ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପଶାପାଲିରେ ବାଜିମାତ ପରେ ଏବେ ଦେଶରେ ଖେଳା କରିବା ମୁଡରେ ନଜର ଆସିଛନ୍ତି ମମତା ବାନାର୍ଜୀ । ଦିଲ୍ଲୀରେ ଦିଦିଙ୍କ ପାଦ ପଡିବା ପରେ ସରଗରମ ହୋଇଉଠିଛି ଜାତୀୟ ରାଜନୀତିର ପାଣିପାଗ ।
ଦେଶର ରାଜଧାନୀରେ ଡେରା ପକାଇଥିବା ମମତା ବିଜେପି ବିରୋଧରେ ନିଜର ସ୍ବରକୁ ଶାଣିତ କରିଛନ୍ତି । କେବଳ ଏତିକି ନୁହେଁ, ତମାମ ବିରୋଧୀ ନେତାଙ୍କୁ ଭେଟି ଏକଜୁଟ ହେବା ନେଇ ଅପିଲ କରିଛନ୍ତି ଦିଦି ।
ପଶ୍ଚିମବଙ୍ଗ ମୈଦାନରେ ବିଜୟ ହାସଲ କରିଥିବା ଦିଦି ଏବେ ପୁରା ଦେଶରେ ଖେଳା ହବେ ବୋଲି ଜୋର ଦେଇ କହିଛନ୍ତି । ବିରୋଧୀଙ୍କ ଏକତା ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୁରା ସିଷ୍ଟମ ରାଜନୈତିକ ଦଳଗୁଡିକ ଉପରେ ନିର୍ଭର କରେ । ଯଦି କେହି ଲିଡ କରିବାକୁ ଇଚ୍ଛୁକ, ତେବେ ମୋର କୌଣସି ଆପତ୍ତି ନାହିଁ । କାହାରି ଉପରେ ମତାମତ ଲଦିଦେବାକୁ ଚାହୁଁନାହିଁ ବୋଲି କହିଛନ୍ତି ମମତା ।
ଜଗନ ମୋହନ ରେଡ୍ଡୀ, ନବୀନ ପଟ୍ଟାୟକ, ଚନ୍ଦ୍ରବାବୁ ନାଇଡୁ, ଷ୍ଟାଲିନ, ଉଦ୍ଧବ ଠାକରେ ଓ ହେମନ୍ତ ସୋରେନଙ୍କ ଭଳି ତମାମ ବିରୋଧୀ ନେତାଙ୍କ ସହ ଭଲ ସମ୍ପର୍କ ରହିଥିବା କଥା କହିଛନ୍ତି ମମତା ବାନାର୍ଜୀ । ରାଜନୀତିରେ ଝଡ ସୃଷ୍ଟି ହେଲେ କେବେ ଏହାକୁ ରୋକାଯାଇପାରିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଦିଦି ।