ମୁମ୍ବାଇ: ବହୁଚର୍ଚ୍ଚିତ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲା(cruise drug case)ର ସାକ୍ଷୀ ପ୍ରଭାକର ସେଲଙ୍କ ମୃତ୍ୟୁ ହୋଇଯାଇଛି । ଶୁକ୍ରବାର ଚେମ୍ବୁର ଅଞ୍ଚଳରେ ସ୍ଥିତ ନିଜ ବାସଭବନରେ ତାଙ୍କର ମୃତ୍ୟୁ ଘଟିଛି । ସେ ହୃଦଘାତରେ ପ୍ରାଣ ହରାଇଥିବା ପ୍ରଭାକରଙ୍କ ଆଇନଜୀବୀ ସୂଚନା ଦେଇଛନ୍ତି । ପ୍ରଭାକର ସେଲ ହେଉଛନ୍ତି ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ସାକ୍ଷୀ ଏବଂ କିରଣ ଗୋସାଭିଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ । ସେ ମୁମ୍ବାଇ ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଉପରେ ଡ୍ରଗ୍ସ କେସରେ କୋଟି କୋଟି ଟଙ୍କା ଲାଞ୍ଚ ନେଇଥିବାର ସାଙ୍ଘାତିକ ଅଭିଯୋଗ କରିଥିଲେ ।
ପ୍ରଭାକର ସେଲ୍ ଦାବି କରିଥିଲେ ଯେ, କ୍ରୁଜ ପାର୍ଟି ରେଡ୍ ସମୟରେ ସେ କିରଣ ଗୋସାଭିଙ୍କ ସହ ଥିଲେ । ଗୋସାଭି ଆର୍ଯ୍ୟନ ଖାନଙ୍କୁ ବେଲ ପାଇଁ ଶାହାରୁଖ ଖାନଙ୍କ ମ୍ୟାନେଜର ଶ୍ୟାମଙ୍କୁ ଲାଞ୍ଚ ମାଗିଥିଲେ । ଶ୍ୟାମ୍ ସହ ସେ ଫୋନରେ ୨୫ କୋଟି ଟଙ୍କାର ଡିଲ୍ ନେଇ କଥାବାର୍ତ୍ତା ହୋଇଥିଲେ । ପରେ ୧୮ କୋଟି ଟଙ୍କାରେ ଡିଲ୍ ଫାଇନାଲ ହୋଇଥିଲା । ଏଥିସହ ସେହି ଟଙ୍କାରୁ କିଛି ସମୀର ୱାଙ୍ଖଡେଙ୍କୁ ମଧ୍ୟ ଦେବା ପାଇଁ ଯୋଜନା କରାଯାଇଥିବା ପ୍ରଭାକର ଅଭିଯୋଗ କରିଥିଲେ । ଫଳରେ ୱାଙ୍ଖଡେଙ୍କ ଉପରେ ତଦନ୍ତ ଚାଲିଥିଲା ।
ଏହି ହାଇପ୍ରୋଫାଇଲ ଡ୍ରଗ୍ସ ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଗିରଫ ହୋଇଥିଲେ । ୨୦୨୧ ଅକ୍ଟୋବର ୨ ତାରିଖରେ ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ୍ ସିପ୍ ଉପରେ ରେଡ୍ କରିଥିଲା ଏନସିବି । ଏଥିରେ ମୋଟ ୨୦ ଜଣଙ୍କୁ ଗିରଫ ହୋଇଥିଲେ । ହେଲେ ଆର୍ଯ୍ୟନ ଖାନଙ୍କ ଠାରୁ କୌଣସି ଡ୍ରଗ୍ସ ମିଳିନଥିଲା । କିନ୍ତୁ ୱାଙ୍ଖଡେଙ୍କ ବିରୁଦ୍ଧରେ କୋଟି କୋଟି ଟଙ୍କା ଲାଞ୍ଚ ନେବାର ଆରୋପ ଲାଗିଥିଲା । ଫଳରେ ପରବର୍ତ୍ତୀ ସମୟରେ ସେ ଏନସିବିରୁ ବିଦା ହୋଇଥିଲେ ।