ଲକ୍ଷ୍ନୌ: ଦିନ କେଇଟା ପରେ ଉତ୍ତରପ୍ରଦେଶ ବିଧାନସଭା ଫାଇଟ । ନିର୍ବାଚନ ବିଗୁଲ ବାଜିବା ପରେ ସପ୍ତାହକ ମଧ୍ୟରେ ବିଜେପିର ହାତ ଛାଡିଛନ୍ତି ଅନେକ ମନ୍ତ୍ରୀ ଓ ବିଧାୟକ । ବିଜେପିରୁ ଛୁଟୁଥିବା ନେତାଙ୍କ ସୁଅ ମିଶିଛି ସମାଜବାଦୀ ପାର୍ଟିରେ । ଦଳ ଅଦଳବଦଳ ନେଇ ୟୁପିରେ ହଟଚମଟ ଲାଗି ରହିଥିବାବେଳେ ଏବେ ସପାରେ ଘର ଢିଙ୍କି କୁମ୍ଭୀର ସ୍ଥିତି ସୃଷ୍ଟି ହୋଇଛି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ନିଜ ଭାଇ ବୋହୂ ସାଇକେଲ ଛାଡି ପଦ୍ମ ଧରିବେ ବୋଲି ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି(aparna yadav likely to join bjp) । ମୁଲାୟମ ସିଂହ ଯାଦବଙ୍କ ସାନ ବୋହୂ ତଥା ପ୍ରତୀକ ଯାଦବଙ୍କ ପତ୍ନୀ ହେଉଛନ୍ତି ଅପର୍ଣ୍ଣା ଯାଦବ । ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ କିଛି ଦିନ ହେଲା ବିଜେପି ଏବଂ ଅପର୍ଣ୍ଣାଙ୍କ ମଧ୍ୟରେ ଆଲୋଚନା ଚାଲିଛି ।
ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଉଭୟଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିବା ମଧ୍ୟ କୁହାଯାଉଛି । କହିରଖୁଛୁ କି, ଅପର୍ଣ୍ଣା ଯାଦବ ୨୦୧୭ ବିଧାନସଭା ନିର୍ବାଚନ ଲଢିଥିଲେ । ଲକ୍ଷ୍ନୌର କେଣଟ୍ଟ ଆସନରୁ ପ୍ରତିଦ୍ବନ୍ଦିତା କରି ଦ୍ବିତୀୟ ସ୍ଥାନରେ ରହିଥିଲେ । ବିଜେପି ପ୍ରାର୍ଥୀ ରୀତା ବହୁଗୁଣା ଯୋଶୀଙ୍କ ଠାରୁ ସେ ପରାଜିତ ହୋଇଥିଲେ ।