ମୁମ୍ବାଇ: ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ବାହାରୁ ବିସ୍ଫୋରକ ଭର୍ତ୍ତି ଗାଡି ମିଳିବା ଘଟଣାରେ ଏନଆଇଏ ଯାଞ୍ଚ ମଧ୍ୟରେ ଅଚାନକ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କୁ ବଦଳି କରିଦେଇଛନ୍ତି ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର । ପରମବୀରଙ୍କ ସ୍ଥାନରେ ହେମନ୍ତ ନଗରାଲେ ହୋଇଛନ୍ତି ମୁମ୍ବାଇର ନୂଆ ପୋଲିସ କମିଶନର ।
1987 ବ୍ୟାଚ୍ ମହାରାଷ୍ଟ୍ର କ୍ୟାଡରର ବରିଷ୍ଠ ଆଇପିଏସ ଅଧିକାରୀ ହେମନ୍ତ ନଗରାଲେଙ୍କୁ ମୁମ୍ବାଇ ପୋଲିସ କମିଶନର ପଦରେ ନିଯୁକ୍ତ କରିଛନ୍ତି ସରକାର । ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ପ୍ରାଥମିକ ଶିକ୍ଷା ଲାଭ କରିଛନ୍ତି ନଗରାଲେ ।
ମାଓବାଦୀରୁ ଆତଙ୍କୀ ବିରୋଧରେ ପୋଲିସ ଫୋର୍ସର ମାଇଲଖୁଣ୍ଟ ନଗରାଲେ
ଆଇପିଏସ ହେବା ପରେ ପ୍ରଥମ ଥର ମହାରାଷ୍ଟ୍ରର ମାଓପ୍ରବଣ ଅଞ୍ଚଳ ଚନ୍ଦ୍ରପୁରରେ ହୋଇଥିଲା ନଗରାଲେଙ୍କ ପୋଷ୍ଟିଙ୍ଗ । 1992ରୁ 1994 ସମୟରେ ସୋଲାପୁର ଜିଲ୍ଲାର ଡିଏସପି ଦାୟିତ୍ବ ଓ 1992-93 ଦଙ୍ଗା ସମୟରେ ସୋଲାପୁର ସହରର ଆଇନ ଶୃଙ୍ଖଳାରକୁ ନିୟନ୍ତ୍ରଣରେ ରଖିଥିଲେ ନଗରାଲେ ।
1994 ରୁ 1996 ପର୍ଯ୍ୟନ୍ତ ରତ୍ନଗିରିର ଏସପି ଭାବରେ ଦାଭୋଲ ପାୱାର କର୍ପୋରେସନ ସହ ଜଡିତ ଜମି ଅଧିଗ୍ରହଣ ମାମଲାର ସମାଧାନ କରାଯାଇଥିଲେ ସେ । ଏହା ବ୍ୟତୀତ, 1996 ରୁ 1998 ପର୍ଯ୍ୟନ୍ତ, ସିଆଇଡି କ୍ରାଇମର ଏସପି ଭାବରେ, ସାରା ରାଜ୍ୟରେ ବ୍ୟାପିଥିବା ଏମପିଏସସି ପେପର ଲିକ୍ ଘୋଟାଲାର ଯାଞ୍ଚ ମାମଲାର ସାମାଧାନ କରିଥିଲେ । ଏହି ପଦବୀରେ ଥିବାବେଳେ ଅନେକ ବଡବଡ ଅପରାଧିକ ମାମଲାର ସାମାଧାନ ସହିତ ପୀଡିତମାନଙ୍କୁ ନ୍ୟାୟ ପ୍ରଦାନ କରିଥିଲେ ନଗରାଲେ ।
କେନ୍ଦ୍ରୀୟ ଏଜେନ୍ସିରେ ନଗରାଲେଙ୍କର ଥିଲା ବଡ ଦାୟିତ୍ବ
ଡେପୁଟେସନରେ 1998ରୁ 2002 ପର୍ଯ୍ୟନ୍ତ ହେମନ୍ତ ନାଗରାଲେ ସିବିଆଇରେ ରହିଥିଲେ । ଏହି ଅବଧିରେ ସେ ମୁମ୍ବାଇ ସିବିଆଇର ଡିଜି ଏବଂ ପରେ ଦିଲ୍ଲୀରେ ସିବିଆଇ ଡିଆଇଜି ଭାବରେ ଦାୟିତ୍ବ ତୁଲାଇଥିଲେ ।
26/11 ଆତଙ୍କବାଦୀ ଆକ୍ରମଣ ଘଟଣାରେ ବଞ୍ଚାଇଥିଲେ ଅନେକ ଜୀବନ
2008ରେ ହେମନ୍ତ ନାଗରାଲେଙ୍କୁ ସ୍ୱତନ୍ତ୍ର ଆଇଜି କରାଯାଇଥିଲା ଏବଂ ତାଙ୍କୁ ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ୍ ବିତରଣ କମ୍ପାନୀ ଲିମିଟେଡ୍ (MSEDCL)ର ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକ ଦାୟିତ୍ବ କରାଯାଇଥିଲା ହସ୍ତାନ୍ତର । ଏହି ବର୍ଷ 26 ନଭେମ୍ବରରେ ପାକିସ୍ତାନର ଆତଙ୍କବାଦୀମାନେ ମୁମ୍ବାଇ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀ ଆକ୍ରମଣ ଦେଖି ହେମନ୍ତ ନାଗରାଲେ ଘରୁ ବାହାରିବା ମାତ୍ରେ ସମ୍ଭାଳିଥିଲେ ମୋର୍ଚ୍ଚା । ଆହତମାନଙ୍କୁ ଉଦ୍ଧାର କରିବା ଏବଂ ସେମାନଙ୍କୁ ଡାକ୍ତରଖାନାକୁ ପଠାଇବା କାର୍ଯ୍ୟରେ ଲାଗିପଡିଥିଲେ ନଗରାଲେ ।
ଏହି ସମୟରେ ଯେଉଁ ବ୍ୟାଗରେ ଆରଡିଏକ୍ସ ରଖାଯାଇଥିଲା ତା ଉପରେ ନଗରାଲେଙ୍କର ପଡିଥିଲା ନଜର । ଟିକିଏ ବି ସମୟ ନଷ୍ଟ ନକରି ନଗରାଲେ ବ୍ୟାଗ ଉଠାଇ ଦୌଡ଼ିଯାଇ ଖୋଲା ପଡ଼ିଆରେ ଏକ ସୁରକ୍ଷିତ ସ୍ଥାନରେ ରଖି ବୋମା ନିଷ୍କ୍ରିୟକାରୀଙ୍କ ସାହାଯ୍ୟରେ ବୋମାକୁ ନିଷ୍କ୍ରିୟ କରିବା ସହିତ ଶହ ଶହ ଲୋକଙ୍କ ଜୀବନ ରକ୍ଷା କରିଥିଲେ। ନିଜର 4 ଜଣ ପୋଲିସ କର୍ମଚାରୀଙ୍କ ସହାୟତାରେ ତାଜ ହୋଟେଲରେ ଫସି ରହିଥିବା ଶହ ଶହ ଲୋକଙ୍କୁ ଉଦ୍ଧାର କରିଥିଲେ ନଗରାଲେ ।
ଡିଜି ହେଡକ୍ୱାର୍ଟରରେ ଆଡମିନିଷ୍ଟ୍ରେସନ ବିଭାଗର ସ୍ୱତନ୍ତ୍ର ଆଇଜି ଭାବେ ରହିଥିବାବେଳେ ହେମନ୍ତ ନାଗରାଲେ ପୋଲିସ ପାଇଁ ସ୍ୱାସ୍ଥ୍ୟ ଯୋଜନା ଆରମ୍ଭ କରିଥିଲେ। ମୁମ୍ବାଇ ପୋଲିସର ଯୁଗ୍ମ କମିଶନର ଭାବେ ପୋଲିସ କ୍ୱାର୍ଟର୍ସ ଆବଣ୍ଟନରେ ସ୍ୱଚ୍ଛତା ଆଣିଥିଲେ। 2014 ମସିହାରେ ହେମନ୍ତ ନାଗରାଲଙ୍କୁ ମଧ୍ୟ ସୀମିତ ସମୟ ପାଇଁ ମୁମ୍ବାଇ ପୋଲିସ କମିଶନର ପଦର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା ।