ମୁମ୍ବାଇ: ଅନଲାଇନରେ ପିଜା ଓ ଡ୍ରାଏ ଫ୍ରୁଡ୍ସ ମଗାଇବା ପଡିଲା ମହଙ୍ଗା । ଆକାଉଣ୍ଟରୁ ଗାଏବ ହୋଇଗଲା ୧୧ ଲକ୍ଷ ଟଙ୍କା । ପୂର୍ବରୁ ହରାଇଥିବା ଟଙ୍କା ଫେରିପାଇବା ଆଶାରେ ଜଣେ ବୃଦ୍ଧାଙ୍କ ଆକାଉଣ୍ଟରୁ ଠକ ଲୁଟି ନେଇଛନ୍ତି ଏହି ମୋଟା ଅଙ୍କର ଟଙ୍କା । ଏଭଳି ଠକାମିର ଶିକାର ହୋଇଛନ୍ତି ମହାରାଷ୍ଟ୍ରର ଜଣେ ବୃଦ୍ଧା । ଏନେଇ ବୃଦ୍ଧା ଜଣଙ୍କ ସାଇବର ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ଏହି ଠକାମି ସାମ୍ନାକୁ ଆସିଛି ।
ବୃଦ୍ଧା ଜଣଙ୍କ ୨୦୨୧ ଜୁଲାଇ ମାସରେ ଅନଲାଇନରେ ଏକ ପିଜା ଅର୍ଡର କରିବା ସମୟରେ ତାଙ୍କ ଆକାଉଣ୍ଟରୁ ୯ହଜାର ୯୯୯ଟଙ୍କା ଗାଏବ ହୋଇଯାଇଥିଲା । ଏହାପରେ ଅକ୍ଟୋବର ୨୯ରେ ସେ ଅନଲାଇନରେ ଡ୍ରାଏ ଫ୍ରୁଡ୍ସ ଅର୍ଡର କରିଥିଲେ । ଏହି ସମୟରେ ୧,୪୯୬ଟଙ୍କା ଆକାଉଣ୍ଟରୁ ମାଇନସ ହୋଇଯାଇଥିଲା । ତେବେ ଆକାଉଣ୍ଟୁ ଚାଲିଯାଇଥିବା ଏହି ଟଙ୍କାକୁ ପାଇବା ପାଇଁ ବୃଦ୍ଧା ଜଣଙ୍କ ଗୁଗୁଲରୁ ଏକ ନମ୍ବର ଆଣି ଜଣେ ବ୍ୟକ୍ତିଙ୍କୁ କଲ କରିଥିଲେ । ତେବେ ସେହି ବ୍ୟକ୍ତି ଜଣଙ୍କ ସହ ବୃଦ୍ଧା ଜଣଙ୍କ କଥା ହୋଇ ତାଙ୍କ ଟଙ୍କା କେମିତି ଫେରିପାଇବେ ସେନେଇ ପଚାରିଥିଲେ ।
ଏହାପରେ ସାଇବର ଠକ ଜଣଙ୍କ ତାଙ୍କୁ ପ୍ରଥମେ ଏକ ଆପ ଡାଉନଲୋଡ କରିବା ପାଇଁ କହିଥିଲେ ଏବଂ ସେଥିରେ ନିଜ ବ୍ୟାଙ୍କ ଆକାଉଣ୍ଟର ସବିଶେଷ ତଥ୍ୟ ଦେବାକୁ କହିଥିଲେ। ଏହା ପରେ ଗତବର୍ଷ ନଭେମ୍ବର ୧୫ରୁ ଡିସେମ୍ବର ୧ ମଧ୍ୟରେ ବୃଦ୍ଧାଙ୍କ ଆକାଉଣ୍ଟରୁ ୧୧.୭୮ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା । ଏହା ପରେ ବୃଦ୍ଧା ଜଣଙ୍କ ସାଇବର ଠକାମିର ଶିକାର ହୋଇଥିବା ଜାଣିପାରି ପୋଲିସକୁ ନେଇ ଖବର ଦେଇଥିଲେ । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ