ହାଇଦ୍ରାବାଦ: ପୁଅର ବିବାହ ପାଇଁ ଭଲ ଝିଅଟିଏ ଖୋଜି ପାରିଲେନି ମାଆ । ଏଥିରେ ରାଗିଯାଇ ମାଆକୁ ନୃଶଂସ ଭାବେ ହତ୍ୟା କଲା ପୁଅ । ଏଭଳି ଆଶ୍ଚର୍ଯ୍ୟ କଲାଭଳି ଘଟଣା ଘଟିଛି ତେଲେଙ୍ଗାନାର ସିଦ୍ଦିପେଟ ଜିଲ୍ଲାରେ । ବିବାହ ନ ହୋଇ ପାରିବାରୁ ପୁଅ ନିଜର ଜନ୍ମକଲା ମାଆକୁ ଅତି ନିର୍ମମ ଭାବେ ହତ୍ୟା କରିଛି । ହତ୍ୟା ପରେ ଏହାକୁ ଚୋରିର ରୂପ ଦେବାକୁ ମାଆର ତଣ୍ଟି କାଟିବା ସହ ଗୋଡକୁ କାଟି ଖଣ୍ଡ ଖଣ୍ଡ କରି ଦେଇଥିବା ପୋଲିସ ସୂଚନା ଦେଇଛି । ଘଟଣାରେ ଅଭିଯୁକ୍ତ ପୁଅ ସମେତ ଜଣେ ସମ୍ପର୍କୀୟ ଗିରଫ ହୋଇଛନ୍ତି ।
ମାଆ ପୁଅର ସମ୍ପର୍କ ସବୁଠୁ ମଧୁର ହୋଇଥାଏ । ଅନ୍ତଫାଡି ଜନ୍ମ ଦେଇଥିବା ମାଆ ପୁଅର ଖୁସି ପାଇଁ ସବୁକିଛି କରିପାରେ । ହେଲେ ବିବାହ ପାଇଁ ଭଲ ଝିଅଟେ ନପାଇବାରୁ ଜଣେ ପୁଅ ସେହି ମାଆକୁ ନିର୍ମମ ଭାବେ ହତ୍ୟା କରିବା ଆଲୋଡନ ସୃଷ୍ଟି କରିଛି । ବୁଧବାର ବିଳମ୍ବିତ ରାତିରେ ସିଦ୍ଦିପେଟ ଜିଲ୍ଲା ବାଣ୍ଡା ମୈଲାରମ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି । ଏନେଇ ମୃତ ୪୫ ବର୍ଷୀୟା ମହିଳାଙ୍କ ଝିଅ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ସନ୍ଦେହରେ ଅଭିଯୁକ୍ତ ପୁଅ ଓ ଆଉ ଜଣେ ସମ୍ପର୍କୀୟଙ୍କ ଥାନାରେ ଅଟକ ରଖିଥିଲା । ପଚରାଉଚରା ବେଳେ ଦୁହେଁ ପୋଲିସ ଆଗରେ ନିଜର ଅପରାଧ ସ୍ବୀକାର କରିଛନ୍ତି ।
ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ପୁଅ ସମ୍ପର୍କୀୟ ସହ ମିଶି ପ୍ରଥମେ ମାଆକୁ ଇଟାରେ ପିଟିପିଟି ହତ୍ୟା କରିଥିଲା । ପୋଲିସକୁ ଚକମା ଦେବାକୁ ହତ୍ୟାକୁ ଚୋରିର ରୂପ ଦେବା ପାଇଁ ଚେଷ୍ଟା କରିଥିଲା । ସେଥିପାଇଁ ହତ୍ୟା ପରେ ମାଆର ଗଳା କାଟିବା ସହ ଧାରୁଆ ଅସ୍ତ୍ରରେ ଗୋଡକୁ ହାଣି ଖଣ୍ଡ ଖଣ୍ଡ କରିଦେଇଥିଲା ।
ଏହାମଧ୍ୟ ପଢନ୍ତୁ: ବନ୍ଧୁତାରେ ରକ୍ତର ଛିଟା, ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଦୁଇ ସାଙ୍ଗ
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ତିନି ଦିନ ତଳେ ମହାରାଷ୍ଟ୍ର ପାଲଘର ଜିଲ୍ଲାରେ ଜଣେ ୧୭ ବର୍ଷୀୟ ନାବାଳକ ନିଜ ମାଆର ଚରିତ୍ରକୁ ସନ୍ଦେହ କରି ତାଙ୍କୁ ହତ୍ୟା କରିଥିଲା । ରାତିରେ ମାଆ କାହାକୁ ମେସେଜ କରିଥିଲେ । ଏହାଦେଖି ନାବାଳକ ପୁଅ ଖୁବ୍ ଜୋରରେ ରାଗି ଯାଇଥିଲା । ଘରୁ ଗୋଟିଏ କୁରାଢୀ ଆଣି ମାଆକୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲ ନିଆଯିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।