ମୁମ୍ବାଇ: ଆସନ୍ତା 11 ତାରିଖରେ ମୁମ୍ବାଇ-ନାଗପୁର ସମୃଦ୍ଧି ଏକ୍ସପ୍ରେସୱେର (Mumbai-Nagpur Expressway) ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ୍ସପ୍ରେସୱେର ପ୍ରଥମ ପର୍ଯ୍ୟାୟରେ ନାଗପୁରରୁ ଶିରଡି ଯାଏ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି । ଏହାର ଉଦଘାଟନ କରିବେ ମୋଦି । ଏନେଇ ଶନିବାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଣ୍ଡାବିସ ସୂଚନା ଦେଇଛନ୍ତି ।
ଶନିବାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଣ୍ଡାବିସ ସୂଚନା ଦେଇ କହିଛନ୍ତି, "ମୁମ୍ବାଇ-ନାଗପୁର ସମୃଦ୍ଧି ଏକ୍ସପ୍ରେସୱେର (Mumbai-Nagpur Expressway) ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି । ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିବାବେଳେ ଅବଶିଷ୍ଟ ଆସନ୍ତା ମାସରେ ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । 500 କିମି ରାସ୍ତା ବିଶିଷ୍ଟ ଏହି ଏକ୍ସପ୍ରେସୱେ ଆସନ୍ତା 6 ମାସ ମଧ୍ୟରେ ଜନସାଧାରଣଙ୍କ ପାଇଁ ଖୋଲାଯିବ । " ଏହି ଏକ୍ସପ୍ରେସୱେ ମହାରାଷ୍ଟ୍ରରେ ଏକ ନୂତନ ଅର୍ଥନୈତିକ କରିଡର ନିର୍ମାଣ କରିବ ବୋଲି ସେ କହିଛନ୍ତି । ମୁମ୍ବାଇ-ନାଗପୁର ସମୃଦ୍ଧି ଏକ୍ସପ୍ରେସୱେ 14ଟି ଜିଲ୍ଲା ଓ ବନ୍ଦରଗୁଡ଼ିକୁ ସଂଯୋଗ କରିବ । ମୁମ୍ବାଇ-ପୁଣେ ଏକ୍ସପ୍ରେସୱ ପରେ ଏହା ରାଜ୍ୟର ଦ୍ବିତୀୟ ବୃହତ ଏକ୍ସପ୍ରେସୱେ ଅଟେ । ତେବେ ମୋଦିଙ୍କ ଗସ୍ତ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପ୍ରକଳ୍ପର ସମୀକ୍ଷା ପାଇଁ ଯିବେ । ତେବେ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି ।
ମହାରାଷ୍ଟ୍ର ସମୃଦ୍ଧି ରାଜପଥ
ମୁମ୍ବାଇ-ନାଗପୁର ସମୃଦ୍ଧି ଏକ୍ସପ୍ରେସୱେର 701 କିଲୋମିଟର ଲମ୍ବା ଏବଂ 8 ଲେନ ବିଶିଷ୍ଟ ରାଜପଥ ଅଟେ । ଏହା 150 କିଲୋମିଟର ସର୍ବୋଚ୍ଚ ବେଗ ପାଇଁ ଡିଜାଇନ କରାଯାଇଛି । 55000 କୋଟି ବ୍ୟୟରେ ନିର୍ମାଣ ହେଉଥିବା ଏକ୍ସପ୍ରେସୱେ ଆନୁଷ୍ଠାନିକ ଭାବେ ବାଲାସାହେବ ଠାକରେ ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗ ନାମରେ ଜଣାଣୁଣା । ଏହି ଏକ୍ସପ୍ରେସୱେ 14ଟି ଜିଲ୍ଲାର 392 ଗାଁ ଦେଇ ଯାଇଥାଏ । ଏକ୍ସପ୍ରେସୱେ ଦ୍ବାରା ମୁମ୍ବାଇରୁ ନାଗପୁର ପର୍ଯ୍ୟନ୍ତ ଯାତ୍ରା ସମୟ ହ୍ରାସ ପାଇବ । ପୂର୍ବରୁ ଏହା 16 ଘଣ୍ଟା ଲାଗୁଥିବାବେଳେ ବର୍ତ୍ତମାନ 8 ଘଣ୍ଟା ସମୟ ଲାଗିବ । 2019ରେ ମୁମ୍ବାଇ-ନାଗପୁର ସମୃଦ୍ଧି ଏକ୍ସପ୍ରେସୱେର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ସେପ୍ଟେମ୍ବର 2022 ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ମାତ୍ର କୋରୋନା ଯୋଗୁଁ ଏଥିରେ ବିଳମ୍ବ ହୋଇଛି ।