ଇସଲାମାବାଦ: ପାକିସ୍ତାନରେ ଅନୈତିକତା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରବିବାର ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ବନ୍ଧୁକ ମୁନରେ ଜଣେ ମହିଳା ଏବଂ ତାଙ୍କ ଝିଅଙ୍କୁ ଅପହରଣ କରିନେଇ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏଭଳି ଘଟଣା ଘଟିଛି ଫଇସାଲାବାଦର ସଦର ଜରାନୱାଲା ଅଞ୍ଚଳରେ । ତେବେ ଏହି ଘଟଣା ଘଟିବାର ଦୀର୍ଘ 15 ଦିନ ପରେ ପୋଲିସ ଦୁଇ ସନ୍ଦିଗ୍ଧଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି ।
ପୋଲିସର ରିପୋର୍ଟ ଅନୁଯାୟୀ, 60 ବର୍ଷିୟା ମହିଳା ଏବଂ ତାଙ୍କ 37 ବର୍ଷିୟା ଝିଅ ଡଙ୍କି କାର୍ଟରେ ଯାଉଥିବା ବେଳେ ମୋଟରସାଇକେଲରେ ଦୁଇଜଣ ବ୍ୟକ୍ତି ସେମାନଙ୍କୁ ଅଟକାଇ ବନ୍ଧୁକ ଦେଖାଇ ନିକଟସ୍ଥ ଆଖୁ କ୍ଷେତକୁ ନେଇ ଯାଇଥିଲେ । ସେଠାରେ ସେମାନଙ୍କୁ ଯୌନ ନିର୍ଯାତନା ଦେବା ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସେହି ପାଖ ଗ୍ରାମର ବୋଲି ପୀଡିତା ପୋଲିସକୁ ସୂଚନା ଦେଇଛନ୍ତି ।
ଯଦିଓ ପୀଡିତାଙ୍କ ପରିବାର ଥାନାରେ ଅଭିଯୋଗର 15 ଦିନ ପରେ ପୋଲିସ ଏହି ଘଟଣାରେ ମାମଲା ରୁଜ୍ଜୁ କରିଥିଲା । ପୋଲିସର ସୂଚନାନୁସାରେ ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଉଭୟ ମହିଳାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ