ନୂଆଦିଲ୍ଲୀ: କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂ ଏବଂ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଏକ ନୂଆ ମୋଡ ନେଇଛି । ଗୋଟିଏ ପଟେ କୁସ୍ତିଯୋଦ୍ଧା ବିନେଶ ଫୋଗଟ, ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣି ମୋର୍ଚ୍ଚା ଖୋଲିଛନ୍ତି । ହେଲେ ଏହି ମାମଲାର ପୀଡିତା ତାଲିକାରେ ଥିବା ଏକମାତ୍ର ନାବାଳିକା କୁସ୍ତିଯୋଦ୍ଧା ନିଜ ବୟାନ ବଦଳାଇଛନ୍ତି । ଅଭିଯୋଗକାରୀ ନାବାଳିକା କୁସ୍ତିଯୋଦ୍ଧାଙ୍କ ପିତା ଗଣମାଧ୍ୟମ ସାକ୍ଷାତକାରରେ କହିଛନ୍ତି, କୁସ୍ତି ଟ୍ରାଏଲ ସମୟରେ ତାଙ୍କ ଝିଅ ସହ ଭେଦଭାବ କରାଯାଇଥିଲା । ଯୌନ ଶୋଷଣର ନୁହେଁ । ସେ ପୂର୍ବରୁ କରିଥିବା ଅଭିଯୋଗରେ ସଂଶୋଧନ କରିଛନ୍ତି ଓ ନୂଆ ବୟନ ରେକର୍ଡ ମଧ୍ୟ କରାଇଛନ୍ତି ।
ନାବାଳିକା କୁସ୍ତିଯୋଦ୍ଧାଙ୍କ ପିତାଙ୍କ ଅନୁଯାୟୀ, 2022 ମସିହାରେ ଲକ୍ଷ୍ନୌରେ ଆୟୋଜିତ କୁସ୍ତି ଚାମ୍ପିଅନସିପ ଟ୍ରାଏଲରେ ରେଫରି ତାଙ୍କ ଝିଅ ପ୍ରତି ପକ୍ଷପାତିତା କରିଥିଲେ । ସେ ବାରମ୍ବାର କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟ ଭିକ୍ଷା କିରଥିଲେ । ହେଲେ କୌଣସି ସୁଫଳ ମିଳିନଥିଲା । ପରେ ତାଙ୍କୁ ଲକ୍ଷ୍ନୌ ଟ୍ରାଏଲରୁ ମଧ୍ୟ ବାଦ ଦିଆଯାଇଥଲା । ଫଳରେ ସେ କ୍ରୋଧିତ ହୋଇ କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିଲେ । ଏବେ ସେ କୋର୍ଟରେ ମାମଲା ପ୍ରତ୍ୟାହାର କରିନାହାନ୍ତି, ବରଂ କୋର୍ଟରେ ସମସ୍ତ ସତ୍ଯ ସାମ୍ନାକୁ ଆଣିଛନ୍ତି । ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ନୂଆ କରି ତାଙ୍କ ଝିଅର ବୟାନ ମଧ୍ୟ ରେକର୍ଡ କରାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ଯ ଯେ, ବ୍ରିଜଭୂଷଣଙ୍କ ବିରୋଧରେ ମୋଟ 7 ଜଣ କୁସ୍ତିଯୋଦ୍ଧା ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । ସେମାନଙ୍କ ମଧ୍ୟରେ ଏହି ନାବାଳିକା କୁସ୍ତିଯୋଦ୍ଧା ମଧ୍ୟ ଥିଲେ । ଅଭିଯୋଗକାରୀଙ୍କ ମଧ୍ୟରେ ଜଣେ ନାବାଳିକା ଥିବାରୁ ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କ ବିରୋଧରେ ପଞ୍ଜିକୃତ ହୋଇଥିବା ମାମଲାରେ ପକ୍ସୋ ଆକ୍ଟ ମଧ୍ୟ ଲଗାଇଥିଲା । ଯେଉଁଥିରେ 7 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ବ୍ୟବସ୍ଥା ରହିଛି । ହେଲେ ଏବେ ମାମଲାର ଏକମାତ୍ର ନାବାଳିକା ପୀଡାତା କୁସ୍ତିଯୋଦ୍ଧା ଅଭିଯୋଗକୁ ଚୟନରେ ଭେଦଭାବ ସମ୍ପର୍କିତ କହିବା ସହ ଯୌନ ଶୋଷଣ ନୁହେଁ ବୋଲି କହିଛନ୍ତି । ଏହା ପରେ ବ୍ରିଜଭୂଷଣଙ୍କ ବିରୋଧରେ ଚାଲିଥିବା ମାମଲାରୁ ପକ୍ସୋ ଆକ୍ଟ ପ୍ରତ୍ୟାହାର ହେବା ପ୍ରାୟ ଏକପ୍ରକାର ସ୍ପଷ୍ଟ ଦୃଶ୍ୟମାନ ହେଉଛି ।
ଅନ୍ଯପଟେ ଗତ ଦୁଇ ଦିନ ତଳେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଆଲୋଚନା ପରେ କୁସ୍ତିଯୋଦ୍ଧାମାନେ ସେମାନଙ୍କ ଧାରଣା ସାମୟିକ ବନ୍ଦ ରଖିଛନ୍ତି । କାରଣ ଚଳିତ 15 ତାରିଖ ମଧ୍ୟରେ ମାମଲାର ତଦନ୍ତ ଓ ଚାର୍ଜସିଟ ଦାଖଲ ପ୍ରକ୍ରିୟା ଶେଷ ହେବା ନେଇ ନିଜେ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବଧି ମଧ୍ୟରେ ମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ଖିଲାପ ହେଲେ ସେମାନେ ପୁଣି ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବା ନେଇ କୁସ୍ତିଯୋଦ୍ଧା କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ