ଲକ୍ଷ୍ନୌ: ଉତ୍ତରପ୍ରଦେଶ କନୌଜ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ କୌଣସି ଦୁର୍ବୃତ୍ତ ଏକ ମନ୍ଦିର ଭିତରକୁ କିଛି ମାଂସ ଖଣ୍ଡ ଫିଙ୍ଗିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ଯାହା ସୂଚନା ରହିଛି, କନୌଜ ଜିଲ୍ଲାର ରସୂଲାବାଦ ଗ୍ରାମ ମନ୍ଦିରରେ ମାଂସଗୁଡିକ ଫିଙ୍ଗା ଯାଇଥିଲା । ସକାଳୁ ପୂଜା ପାଇଁ ଆସିଥିବା ବେଳେ ପୂଜକ ମନ୍ଦିର ପରିସରରେ ମାଂସ ଖଣ୍ଡ ପଡିଥିବାର ଦେଖିଥିଲେ । ଏହି ଘଟଣା ଜଣାପଡିବା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ଲୋକେ ମନ୍ଦିର ନିକଟରେ ଥିବା ତିନୋଟି ମାଂସ ଦୋକାନ ଜାଳି ଦେଇଛନ୍ତି । ଶନିବାର ଏଭଳି ଅଶୋଭନୀୟ ଘଟଣା ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ରସୂଲାବାଦ ଗ୍ରାମ ମନ୍ଦିରରେ ମାଂସ ଖଣ୍ଡଗୁଡିକ ଫିଙ୍ଗା ଯାଇଥିଲା । ଭୋର୍ ୪ଟାରୁ ମନ୍ଦିର ପୂଜକ ଜଗଦୀଶ ଜାଟବ ପୂଜା ପାଇଁ ଆସିବା ବେଳେ ଏହାକୁ ଦେଖିଥିଲେ ଏବଂ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ । ଏହାର ପ୍ରତିବାଦରେ ଗ୍ରମବାସୀ ବିକ୍ଷୋଭ ପ୍ରଦର୍ଶନ ଓ ରାସ୍ତା ଅବରୋଧ କରିବା ସହ ଥାନାରେ ଅଭିଯୋଗ କରିଥିଲେ । ଏଥିସହିତ ବିକ୍ଷୋଭକାରୀ ମନ୍ଦିର ନିକଟରେ ଥିବା ତିନୋଟି ମାଂସ ଦୋକାନରେ ନିଆଁ ଲଗାଇ ଦେଇଥିଲେ । ଏ ସମ୍ପର୍କରେ ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି । କୌଣସି ପ୍ରକାର ଅପ୍ରିତୀକର ପରିସ୍ଥିତିକୁ ଏଡାଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ପୋଲିସର ଏକ ଟିମ୍ ମୁତୟନ କରାଯାଇଛି । କିନ୍ତୁ ମନ୍ଦିର ପରିସରରେ କିଏ ମାଂସ ଖଣ୍ଡ ଫିଙ୍ଗିଲା ତାହା ଏ ଯାଏଁ ଜଣାପଡି ନାହିଁ । ପୋଲିସ ଏହି ଘଟଣାରେ ଛାନଭିନ୍ କରୁଛି । ଏଭଳି କାଣ୍ଡ ଭିଆଇ ଥିବା ଦୁର୍ବୃତ୍ତଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କନୌଜ ଜିଲ୍ଲାପାଳ ଜଣାଇଛନ୍ତି ।