ପ୍ରାଗ୍: ତ୍ୟାଗ ଆଉ ତପସ୍ୟାର ପ୍ରତୀକ ମାଆ । ଏହି ଦୁଇ ଶବ୍ଦରେ ହିଁ ସାରା ଦୁନିଆ ଥାଏ । ମା' କେବଳ ଶବ୍ଦ କି ସମ୍ବୋଧନ ନୁହେଁ ସେ ଆମ ଜୀବନ ନାଆର ନାଉରୀ । ନିଜ ଛୁଆ ପାଇଁ ମାଆ ତାର ସୁରକ୍ଷା କବଚ ସବୁବେଳେ ସାଜିଥାଏ । ତେବେ ମାଆ ମମତାର ଆଉ ଏକ କାହାଣୀ ଦେଖିବାକୁ ମିଳିଛି ଚେକ ରିପବ୍ଲିକରେ ଥିବା ପ୍ରାଗ୍ ଚିଡିଆଖାନାରେ(Prague Zoo in Czech Republic) । ଯେଉଁଠାରେ ଏକ ହାତୀ ଛୁଆ ପ୍ରତି ମାଆର ସ୍ନେହ ଦେଖିବାକୁ ମିଳିଛି ।
ନିଜ ଛୁଆ ପାଇଁ ମାଆ ହାତୀଟି ସାହାଯ୍ୟ ମାଗୁଥିବା ଏହି ଆକର୍ଷଣୀୟ ଭିଡିଓ ଟ୍ୱିଟରରେ ସେୟାର କରାଯାଇଛି । ଏହି ଭିଡିଓଟିକୁ 12.5 ନିୟୁତ ଥର ଦେଖାଯାଇଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଛୁଆହାତୀଟି ଶୋଇପଡିଛି । ଆଉ ମାଆ ହାତୀ ତାକୁ ଉଠାଇବାକୁ ପ୍ରୟାସ କରିଥିଲା । ହେଲେ ଏଥିରେ ବିଫଳ ହେବାରୁ ସେ ଚିଡିଆଖାନର କର୍ମଚାରୀଙ୍କଠାରୁ ମଧ୍ୟ ସାହାଯ୍ୟ ମାଗୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ଏହାପରେ ଚିଡିଆଖାନାର କର୍ମଚାରୀମାନେ ଆସି ଛୁଆ ହାତୀକୁ ଜାଗ୍ରତ କରିବାକୁ ଚେଷ୍ଟା କରନ୍ତି । କିଛି ସମୟ ପରେ ଛୁଆହାତୀ ଉଠି ମାଆ ପାଖରେ ପହଞ୍ଚି ଥିଲା । ତେବେ ମାଆ ଓ ଛୁଆ ହାତୀରେ ଏଭଳି ଅନାବିଳ ପ୍ରେମ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ସଭିଏଁ । ତେବେ ମାଆ ହାତୀ ଓ ଛୁଆ ହାତୀର ଏ ଭିଡଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟିକୁ ଲୋକମାନେ ଏତେ ପସନ୍ଦ କରୁଛନ୍ତି ଯେ ଏହା 4.3 ଲକ୍ଷରୁ ଅଧିକ ଲାଇକ୍ ଏବଂ 65 ହଜାରରୁ ଅଧିକ କମେଣ୍ଟ ଆସି ସାରିଛି ।