ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ, ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ସୁହାଇବା ଭଳି ପ୍ରଦର୍ଶନ କରି ବିଭିନ୍ନ ସ୍ଥାନରେ ଲାଗୁଥିବା ତ୍ରୁଣମୂଳ କଂଗ୍ରେସ ମୁଖିଆ ମମତା ବାନାର୍ଜୀଙ୍କ ପୋଷ୍ଟର ଓ ବିଜ୍ଞାପନ ବିଗତ ଦଶ ବର୍ଷ ଭିତରେ ନିୟମିତ ଦେଖିବାକୁ ମିଳୁଥିଲା । କିନ୍ତୁ ନିର୍ବାଚନ ପ୍ରଚାର ବେଳେ ହିନ୍ଦୁ ଧର୍ମର ପବିତ୍ର ଗ୍ରନ୍ଥରୁ ଉଦ୍ଧୃତ ଭଜନ ଓ ପଂକ୍ତି ଖୋଦ୍ ମମତା ବାନାର୍ଜୀଙ୍କ ମୁହଁରୁ ଶୁଣିବା ଏବଂ ତାହା ପୁଣି ସେ ପ୍ରାର୍ଥୀ ହୋଇଥିବା ନିର୍ବାଚନମଣ୍ଡଳୀରେ ପ୍ରଚାର ସମୟରେ, ଯାହାକି ଲୋକଙ୍କ ପାଇଁ ନିଶ୍ଚିତ ଭାବେ କିଛି ନୂଆ ବୋଲି କୁହାଯାଇପାରେ ।
ବିଭିନ୍ନ ପ୍ରକାର ରଙ୍ଗ ଦେଖାଉଥିବା ସ୍ପେକ୍ଟ୍ରମର ଅନ୍ୟ ପାର୍ଶ୍ବରେ ଯେ କୌଣସି ବିଜେପି ନେତା ସେ ଦଳର ଜାତୀୟ ସଭାପତି ଜେ.ପି. ନଡ୍ଡା ହୁଅନ୍ତୁ କିମ୍ବା କେନ୍ଦ୍ର ଗୃହ ମନ୍ତ୍ରୀ ଅମୀତ ଶାହ ସମସ୍ତଙ୍କ ପାଇଁ ନିର୍ବାଚନ ପ୍ରଚା କରୁଥିବା ସ୍ଥାନରେ ଥିବା ମନ୍ଦିରଗୁଡିକୁ ଯାଇ ସେଠାରେ ଦର୍ଶନ କରିବା ନିଶ୍ଚିତ କରାଯାଇଛି । ଏପରିକି ନିକଟରେ ବିଜେପିରେ ଯୋଗ ଦେଇଥିବା ଅଭିନେତା ମିଥୁନ ଚକ୍ରବର୍ତ୍ତୀ କୋଲକାତାରେ ଥିବା ତାଙ୍କ ସମ୍ପର୍କୀୟ ଭାଇଙ୍କ ଘରେ ଥିବା ଏକ କାଳୀ ମନ୍ଦିରରେ ପ୍ରତିଦିନ ସକାଳୁ ମନ୍ତ୍ର ଉଚ୍ଚାରଣ ସହ ପୂଜାପାଠ କରୁଥିବା ଦେଖିବାକୁ ମିଳୁଛି ।
ହଠାତ୍ ଏବର୍ଷର ଖରାଦିନେ ବଙ୍ଗଳାର ପ୍ରତ୍ୟେକ ରାଜନେତାଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ମନ୍ଦିର ଯାଇ ପୂଜାପାଠ କରିବା ନିଶ୍ଟିତ ରହୁଛି । ଏଥିରୁ ଏବେ ବଙ୍ଗଳାରେ ଧ୍ରୁବୀକରଣ ସ୍ପଷ୍ଟ ହେଉନାହିଁ କି? ଏବଂ ଏଥିରୁ ମମତା ବାନାର୍ଜୀଙ୍କ ପାଇଁ ବିପଦ ଯେ ରହିଛି ତାହା ସ୍ପଷ୍ଟ ସୂଚୀତ ହେଉନି କି?
ମମତା ବାନାର୍ଜୀ ଦେଇଥିବା ମନ୍ତବ୍ୟରୁ ଜଣେ ଏହାର ଉତ୍ତର ପାଇ ପାରିବ। ମମତା ହିଁ ନନ୍ଦିଗ୍ରାମରେ ପ୍ରଚାର କରୁଥିବା ବେଳେ ଅଚାନକ ’70-30 ସୂତ୍ର’ କଥା କହିଥିଲେ । ନନ୍ଦିଗ୍ରାମରେ ସେ ଏଥର ତାଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି, ଏଠାରେ ତାଙ୍କୁ ବିଜେପିର ଶୁଭେନ୍ଦୁ ଅଧିକାରୀ ଏବଂ ସିପିଏମର ମୀନାକ୍ଷୀ ମୁଖାର୍ଜୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।
ବିଜେପିର ଶୁଭେନ୍ଦୁ ଅଧିକାରୀ ଯେତେବେଳେ ନନ୍ଦିଗ୍ରାମର ସମୀକରଣ ‘62 ହଜାର ବନାମ 2.13 ଲକ୍ଷ’ ହେବା ନେଇ କହିଥିଲେ ସେତେବେଳେ ଏହା ଅଧିକ ସ୍ପଷ୍ଟ ହୋଇଯାଇଥିଲା। ଅଧିକାରୀ କଦାପି କୌଣସି ସମ୍ପ୍ରଦାୟ କଥା ଉଠାଇନଥିଲେ, କିନ୍ତୁ ତାଙ୍କର ଏହି ପରିସଂଖ୍ୟନକୁ ଯଦି ଜଣେ ବଙ୍ଗଳାର ଏହି ପ୍ରମୁଖ ଆସନର ଜନସଂଖ୍ୟା ଅନୁଯାୟୀ ବିଚାର କରିବ ତେବେ ଜଣେ ତାଙ୍କର କହିବାର ଉଦ୍ଦେଶ୍ୟ ବୁଝିଯିବ । ନନ୍ଦିଗ୍ରାମରେ ପ୍ରାୟ 62 ହଜାର ମୁସଲମାନ ପରିବାର ରହୁଛନ୍ତି ଏବଂ ହିନ୍ଦୁ ପରିବାରଙ୍କ ସଂଖ୍ୟା ପାଖାପାଖି 2 ଲକ୍ଷ 13 ହଜାର। ଉଭୟ ମମତା ଏବଂ ଶୁଭେନ୍ଦୁଙ୍କ ସମୀକରଣ ଏବଂ ସୂଚନା ଅତ୍ୟନ୍ତ ସ୍ପଷ୍ଟ । ପାଦ ଥାପିଥିବା ଧର୍ମଭିତ୍ତିକ ଧ୍ରୁବୀକରଣ କ୍ରମଶଃ ନନ୍ଦିଗ୍ରାମ ଏବଂ ରାଜ୍ୟର ଅନ୍ୟତ୍ର ତାହା ଲମ୍ବିବାରେ ଲାଗିଛି ।
ନନ୍ଦିଗ୍ରାମର ପୂର୍ବ ମେଦିନିପୁର ଅଞ୍ଚଳରେ ଚଣ୍ଡି ମନ୍ତ୍ର କିମ୍ବା ପବିତ୍ର ହିନ୍ଦୁ ଶ୍ଲୋକ ଶୁଣିବାକୁ ମିଳୁଛି । ଏବଂ ଉଲ୍ଲେଖନୀୟ କଥା ହେଲା ଏ ଶତାବ୍ଦୀରେ ପ୍ରଥମ ଥର ପାଇଁ ନନ୍ଦିଗ୍ରାମ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରମୁଖ ଦଳଗୁଡ଼ିକ ପକ୍ଷରୁ ସଂଖ୍ୟାଲଘୁ ମୁସଲମାନ ପ୍ରାର୍ଥୀ ଦିଆଯାଇନାହିଁ । ତ୍ରୁଣମୂଳ କଂଗ୍ରେସର ମମତା ବାନାର୍ଜୀ, ବିଜେପିର ଶୁଭେନ୍ଦୁ ଅଧିକାରୀ ଏବଂ ସିପିଏମର ମୀନାକ୍ଷୀ ମୁଖାର୍ଜୀ ସମସ୍ତେ ହେଉଛନ୍ତି ସଂଖ୍ୟାବହୁଳ ହିନ୍ଦୁ ସମ୍ପ୍ରଦାୟର। ସଂଖ୍ୟାଲଘୁ ମୁସଲମାନ ଭୋଟ ସମ୍ପୂର୍ଣ୍ଣ ଏଡ଼ାଇ ଦେଇ ଦଳଗୁଡ଼ିକ ନନ୍ଦିଗ୍ରାମରେ ଜିତି ପାରିବେ କି ? ଏହାର ଉତ୍ତର ହେଉଛି ନନ୍ଦିଗ୍ରାମର ପାଖାପାଖି 27 ପ୍ରତିଶତ ମୁସଲିମ ଜନସଂଖ୍ୟାକୁ ଚାପି ଦିଆଯାଇଛି ।
ନନ୍ଦିଗ୍ରାମରେ ବିଜେପି ଯଦି ପ୍ରଥମରୁ ଧ୍ରୁବୀକରଣର ସମୀକରଣ ପ୍ରୟାସ କରିଥାନ୍ତା ତେବେ ହୁଏତ ମମତା ବାନାର୍ଜୀ ଅନ୍ୟ କେଉଁଠାରୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ଚାହିଁଥାନ୍ତେ। କିନ୍ତୁ ସେ ଏବେ ସେମାନଙ୍କ ପାଇଁ ବଡ଼ ବିପଦ ସାଜିଛନ୍ତି । କହିବାକୁ ଗଲେ ସଂଖ୍ୟାବହୁଳ ହିନ୍ଦୁ ଭୋଟ ଭାଗ ଭାଗ କରିବାକୁ ହେଭିୱେଟ ମମତାଙ୍କ ପାଖରେ ସାମର୍ଥ୍ୟ ରହିଛି । ’70-30 ସୂତ୍ର’ କାମ କରୁଛି । ଏପରି ସ୍ଥିତିରେ ସିପିଏମର ଯୁବ ନେତ୍ରୀ ମୀନାକ୍ଷୀ ମୁଖାର୍ଜୀଙ୍କ ଉପସ୍ଥିତି ନନ୍ଦିଗ୍ରାମର ଗଣିତକୁ ଅଧିକ ଜଟିଳ କରିଛି । ସେ ତାଙ୍କର ପ୍ରଚାରରେ ଯେଉଁଭଳି ଭାବେ ନିଜର ସାହସ ଓ ବୁଦ୍ଧିମତା ଦେଖାଉଛନ୍ତି ନିଶ୍ଚିତ ଭାବେ ତାହା ଉଭୟ ବିଜେପି ଏବଂ ତ୍ରୁଣମୂଳ କଂଗ୍ରେସ ଆଖି ପକାଇଥିବା ସଂଖ୍ୟାଧିକ ହିନ୍ଦୁ ଭୋଟରଙ୍କୁ ପ୍ରଭାବିତ କରିବ।
ସାମାଜିକ କ୍ଷେତ୍ର ସମେତ ନନ୍ଦିଗ୍ରାମରେ ତ୍ରୁଣମୂଳ କଂଗ୍ରେସ ମୁଖ୍ୟତଃ ଭୋଟ ବିଭାଜନ ଉପରେ ନିର୍ଭର କରୁଛି। ଏହା ସହିତ 'ଆଦର୍ଶ ନନ୍ଦିଗ୍ରାମ'ର ପ୍ରତିଶ୍ରୁତି ଦେଇ ମମତା ବାନାର୍ଜୀ ତାଙ୍କ ଦଳର ନିର୍ବାଚନୀ ଇସ୍ତାହାରରେ କହିଛନ୍ତି ଯେ, ପଛୁଆ ଜାତି ପାଇଁ ସ୍ବତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା କରାଯିବ । ନନ୍ଦିଗ୍ରାମରେ ଭୋଟ ସାଂପ୍ରଦାୟିକ ଆଧାରରେ ହେବ ନା ବ୍ୟକ୍ତିତ୍ବକୁ ଦେଖି ହେବ ? ଏହାର ଉତ୍ତର ଦିନକୁ ଦିନ ଜଟିଳ ହେବାରେ ଲାଗିଛି ।
ଏଥର ନିର୍ବାଚନ ପାଇଁ ମମତା ବାନାର୍ଜୀ ଘୋଷଣା କରିଥିବା 291 ଆଶାୟୀଙ୍କ ତାଲିକାରେ ମୁସଲମାନ ପ୍ରାର୍ଥୀଙ୍କ ସଂଖ୍ୟା ବହୁସଂଖ୍ୟାରେ ହ୍ରାସ ପାଇଛି । ଏହାକୁ ନେଇ ଭ୍ରୁକୁଞ୍ଚନ ଆରମ୍ଭ ହୋଇଯାଇଛି । 2016ରେ ମମତା 53 ଜଣ ମୁସଲିମ ପ୍ରାର୍ଥୀ ଛିଡ଼ା କରିଥିବା ବେଳେ ଏଥର ସଂଖ୍ୟାଲଘୁ ସମ୍ପ୍ରଦାୟରୁ କେବଳ 35 ଜଣଙ୍କୁ ପ୍ରାର୍ଥୀ
କରାଯାଇଛି । 2016 ବିଧାନସଭା ନିର୍ବାଚନରେ 53 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 35 ଜଣ ବିଜୟୀ ହୋଇଥିଲେ । ସୁତରାଂ, ମମତା କାହିଁକି ସଂଖ୍ୟା କମାଇ ଦେଲେ? ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ଯୁକ୍ତି - ବିଜେପି ଆରମ୍ଭ କରିଥିବା ରାଜନୈତିକ ଧ୍ରୁବୀକରଣ ପ୍ରକୃତରେ ତାଙ୍କୁ ଏପରି କରିବାକୁ ବାଧ୍ୟ କରିଛି ।
ମମତା ଏଥର କମ୍ ସଂଖ୍ୟକ ମୁସଲିମ ପ୍ରାର୍ଥୀ ଛିଡ଼ା କରିଥିବା ବେଳେ ଆଉ ଏକ ନୂଆ କୌଶଳ ଆପଣେଇଛନ୍ତି । ସେ ତଫସିଲଭୁକ୍ତ ଜାତି ସମ୍ପ୍ରଦାୟରୁ ଅଧିକ ସଂଖ୍ୟାରେ ପ୍ରାର୍ଥୀ ଦେଇଛନ୍ତି । ତ୍ରୁଣମୂଳ ସୁପ୍ରିମୋ ହୁଏତ 2019 ଲୋକସଭା ନିର୍ବାଚନ ଫଳାଫଳକୁ ଦେଖି ଏପରି ନିଷ୍ପତ୍ତି ନେଇ ପାରିଥାନ୍ତି । ଏସସି ଏବଂ ଏସଟି ସମ୍ପ୍ରଦାୟ
ପାଇଁ ସଂରକ୍ଷିତ ଥିବା 84ଟି ବିଧାନସଭା କ୍ଷେତ୍ର ମଧ୍ୟରୁ 46ଟିରେ ବିଜେପି ଆଖିଦୃଶିଆ ଅଗ୍ରଣୀ ହାସଲ କରିଥିଲା ।
ତେଣୁ ମମତା ନିଶ୍ଚିତ ଅଛନ୍ତି କି, 2011 ଏବଂ 2016 ବିଧାନସଭା ନିର୍ବାଚନ ପରି ଏଥର ମଧ୍ୟ ମୁସଲମାନ ଭୋଟ ତାଙ୍କ ସପକ୍ଷରେ ରହିବ ନା ସେ ହିନ୍ଦୁମାନଙ୍କ ମଧ୍ୟରେ ବିଜେପି ଯେଉଁଭଳି ଭାବେ ସାମ୍ପ୍ରଦାୟିକ ବିଜ ବୁଣୁଛି ତାହାର ମୁକାବିଲା ନେଇ ଚିନ୍ତିତ ? ନା ’70-30 ସୂତ୍ର’କୁ ସଫଳ କରିବା ନେଇ ଚିନ୍ତିତ ? ଏସବୁର ଉତ୍ତର ବଙ୍ଗଳାର ଗ୍ରାମାଞ୍ଚଳ ଭୋଟରଙ୍କ ଉପରେ ନିର୍ଭର କରୁଛି ।
ଏସବୁ ଭିତରେ ମୀନାକ୍ଷୀ ମୁଖାର୍ଜୀଙ୍କ ଉପସ୍ଥିତି ନିର୍ବାଚନୀ ଗଣିତକୁ ଅଧିକ ସରଗରମ କରିଛି । 2007ରେ ନନ୍ଦିଗ୍ରାମରେ ଜମି ଅଧିଗ୍ରହଣକୁ ବିରୋଧ କରି ହୋଇଥିବା ପୋଲିସ ଗୁଳିରେ 14 ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ପାଇଁ ସମାଲୋଚିତ ହୋଇଥିବା ସିପିଏମର କଳଙ୍କ ନିଜ କାନ୍ଧ ଉପରକୁ ନେଇଥିବା ବେଳେ ପରବର୍ତ୍ତୀ ସମୟରେ ଏହି ଆନ୍ଦୋଳନର ନେତୃତ୍ବ ତ୍ରୁଣମୂଳ କଂଗ୍ରେସ ଛଡ଼ାଇ ନେଇ ଯାଇଥିଲା । ବର୍ତ୍ତମାନର
ଶୁଭେନ୍ଦୁ ଅଧିକାରୀ ସେତେବେଳେ ଟିଏମସିର ଜଣେ ଯୁବ ନେତା ଥିଲେ। ବିଜେପି ବିରୁଦ୍ଧରେ ନିଜର ସ୍ଥିତି ସୁଦୃଢ କରିବାକୁ ଚଳାଇଥିବା ପ୍ରୟାସରେ ମମତା ସର୍ବଦା ନନ୍ଦିଗ୍ରାମରେ ବାମ ଭୋଟ ହାତେଇବାକୁ ଚାହିଁଛନ୍ତି । ଅନ୍ୟପକ୍ଷରେ ଶୁଭେନ୍ଦୁ ଏହି ଆନ୍ଦୋଳନର ନେତୃତ୍ବ କଥା ଉଠାଇ ଏହାର ଫାଇଦା ନେବାକୁ ବସିଛନ୍ତି।
1984 ନିର୍ବାଚନରେ ଯାଦବପୁରରେ ସିପିଏମର ହେଭିୱେଟ୍ ସୋମନାଥ ଚାଟାର୍ଜୀଙ୍କୁ ପରାସ୍ତ କରି ସେତେବେଳେ ବଙ୍ଗଳାର ରାଜନୈତିକ ଇତିହାସରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଥିଲେ ସେତେବେଳର ନବାଗତ ଫାୟାରବ୍ରାଣ୍ଡ ଯୁବ ନେତ୍ରୀ ମମତା ବାନାର୍ଜୀ । ଠିକ୍ ସେହିପରି ଏଥର ମୀନାକ୍ଷୀ ମଧ୍ୟ ମମତା ବାନାର୍ଜୀ କିମ୍ବା ଶୁଭେନ୍ଦୁ ଅଧିକାରୀଙ୍କୁ ହରାଇ ରାଜନୈତିକ ଓଲଟପାଲଟ କରି ପାରନ୍ତି। ନନ୍ଦିଗ୍ରାମର ଅସ୍ପଷ୍ଟ
ସ୍ଥିତି ଏବଂ ଧ୍ରୁବୀକରଣର ମୁକାବିଲା କରି ଭୋଟ ସଂଗ୍ରହ କରିବାରେ ସେ ସକ୍ଷମ ହୋଇ ଦ୍ବିତୀୟ ସ୍ଥାନରେ ରହିଲେ ବି ଏହା ତାଙ୍କ ପାଇଁ ସଫଳତା ବୋଲି କୁହାଯିବ । ନନ୍ଦିଗ୍ରାମରେ କାହାର ଜିତାପଟ ହେବ ତାହା ଏବେ ଉନ୍ମୁକ୍ତ ହୋଇ ରହିଛି ।
ଦୀପଙ୍କର ବୋଷ