ପାଟନା: ହିନ୍ଦୁ ମନ୍ଦିର ନିର୍ମାଣ ଲାଗି ଅଢେଇ କୋଟି ଟଙ୍କା ମୂଲ୍ୟର ଜମି ଦାନ କଲେ ମୁସଲିମ ପରିବାର । ବିହାରର ପୂର୍ବ ଚମ୍ପାରନ୍ ଜିଲ୍ଲାରେ ବାସିନ୍ଦା ଇସ୍ତିହାକ ମହମ୍ମଦ ଏହି ସମ୍ପତ୍ତି ଦାନ କରିଥିବା ସୂଚନା ରହିଛି । ଇସ୍ତିହାକ ପୂର୍ବ ଚମ୍ପାରଣର ବାସିନ୍ଦା ହୋଥିବାବେଳେ ସେ ପେସାରେ ଜଣେ ବ୍ୟବସାୟୀ ଓ ବର୍ତ୍ତମାନ ସେ ଗୌହାଟୀରେ ରହୁଥିବା ମଧ୍ୟ ସୂଚନା ମିଳିଛି ।
ସୂଚନା ଅନୁସାରେ ଏହି ଜମିରେ ବିଶ୍ୱର ସର୍ବବୃହତ ହିନ୍ଦୁ ମନ୍ଦିର ନିର୍ମାଣ ହେବ । ଏହି ପ୍ରସ୍ତାବିତ ପ୍ରକଳ୍ପର ମୁଖ୍ୟ ତଥା ପାଟନାସ୍ଥିତ ମହାବୀର ମନ୍ଦିର ଟ୍ରଷ୍ଟର ମୁଖ୍ୟ ଆଚାର୍ଯ୍ୟ କିଶୋର କୁନାଲ କହିଛନ୍ତି ଯେ, ଉକ୍ତ ପରିବାର ଜମି ଦାନ କରିଥିବାବେଳେ ଜମି ହସ୍ତାନ୍ତରଣର ସମସ୍ତ ସରକାରୀ ପ୍ରକ୍ରିୟା ଶେଷ ହୋଇଛି । କେଶରିଆ ଉପଖଣ୍ଡ ପଞ୍ଜୀକରଣ କାର୍ଯ୍ୟାଳୟରେ ସମସ୍ତ ଔପଚାରିକତା ଶେଷ ହୋଇଥିବା ଟ୍ରଷ୍ଟର ମୁଖ୍ୟ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଖାନ ଏବଂ ତାଙ୍କ ପରିବାରର ଏହି ସମ୍ପତ୍ତି ଦାନ କରିବା ଦୁଇ ସମ୍ପ୍ରଦାୟ ମଧ୍ୟରେ ସାମାଜିକ ସୌହାର୍ଦ୍ଦ୍ୟ ଏବଂ ଭାଇଚାରାର ଏକ ଉତ୍ତମ ଉଦାହରଣ ସଦୃଶ୍ୟ । ଅପର ପକ୍ଷର ଏହି ସହଯୋଗ ବିନା ଏହି ଭବ୍ୟ ମନ୍ଦିରର ପ୍ରକଳ୍ପ କଷ୍ଟକର ହୋଇଥାନ୍ତା । ମହାବୀର ମନ୍ଦିର ଟ୍ରଷ୍ଟ ଏହି ପ୍ରସ୍ତାବିତ ମନ୍ଦିର ନିର୍ମାଣ ପାଇଁ ଏପର୍ଯ୍ୟନ୍ତ 125 ଏକର ଜମି ହାସଲ କରିସାରି ଥିବାବେଳେ ଖୁବ୍ ଶୀଘ୍ର ଏହି ଅଞ୍ଚଳରେ ଆଉ 25 ଏକର ଜମି ମଧ୍ୟ ଟ୍ରଷ୍ଟକୁ ଯୋଗାଇ ଦିଆଯିବା ନେଇ ସେ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ