ଥିରୁଅନନ୍ତପୁରମ: କେରଳର ଶାସକ ଦଳ ସିପିଆଇ-ଏମର ନେତା ଏମ.ବି ରାଜେଶ ମଙ୍ଗଳବାର ରେକର୍ଡ ସୃଷ୍ଟି କରିଛନ୍ତି । ପ୍ରଥମ ବିଧାୟକ ଭାବେ 15ତମ କେରଳ ବିଧାନସଭାର ବାଚସ୍ପତି ଭାବରେ ସେ ନିର୍ବାଚିତ ହୋଇଛନ୍ତି ।
ଚଳିତ ବିଧାନସଭା ନିର୍ବାଚନରେ ସିପିଆଇ ନେତୃତ୍ବାଧୀନ ଏଲଡିଏଫ ଦଳ 140ଟି ବିଧାନସଭା ଆସନରୁ 99ଟି ଆସନରେ ବିଜୟଲାଭ କରିଥିଲା । ରାଜେଶଙ୍କ ପ୍ରତିଦ୍ବନ୍ଦ୍ବୀ ଥିଲେ 3 ଥର କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପି.ସି ବିଶ୍ବନାଥ । କଂଗ୍ରେସ ଚଳିତ ନିର୍ବାଚନରେ 41ଟି ଆସନରେ ବିଜୟ ଲାଭ କରିଥିଲା । ତେବେ ବାଚସ୍ପତି ପଦବୀ ପାଇଁ ମଙ୍ଗଳବାର ସକାଳ 9ଟା ସମୟରେ ଭୋଟିଂ ଆରମ୍ଭ ହୋଇଥିଲା । ଭୋଟ ଗଣତି ପରେ ରାଜେଶଙ୍କୁ 96ଟି ଭୋଟ ମିଳିଥିବା ବେଳେ ବିଶ୍ବନାଥଙ୍କୁ 40ଟି ଭୋଟ ମିଳିଥିଲା ।
ରାଜେଶ ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତେବେ ରାଜେଶ ବାଚସ୍ପତି ଆସନରେ ବସିବା ପାଇଁ ଯୋଗ୍ୟ ଏବଂ ସେ ଉତ୍ତମ ଭାବେ ନିଜ ଦାୟିତ୍ବ ତୁଲାଇପାରିବେ ବୋଲି ସେ କହିଛନ୍ତି । ଗୃହର ଅନ୍ୟ ନେତାମାନେ ମଧ୍ୟ ରାଜେଶଙ୍କ ବିଜୟକୁ ସମର୍ଥନ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ