ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଶ୍ରାବସ୍ତି ଜିଲ୍ଲାରେ ଅତ୍ୟନ୍ତ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଗୋଟିଏ କାର୍ ଖାଇକୁ ଓଲଟି ପଡିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ଗୋଟିଏ ପରିବାରର ସଦସ୍ୟ । ଶନିବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । କାର୍ ଚାଳକ ଗାଈକୁ ବଞ୍ଚାଇବାକୁ ଯାଇ ହଠାତ୍ ଗାଡି ବୁଲାଇ ଦେଇଥିଲେ । ଫଳରେ କାର୍ ଏକ ଗଛରେ ପଟି ହୋଇ ଖାଇକୁ ଖସି ପଡିଥିଲା । ଫଳରେ ଦୁଇ ଜଣ ଶିଶୁଙ୍କ ସମେତ ଗୋଟିଏ ପରିବାରର ୬ ଜଣଙ୍କ ଜୀବନ ଚାଲି ଯାଇଛି ।
ପୋଲିସର ସୂଚନା ଅନୁସାରେ, ବୈଭବ ଗୁପ୍ତା ନାମକ ବ୍ୟକ୍ତିଙ୍କ ଘର ନେପାଳର ନେପାଳଗଞ୍ଜ ଅଞ୍ଚଳରେ । ଗତକାଲି ବୈଭବ ନିଜର ପରିବାର ଲୋକଙ୍କ ସହ ଶ୍ରାବସ୍ତି ଜିଲ୍ଲା ବଳରାମପୁରରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ । ଏହାପରେ ସନ୍ଧ୍ୟାରେ ପୁଣିଥରେ କାରରେ ନେପାଳଗଞ୍ଜ ଫେରୁଥିଲେ । ବଳରାମପୁର ଜାତୀୟ ରାଜପଥରେ କାର୍ ଆଗକୁ ବଢୁଥିବା ବେଳେ ହଠାତ୍ ଗୋଟିଏ ଗାଈ ସାମ୍ନାକୁ ଚାଲି ଆସିଥିଲା । ଫଳରେ କାର୍ ଡ୍ରାଇଭର ଗାଈକୁ ବଞ୍ଚାଇ ଯାଇ ଭାରସାମ୍ୟ ହରାଇଥିଲେ ଏବଂ ଗାଡି ଏକ ଗଛରେ ପିଟି ହୋଇ ପାଖରେ ଥିବା ଖାଇକୁ ଓଲଟି ପଡିଥିଲା । ଦୁର୍ଘଟଣାରେ କାର୍ ପୁରା ଚୁରମାର୍ ହୋଇଯାଇଥିଲା ।
ଏହାମଧ୍ୟ ପଢନ୍ତୁ: ଟ୍ରାକ୍ଟର-ଡମ୍ଫର ମୁହାଁମୁହିଁ ଧକ୍କା: ୫ ମୃତ, ୧୬ ଆହତ
ଖବର ପାଇବା ମାତ୍ରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କଟର ମେସିନରେ ଗାଡିକୁ କାଟି ଡ୍ରାଇଭରଙ୍କ ସମେତ ଗାଡିରେ ଥିବା ୭ ଜଣଙ୍କୁ ବାହାର କରାଯାଇଥିଲା । ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଦୁଇ ଜଣ ଶିଶୁଙ୍କ ସମେତ ୫ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଅବସ୍ଥାରେ ବୈଭବଙ୍କୁ ବହରାଇଚ ମେଡିକାଲ କଲେଜକୁ ରେଫର୍ କରାଯାଇଥିଲା । କିନ୍ତୁ ସେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ । ତେବେ ଦୁର୍ଘଟଣାରେ କାର୍ ଡ୍ରାଇଭରଙ୍କ ଜୀବନ ବଞ୍ଚିଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଚିକିତ୍ସା ଚାଲିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଟ୍ରାକ୍ଟର ଗୋଟିଏ ଡମ୍ଫର ସହ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଟ୍ରାକ୍ଟରରେ ୫୦ରୁ ୬୦ ଜଣ ଥିଲେ । ଏହି ଦୁଃଖଦ ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ପୁଣି ଶ୍ରାବସ୍ତି ଜିଲ୍ଲାରେ ଏହି କାର୍ ଦୁର୍ଘଟଣା ଘଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ