କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନର ଗୋଟିଏ ଦିନ ପୂର୍ବରୁ ବିରୋଧୀ ଦଳ ନେତାଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ଚିଠିରେ ଗଣତନ୍ତ୍ରର ସୁରକ୍ଷା ପାଇଁ ବିରୋଧୀ ଦଳଗୁଡିକୁ ଏକଜୁଟ ହେବାକୁ ଅପିଲ କରିଥନ୍ତି ମମତା ।
ନନ୍ଦିଗ୍ରାମ ନିର୍ବାଚନୀ ପ୍ରଚାର ସଂଧ୍ୟାରେ ଶେଷ ହେବା ପରେ ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ମମତା ବାନାର୍ଜୀ ଅଣ ବିଜେପି ନେତାଙ୍କୁ ବ୍ୟକ୍ତିଗତ ଚିଠି ଲେଖିଛନ୍ତି । ମମତା ଏହି ଚିଠିରେ ଗଣତନ୍ତ୍ର ବଞ୍ଚାଇବା ପାଇଁ ସମସ୍ତ ବିରୋଧୀ ଦଳକୁ ଏକଜୁଟ ହେବାକୁ କରିଛନ୍ତି ଅପିଲ । ମମତାଙ୍କ ପକ୍ଷରୁ 15 ଅଣ ବିଜେପି ନେତାଙ୍କୁ ଲେଖାଯାଇଛି ଚିଠି ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚିଠିରେ ଲେଖିଛନ୍ତି, ଗଣତନ୍ତ୍ର ଓ ସମ୍ବିଧାନ ଉପରେ ବିଜେପିର ଆକ୍ରମଣ ବିରୋଧରେ ଏକଜୁଟ ଓ ପ୍ରଭାବଶାଳୀ ସଂଘର୍ଷର ସମୟ ଆସିଯାଇଛି । ମମତା ଲେଖିଥିବା ଚିଠିରେ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ସମେତ ଅରବିନ୍ଦ କେଜ୍ରିୱାଲଙ୍କ ଭଳି ନେତା ସାମିଲ ଅଛନ୍ତି । ଏହା ସହିତ 5 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ଦିଦି । ଏଥିରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ମଧ୍ୟ ସାମିଲ ରହିଛି ।