ନୂଆଦିଲ୍ଲୀ: ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟି (delhi sikh gurdwara management committee, DSGMC)ର ସଭାପତି ଥିବା ମଞ୍ଜିନ୍ଦର ସିଂ ସିର୍ସା ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ଶେଖୱାତ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସିର୍ସା ବିଜେପିରେ ସାମିଲ ହୋଇଛନ୍ତି । ଦଳରେ ସାମିଲ ହେବା ଅବସରରେ ଗଜେନ୍ଦ୍ର ଶେଖୱାତ କହିଛନ୍ତି ଯେ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସିର୍ସା ଉତ୍ତର ଭାରତ ରାଜନୀତିରେ ମୁଖ୍ୟ ଶିଖ ଚେହେରା । ଏଥିସହ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସିର୍ସାଙ୍କ ଯୋଗଦାନ ଦଳକୁ ମଜବୁତ କରିବ ବୋଲି କହିଛନ୍ତି ।
ଅକାଳି ଦଳ ନେତା ମନଜିନ୍ଦର ସିଂ ସିର୍ସା ଆଜି (ବୁଧବାର) ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟିର ସଭାପତି ପଦରୁ ଇସ୍ତଫା ଦେଇଥିଲେ । ପରିଚାଳନା କମିଟି ସଦସ୍ୟ ଓ କର୍ମଚାରୀଙ୍କୁ ଚିଠି ଲେଖି ସେ ଏହି ଇସ୍ତଫା ନିଷ୍ପତ୍ତି ଜଣାଇଛନ୍ତି । ନିଜ ବ୍ଯକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା ଚିଠିରେ ଦର୍ଶାଇଛନ୍ତି ସିର୍ସା ।
ଏହା ସହିତ ସେ delhi sikh gurdwara management committee, DSGMC ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି । ଚଳିତଥର DSGMC ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ପରାସ୍ତ ହୋଇଥିଲେ ସିର୍ସା । ତେବେ ପରାସ୍ତ ହେବା ପରେ ସୁଦ୍ଧା ସୁଖବିନ୍ଦର ସିଂ ବାଦଲ ତାଙ୍କୁ କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ବରେ ଅବସ୍ଥାପିତ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ