଁରେ ଛାପା ମାରି ତାଙ୍କ ଘର ନଷ୍ଟ କରିଦେଇଥିଲା । ସେହି ସମୟରେ ସେ କୁଆଡେ ଫେରାର୍ ହୋଇଯାଇଥିଲେ । ପରେ ୨୦୦୪ରେ ସିପିଆଇ ଗଠନ ହେବାପରେ ଆର୍ଯ୍ୟ ଏଥିରେ ଯୋଗ ଦେଇ ବିହାର, ଝାଡଖଣ୍ଡ, ଉତ୍ତରପ୍ରଦେଶ ଓ ଆନ୍ଧ୍ରପ୍ରଦେଶରେ ମାଓବାଦୀ ବିଚାରଧାରାର ପ୍ରଚାର ପ୍ରସାର କରିଥିଲେ । ଏହାପରେ ୨୦୧୧ ମସିହା ମେ ୧ ତାରିଖରେ କଟିହାର ଜିଲ୍ଲାର ଏକ ଗ୍ରାମରୁ ତାଙ୍କୁ ଗିରଫ କରାଯାଇଥିଲା । ଏସଟିଏଫ ଏବଂ ବିହାର ପୋଲିସ ମିଳିତ ଭାବେ ଏହି ମାଓ ନେତାଙ୍କ ସମେତ ସିପିଆଇର ଆଉ ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରିଥିଲେ । ବିଜୟ ଆର୍ଯ୍ୟଙ୍କ ବିରୁଦ୍ଧରେ ବିହାରରେ ମୋଟ ୧୨ଟି ଅପରାଧିକ ମାମଲା ରହିଛି । ସେ ଏବେ ଜେଲ୍ରେ ଅଛନ୍ତି ।