ଲକ୍ଷ୍ନୌ: ଗାଈକୁ ଜାତୀୟ ପଶୁ ଘୋଷଣା କରିବା ପାଇଁ ଅଲ୍ଲାହାବାଦ ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ଏହାକୁ ଦାରୁଲ ଉଲୁମ ଫରାଙ୍ଗୀ ମହଲର ମୁଖପାତ୍ର ମୌଲାନା ସୁଫିୟାଁ ନିଜାମି ସ୍ବାଗତ କରିଛନ୍ତି । କେନ୍ଦ୍ର ସରକାର ହିନ୍ଦୁ ଭାଇଭଉଣୀଙ୍କ ବିଶ୍ବାସକୁ ଦୃଷ୍ଟିରେ ରଖି ଏ ସମ୍ପର୍କରେ ଆଲୋଚନା କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ଦେଶରେ ଗାଈଙ୍କୁ ସୁରକ୍ଷା ଦେବା ପାଇଁ ଏକ ଆଇନ ପ୍ରଣୟନ କରାଯିବା ଉଚିତ । ଏହାଦ୍ବାରା ଗାଈମାନେ ସୁରକ୍ଷିତ ରହିବା ସହିତ ସେମାନଙ୍କୁ ଗୋମାତା ହିସାବରେ ସମ୍ମାନ ଦିଆଯିବ ବୋଲି କହିଛନ୍ତି ନିଜାମି । ଏହି ପ୍ରସଙ୍ଗରେ ଆହ୍ଲାବାଦ କୋର୍ଟଙ୍କ ରାୟ ନିହାତି ନ୍ୟାୟ ସାପେକ୍ଷ । କେନ୍ଦ୍ର ସରକାର ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବା ଉଚିତ ବୋଲି ସେ କହିଛନ୍ତି । ଏହାଦ୍ବାରା ଦେଶରେ କୋଟି କୋଟି ହିନ୍ଦୁ ସମ୍ପ୍ରଦାୟର ଲୋକମାନଙ୍କୁ ସମ୍ମାନ ମିଳିବା ସହିତ ଗୋମାତାକୁ ମଧ୍ୟ ସମ୍ମାନ ମିଳିପାରିବ ବୋଲି ନିଜାମି କହିଛନ୍ତି ।
ଏହା ବି ପଢନ୍ତୁ: ଗାଈକୁ ଜାତୀୟ ପଶୁ ମାନ୍ୟତା, କେନ୍ଦ୍ରକୁ ଆହ୍ଲାବାଦ ହାଇକୋର୍ଟଙ୍କ ପରାମର୍ଶ
ତେବେ ସୂଚନା ଥାଉ କି ଗତ ବୁଧବାର ଗାଈକୁ ଜାତୀୟ ପଶୁ ଭାବେ ଘୋଷଣା କରିବାକୁ ଆହ୍ଲାବାଦ କୋର୍ଟ ପରାମର୍ଶ ଦେଇଥିଲେ । ଗାଈ ବା ଗୋମାତା ସହିତ ଜଡ଼ିତ ପାରମ୍ପରିକ ନୀତି, ବୈଦିକ, ପୁରାଣ, ସାଂସ୍କୃତିକ ଗୁରୁତ୍ବ ଏବଂ ସାମାଜିକ ଉପଯୋଗୀତାକୁ ଧ୍ୟାନରେ ରଖି କୋର୍ଟ ଏହି ରାୟ ଶୁଣାଇଥିଲେ । ଭାରତରେ ଗାଈଙ୍କୁ 'ଗୋମାତା' ଭାବେ ବିବେଚନା କରାଯାଏ । ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ଏଭଳି ବିଶ୍ବାସ ରଖନ୍ତି ।
ଏଣୁ ବିଶ୍ବାସ ଉପରେ ଆଘାତ କଲେ ଦେଶ ଦୁର୍ବଳ ହୋଇଯିବ ବୋଲି ମଧ୍ୟ କୋର୍ଟ କହିଛନ୍ତି । କୋର୍ଟ ଗାଈଙ୍କୁ ହତ୍ୟା କରିଥିବା ଜାଭେଦଙ୍କ ମାମଲା ଉପରେ ଏହି ଶୁଣାଣି କରିଥିଲେ । ଉତ୍ତରପ୍ରଦେଶର ପ୍ରୟାଗରାଜ ଅଞ୍ଚଳରେ ଜାଭେଦ ଖୀଳେନ୍ଦ୍ର ସିଂଙ୍କ ଗାଈକୁ ନେଇ ହତ୍ୟା କରିଥିଲା । ଏହି ଘଟଣାରେ ଜାଭେଦଙ୍କୁ ଗିରଫ କରାଯାଇ ମାର୍ଚ୍ଚ ୮ ତାରିଖରୁ ସେ ଜେଲରେ ଥିଲେ । ଏହି ମାମଲାରେ ଶୁଣାଣି କରିବା ସମୟରେ କୋର୍ଟ ଗାଈକୁ ଜାତୀୟ ପଶୁ ଭାବେ ଘୋଷଣା କରିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ