ନୂଆଦିଲ୍ଲୀ: ଆମେରିକାର ନ୍ୟୁୟର୍କରୁ ଆଜି ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ସ୍ବିଡେନର ଷ୍ଟକହୋମରେ ଜରୁରୀ ଅବତରଣ କରିଛି । ମଝି ଆକାଶରେ ବିମାନର ଗୋଟିଏ ଇଞ୍ଜିନରୁ ତେଲ ଲିକ୍ ହେବାରୁ ବିମାନଟି ଦିଗ ବଦଳାଇ ଦିଲ୍ଲୀ ବଦଳରେ ଷ୍ଟକହୋମରେ ଅବତରଣ କରିଛି । ବିମାନରେ ପ୍ରାୟ ୩୦୦ ଯାତ୍ରୀ ଥିଲେ । ସମସ୍ତ ସୁରକ୍ଷିତ ଥିବା ସୂଚନା ମିଳିଛି । ଅନ୍ୟପଟେ ଏହି ତ୍ରୁଟି ଘଟଣାର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(DGCA) ପକ୍ଷରୁ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି ।
DGCAର ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆର ବୋଇଂ 777-300 ER ବିମାନ ନ୍ୟୁୟର୍କ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା । ଏଥିରେ ୮ ଜଣ ଶିଶୁଙ୍କ ସମେତ ୨୯୦ରୁ ଅଧିକ ଯାତ୍ରୀ ଥିଲେ । ଯାତ୍ରା ସମୟରେ ମଝି ଆକାଶରେ ବିମାନର ଗୋଟିଏ ଇଞ୍ଜିନରୁ ତେଲ ଲିକ୍ ହେଉଥିବା ଜଣାପଡିଥିଲା । ଏହା ଜାଣି ପାଇଲଟ ବିମାନର ଦିଗ ବଦଳାଇ ଏହାକୁ ଷ୍ଟକହୋମରେ ଜରୁରୀ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ବିମାନ ଷ୍ଟକହୋମ ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରାଯାଇଥିଲା ।
ଏହାମଧ୍ୟ ପଢନ୍ତୁ: ଦିଲ୍ଲୀ-ଦେବଘର ବିମାନରେ ବୋମା ଆତଙ୍କ, ଲକ୍ଷ୍ନୌରେ ଜରୁରୀ ଅବତରଣ
ଏନେଇ ସମ୍ପୃକ୍ତ ଏୟାରଲାଇନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି । ଯାନ୍ତ୍ରିକ ତ୍ରୁଟି ପାଇଁ ଆମେରିକା ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ସ୍ବିଡେନର ଷ୍ଟକହୋମରେ ଅବତରଣ କରିଥିବା କୁହାଯାଇଛି । ଏହାପୂର୍ବରୁ ଗତ ସୋମବାର ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଆଉ ଗୋଟିଏ ବିମାନ ଲଣ୍ଡନର ଅବତରଣ କରିଥିଲା । ମେଡିକାଲ ଏମର୍ଜେନ୍ସି ପାଇଁ ପାଇଲଟ ବିମାନକୁ ଲଣ୍ଡନରେ ଅବତରଣ କରିଥିବା ସୂଚନା ମିଳିଥିଲା ।
ଏହାମଧ୍ୟ ପଢନ୍ତୁ: ସୁଖୋଇରୁ ଅସ୍ତ୍ରର ସଫଳ ବ୍ୟବହାରିକ ପରୀକ୍ଷଣ, ଏୟାର ଟାର୍ଗେଟକୁ କଲା ଲକ୍ଷ୍ୟଭେଦ
ସରକାରୀ ତଥ୍ୟ ଅନୁସାରେ, ୨୦୨୧-୨୨ ମଧ୍ୟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ନେଇ ମୋଟ ୧,୦୯୦ଟି ଘଟଣା ପ୍ରକାଶ ପାଇଛି । ବିମାନ ଯାତ୍ରା ସମୟରେ ଏହି ତ୍ରୁଟି ଦେଖାଯାଇଛି । ଯେଉଁ କାରଣରୁ ପାଇଲଟ ବିମାନ ଅନ୍ୟତ୍ର ଅବତରଣ କରିଛନ୍ତି ନଚେତ୍ ପୁଣିଥରେ ଯାତ୍ରା ଆରମ୍ଭ କରିଥିବା ସ୍ଥାନକୁ ଫେରାଇ ନେଇଛନ୍ତି । ଦୁଇ ଦିନ ତଳେ ଦିଲ୍ଲୀରୁ ଦେବଘର ଯାଉଥିବା ଇଣ୍ଡିଗୋର ଏକ ବିମାନରେ ବୋମା ଥିବା ସୂଚନା ମିଳିଥିଲା । ଯେଉଁ କାରଣରୁ ବିମାନକୁ ଲକ୍ଷ୍ନୌ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା ।