ଶ୍ରୀନଗର: ଆତ୍ମଗୋପନ କରିଥିବା 4 ହାର୍ଡକୋର ଆତଙ୍କବାଦୀଙ୍କୁ ଧରିବା ପାଇଁ କାଶ୍ମୀରବାସୀଙ୍କ ସହଯୋଗ ଲୋଡିଛି ଜାତୀୟ ତଦନ୍ତକାରୀ ସଂସ୍ଥା (NIA) । ଏନେଇ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ବିଭିନ୍ନ ସ୍ଥାନରେ 4 ଆତଙ୍କୀଙ୍କ ପୋଷ୍ଟର ଲଗାଇଛି ସଂସ୍ଥା । କେବଳ ପୋଷ୍ଟର ନୁହେଁ ସୂଚନା ସହ ପୋଲିସ କିମ୍ବା NIAକୁ ଯୋଗାଯୋଗ କଲେ ମିଳିବାକୁ ଥିବା ପୁରସ୍କାର ରାଶି ମଧ୍ୟ ପୋଷ୍ଟରରେ ଉଲ୍ଲେଖ ରହିଛି ।


ଏହି ପୋଷ୍ଟରରେ ଉଲ୍ଲେଖ ରହିଥିବା ଆତଙ୍କବାଦୀଙ୍କ ମଧ୍ୟରେ ଦୁଇ କାଶ୍ମୀରର ସ୍ଥାନୀୟ ଆତଙ୍କବାଦୀଙ୍କ ସମେତ 2 ସୀମାପାର ତଥା ପାକିସ୍ତାନୀ ଆତଙ୍କୀ ରହିଛନ୍ତି । ଏହି ଚାରିଜଣ ଆତଙ୍କବାଦୀଙ୍କ ପାଇଁ ସଂସ୍ଥା ମୁଣ୍ଡପିଛା 10 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛି । ଏହି ପୋଷ୍ଟର ମାଧ୍ୟମରେ NIA କୁଖ୍ୟାତ ପାକିସ୍ତାନୀ ନାଗରିକ ସଲିମ ରେହମାନୀ ଓରଫ ନବାବ ଶାହା, ସିନ୍ଧ ଏବଂ ସୈଫୁଲ୍ଲା ସାଜିଦ ଜାଟ ଏବଂ ସ୍ଥାନୀୟ ଶ୍ରୀନଗରର ସାଜଜାଦ ଗୁଲ ଏବଂ ବସିତ ଅହମ୍ମଦ ଦାରର ବିଷୟରେ ସୂଚନା ଲୋଡିଛି ।
ଜନସାଧାରଣଙ୍କ ପକ୍ଷରୁ ସୂଚନା ପାଇବା ପାଇଁ ଏନଆଇଏ ନିଜର ଇ-ମେଲ ଆଡ୍ରେସ, ଫୋନ୍ ନମ୍ବର ଏବଂ ହ୍ବାଟ୍ସଆପ ସହ ଟେଲିଗ୍ରାମ ନମ୍ବର ମଧ୍ୟ ପୋଷ୍ଟରରେ ଉଲ୍ଲେଖ କରିଛି । ସେହିପରି ସୂଚନା ପ୍ରଦାନକାରୀଙ୍କୁ ଅର୍ଥରାଶି ସହ ପୁରସ୍କୃତ କରିବା ସହ ପରିଚୟ ସମ୍ପୂର୍ଣ୍ଣ ଗୋପନୀୟ ରଖିବା ନେଇ ମଧ୍ୟ ତଦନ୍ତକାରୀ ସଂସ୍ଥା ପ୍ରତିଶୃତି ମଧ୍ୟ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ