ନୂଆଦିଲ୍ଲୀ: ଚୀନ ସହ ଜାରି ଉତ୍ତେଜନା ମଧ୍ୟରେ ପୂର୍ବ ଲଦାଖରେ ବଢିଛି ସେନାର ଶକ୍ତି । ଏପ୍ରିଲ ଓ ମେ ମାସରେ ଆରମ୍ଭ ହୋଇଥିବା ଭାରତ-ଚୀନ ବିବାଦରେ କୌଣସି ପୂର୍ଣ୍ଣଛେଦ ପଡିବା ପରି ନଜର ଆସୁନି । ଏପରିସ୍ଥିତିରେ ଭାରତ ଏକ ବଡ ପଦକ୍ଷେପ ନେଇ ପାଙ୍ଗୋଙ୍ଗ ହ୍ରଦରେ ମୁତୟନ କରିଛି ମାକ୍ରୋସ(MARCOS) ଅର୍ଥାତ ମରୀନ କମାଣ୍ଡୋଜ୍ ।
ପୂର୍ବରୁ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ ବାୟୁସେନାର ଗରୁଡ ଓ ସେନାର ପାରା ସ୍ପେଶାଲ ଫୋର୍ସର ଯବାନଙ୍କୁ ବିବାଦର ପ୍ରଥମ ଦିନରୁ ହିଁ ମୁତୟନ କରାଯାଇଥିଲା । ହେଲେ ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ସୂତ୍ର ଅନୁଯାୟୀ ଲଦାଖରେ ତିନି ସେନା ମଧ୍ୟରେ ଏକତା ବୃଦ୍ଧି ପାଇଁ ମାକ୍ରୋସକୁ କରାଯାଇଛି ମୁତୟନ ।
ସୂଚନା ଅନୁଯାୟୀ, ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ ମାର୍କୋସ ମତୁତୟନ କରାଯାଇଛି ଯେଉଁଠାରେ ଏପ୍ରିଲ ଓ ମେ ମାସରୁ ଭାରତୀୟ ଏବଂ ଚୀନ ସେନା ମଧ୍ୟରେ ସୃଷ୍ଟି ହୋଇଥିଲା ଉତ୍ତେଜନା । ସରକାରୀ ସୂତ୍ର ନ୍ୟୁଜ୍ ଏଜେନ୍ସିକୁ କହିଛି ଯେ ପାଙ୍ଗଙ୍ଗ ହ୍ରଦ ନିକଟରେ ପ୍ରତିକୂଳ ପାଗ ପାଇଁ ନୌସେନା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ନୌସେନା କମାଣ୍ଡୋ ମୁତୟନ କରାଯାଇଛି । ତେବେ ଖୁବ ଶିଘ୍ର ହ୍ରଦରେ ଅପରେସନ ପାଇଁ ନୌସେନା କମାଣ୍ଡୋଙ୍କୁ ବୋଟ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।
ଏହାପୂର୍ବରୁ, ବିବାଦର ପ୍ରାରମ୍ଭିକ ଦିନରେ ଭାରତୀୟ ବାୟୁସେନାର ଗରୁଡ ୟୁନିଟ୍ ଏଲଏସିର ପର୍ବତ ଶିଖରରେ ପହଞ୍ଚିଥିଲା । ଆକାଶରେ ଶତ୍ରୁଙ୍କ ଉପରେ ନଜର ରଖିବା ପାଇଁ ବାୟୁସେନା ଏହି ପଦକ୍ଷେପ ନେଇଥିଲା । ଏଥି ସହିତ ଏଲଏସିର ଅପର ପାର୍ଶ୍ବରେ ଚୀନ ମଧ୍ୟ ଏହାର ସ୍ବତନ୍ତ୍ର ସୈନ୍ୟ ବାହିନୀ ମୁତୟନ କରିଛି ।