ଜୟପୁର: ଅସହ୍ୟ ହେଲା ଆର୍ଥିକ ବୋଝ । ଏକାସାଙ୍ଗରେ ଝୁଲି ପଡିଲେ ୩ ଛୁଆ ଓ ବାପା । ରାଜସ୍ଥାନ ଉଦୟପୁରରେ ଏଭଳି ହୃଦୟ ବିଦାରକ ଘଟଣା ପ୍ରକାଶ ପାଇଛି । ମୃତକ ହେଲେ ଉଦୟପୁର ନାକରା ଗ୍ରାମର ୪୫ ବର୍ଷୀୟ ରାୟସା, ତାଙ୍କର ବଡ ପୁଅ ବାଜପେୟୀ(୧୫), ଝିଅ ତିପୁରା(୧୨) ଏବଂ ୫ ବର୍ଷୀୟ ସାନ ଝିଅ କିଞ୍ଜଲ । ଗତକାଲି(ମଙ୍ଗଳବାର) ଘର ଭିତରୁ ୪ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ୪ ବର୍ଷ ତଳେ ମୃତ ବ୍ୟକ୍ତିଙ୍କ ପତ୍ନୀ ଆରପାରିକୁ ଚାଲିଯାଇଥିଲେ । ଏହାପରେ ପୁରା ପରିବାର ଭାଙ୍ଗି ପଡିଥିଲା । ସେବେ ଠାରୁ ସେ ବହୁ କଷ୍ଟରେ ୩ ସନ୍ତାନଙ୍କ ଲାଳନ ପାଳନ କରିଆସୁଥିଲେ । ତେବେ ଆର୍ଥିକ ଅସ୍ବଚ୍ଛଳତା କାରଣରୁ ବ୍ୟକ୍ତି ଜଣକ ଏପରି ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି ।
ଏନେଇ ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଘର ଭିତରୁ ସମସ୍ତଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଯଦିଓ ଏଯାଏଁ ସ୍ପଷ୍ଟ ହୋଇନାହିଁ ତେବେ ଆର୍ଥିକ ଦୂରାବସ୍ଥା ଯୋଗୁଁ ଏହା ଘଟିଥିବା ଅନୁମାନ କରାଯାଉଛି । ପୋଲିସ ମୃତଦେହଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ସେହିପରି ଫେରନସିକ୍ ସାଇନ୍ସ ଲ୍ୟାବରୁ ଏକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ପ୍ରମାଣ ସଂଗ୍ରହ କରୁଛି ।
ଏହାମଧ୍ୟ ପଢନ୍ତୁ: କାଳ ହେଲା ସେଲ୍ଫି: ହ୍ରଦରେ ବୁଡି ଚାଲିଗଲା 4 ସାଙ୍ଗଙ୍କ ଜୀବନ
ଯାହା ସୂଚନା ମିଳିଛି, ମୃତ ରାୟସାଙ୍କ ଏକ ଛୋଟ ଗ୍ରୋସରୀ ଦୋକାନ ଥିଲା । ସେଥିରୁ ସେ ତିନି ପିଲାଙ୍କ ପେଟକୁ ଦାନା ଯୋଗାଉଥିଲେ । ହେଲେ କିଛି ଦିନ ହେଲା ଦୋକାନରେ ଭଲ ବ୍ୟବସାୟ ହେଉନଥିଲା । ଯେଉଁ କାରଣରୁ କିଛି ଦିନ ପାଇଁ ଦୋକାନ ବନ୍ଦ କରିବାକୁ ମଧ୍ୟ ପଡିଥିଲା । ଏହି ସମୟରେ ପରିବାର ଚଳାଇବା ରାୟସାଙ୍କ ପକ୍ଷେ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଲା । ଯେଉଁ କାରଣରୁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି । କିନ୍ତୁ ଆତ୍ମହତ୍ୟା ପଛର କାରଣ ଅଦ୍ୟାବିଧି ସ୍ପଷ୍ଟ ହୋଇପାରିନାହିଁ । ତେବେ ଶ୍ବାସରୁଦ୍ଧ ହେବା ଯୋଗୁଁ ସମସ୍ତଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏନେଇ ଉଦୟପୁର ଏସପି ବିକାଶ ଶର୍ମା ସୂଚନା ଦେଇଛନ୍ତି ।
ଏହାମଧ୍ୟ ପଢନ୍ତୁ: ୫ ବର୍ଷ ଧରି ଜନ୍ମକଲା ଝିଅକୁ ଦୁଷ୍କର୍ମ, ପିଶାଚ ବାପା ଗିରଫ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ