କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ଅଭିଯୋଗ କରିଛନ୍ତି ଯେ ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ଏବଂ ପୋଲିସ ଅନୈତିକ କାର୍ଯ୍ୟରେ ଲିପ୍ତ ଅଛନ୍ତି। ବିଜେପି ନିର୍ବାଚନରେ ହାରିଯିବା ଭୟରେ ମଥାଭଙ୍ଗା ଆସନର ଟିଏମସି ପ୍ରାର୍ଥୀଙ୍କ ଉପରେ ଶାହା ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ମମତା ।
ପୂର୍ବ ବର୍ଦ୍ଧମାନର ମେମାରୀଠାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବା ସମୟରେ ମମତା କହିଥିଲେ, ‘ମୁଁ ମୋର ସାରା ଜୀବନରେ ଏପରି ଗୁଣ୍ଡା(ଗ୍ୟାଙ୍ଗଷ୍ଟର), ଦଙ୍ଗାକାରୀ ଗୃହମନ୍ତ୍ରୀଙ୍କୁ ଦେଖି ନାହିଁ। ଅମିତ ଶାହା ବାଘ ଅପେକ୍ଷା ଅଧିକ ବିପଦଜନକ। ଲୋକେ ତାଙ୍କ ସହ କଥା ହେବାକୁ ଭୟ କରୁଛନ୍ତି। ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କୁ ନିୟନ୍ତ୍ରଣ କରିବାକୁ ଅନୁରୋଧ କରିବି ’ ।
ଶାହା ରାଜ୍ୟର ସମସ୍ତ ପୋଲିସଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତ ରଖୁଥିବା ଦିଦି ଅଭିଯୋଗ କରିଛନ୍ତି । କିଛି ଦିନ ତଳେ ଦିଦି କେନ୍ଦ୍ରୀୟ ସୁରକ୍ଷାବାହିନୀ ବିରୋଧରେ ମତ ଦେଇଥିଲେ । ଏହାପରେ ନିର୍ବାଚନ କମିଶନ ତାଙ୍କୁ ନୋଟିସ ପଠାଇଛି । ଏହାସହ ସେ କହିଛନ୍ତି, ଏହି ନିର୍ବାଚନ ବଙ୍ଗକୁ ଦ୍ବିତୀୟ ଗୁଜୁରାଟ କରିବାକୁ ରୋକିବ । ବଙ୍ଗର ମହିଳା, ମା, ଭଉଣୀଙ୍କ ସୁରକ୍ଷା ପାଇଁ ଏହି ନିର୍ବାଚନ ।
ଟିଏମସି ନେତା ଗିରିନ୍ଦ୍ର ନାଥ ବରମନଙ୍କ ଉପରେ ଆକ୍ରମଣ ଯୋଜନା ଅମିତ ଶାହା କରିଛନ୍ତି ବୋଲି ଦିଦି ଅଭିଯୋଗ ଆଣିଛନ୍ତି। ସେ ଦଙ୍ଗା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ଯାହା ଦ୍ବାରା ଏଠାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ନିର୍ବାଚନରେ ହାରିଯାଉଥିବାରୁ ସେମାନେ (ବିଜେପି) ଏହା କରୁଛନ୍ତି ବୋଲି ଦିଦି ଖୁଲମଖୁଲା କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ