ଲକ୍ଷ୍ନୌ: ବର୍ତ୍ତମାନ ଦେଶର ଚର୍ଚ୍ଚିତ ପ୍ରସଙ୍ଗ ସାଜିଛି ଲଖୀମପୁର ଖେରୀ ହିଂସାକାଣ୍ଡ । ରବିବାର ଆନ୍ଦୋଳନରତ ଚାଷୀଙ୍କ ଉପରେ କାର ମାଡିଯାଇ ମୃତ୍ୟୁ ଘଟଣା ପରେ ସମଗ୍ର ଅଞ୍ଚଳରେ ଉଗ୍ର ରୂପ ନେଇଛି ଜନଅସନ୍ତୋଷ । ଏହି ଘଟଣାକୁ ପ୍ରତିବାଦ କରିବା ସହ ମୃତ ଚାଷୀଙ୍କୁ ନ୍ୟାୟ ଦେବାକୁ ଦାବି କରି ବିଭିନ୍ନ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇଥିଲେ । ଯାହାକୁ ନେଇ ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଉତ୍ୟକ୍ତ ଲୋକେ । ଘଟଣାସ୍ଥଳରେ ବ୍ୟାପକ ଉତ୍ତେଜନା ସୃଷ୍ଟି ହେବା ସହ ବିକ୍ଷୋଭକାରୀ ପୋଲିସକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ । ଲଖୀମପୁର ଖେରୀ ଘଟଣାକୁ ବିରୋଧ କରି ଘଟିଥିବା ଏହି ହିଂସାକାଣ୍ଡ ଘଟଣାରେ ବହୁ ପୋଲିସ କର୍ମୀ ଆହତ ହୋଇଥିବା ଜଣାପଡିଛି । ଏହି ମାମଲାରେ ମଙ୍ଗଳବାର ୧୮ ଜଣଙ୍କୁ ଗିରଫ କରିଛି ପୋଲିସ । ଏନେଇ ମେରଟ ଏସପି ବିନିତ ଭଟ୍ଟନଗର ସୂଚନା ଦେଇଛନ୍ତି ।
ଏସପି କହିଛନ୍ତି, ଲଖୀମପୁର ଖେରୀ ଘଟଣାକୁ ନେଇ କିଛି ସଙ୍ଗଠନ ଆଇନକୁ ହାତକୁ ନେଇଥିଲେ । ଏହି ହିଂସାକାଣ୍ଡ ସମୟରେ ବହୁ ପୋଲିସ କର୍ମୀ ନିଆଁରେ ପୋଡି ହୋଇ ଆହତ ହୋଇଛନ୍ତି । ଯାହାକୁ ଭିତ୍ତି କରି ୧୮ ଜଣଙ୍କୁ ଗିରଫ ଗିରଫ କରାଯାଇଛି ।
ସେପଟେ ସଂୟୁକ୍ତ କିଷାନ ମୋର୍ଚ୍ଚା(SKM) ଏକ ବିବୃତ୍ତି ଜରିଆରେ କହିଛି ଯେ, ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡି ଚଢିଯିବା ଯୋଗୁଁ ୪ ଜଣ କୃଷକଙ୍କ ମୃତ୍ୟୁ ହୋଇଥିବାବେଳେ ସେ ୪ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହାକୁ ଆଶିଷ ମିଶ୍ର ଖଣ୍ଡନ କରି ସେଦିନ ସେ ଘଟଣାସ୍ଥଳରେ ନଥିଲେ ବୋଲି ସଫେଇ ଦେଇଛନ୍ତି ।
@ANI