ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ଓ ମେଣ୍ଟ ସେମାନଙ୍କ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ବିଜେପିର ବିଜୟକୁ ମାତ ଦେବା ପାଇଁ 26ଟି ରାଜନୈତିକ ଦଳ ‘ଇଣ୍ଡିଆ’ ବ୍ୟାନରରେ ଏକାଠି ହୋଇଛନ୍ତି । ହେଲେ 38ପାର୍ଟିକୁ ନେଇ ଶକ୍ତି ଦେଖାଇଛି ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ଶାସକ ମେଣ୍ଟ ‘ଏନଡିଏ’ । ଏହାରି ମଧ୍ୟରେ ଆସନ୍ତାକାଲିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସକ ମେଣ୍ଟର ସାଂସଦଙ୍କ ସହ ପର୍ଯ୍ୟାୟକ୍ରମେ ଆଲୋଚନା କରିବା ଆରମ୍ଭ କରିବେ ।
ପ୍ରଧାନମନ୍ତ୍ରୀ ଆସନ୍ତାକାଲି (ଜୁଲାଇ 31)ରୁ ଅଗଷ୍ଟ 10 ପର୍ଯ୍ୟନ୍ତ ଏନଡିଏ ସହଯୋଗୀ ଦଳର ସାଂସଦମାନଙ୍କ ସହ ପର୍ଯ୍ୟାୟକ୍ରମେ ଆଲୋଚନା କରିବେ । ମଙ୍ଗଳବାର ରାଜଧାନୀରେ ବିଜେପି ନେତାମାନେ ଏକ ବୈଠକ କରିଥିଲେ । ଯେଉଁଥିରେ 2024 ସାଧାରଣ ନିର୍ବାଚନ ପାଇଁ ଗ୍ରହଣ ହେବାକୁ ଥିବା କାର୍ଯ୍ୟକ୍ରମ ଉପରେ ଆଲୋଚନା ପାଇଁ ଏନ୍ଡିଏ ସାଂସଦଙ୍କ ମୋଟ 10ଟି ଦଳ ଗଠନ କରାଯାଇଥିଲା । ଏହି 10 ସାଂସଦଙ୍କ ଦଳ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପର୍ଯ୍ୟାୟକ୍ରମେ ଆଲୋଚନା କରିବାକୁ ଯାଉଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି(ସୋମବାର) ସଂଧ୍ୟାରେ ମହାରାଷ୍ଟ୍ର ସଦନରେ ପଶ୍ଚିମ ଉତ୍ତର ପ୍ରଦେଶ, ବୁନ୍ଦେଲଖଣ୍ଡ ଏବଂ ବ୍ରିଜ କ୍ଷେତ୍ରର ଏନ୍ଡିଏ ମେଣ୍ଟର ସାଂସଦଙ୍କ ଗୋଷ୍ଠୀ ସହିତ ଆଲୋଚନା ଆରମ୍ଭ କରିବେ । ଏହି ଆଲୋଚନାରେ ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ରହିବା ନେଇ ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଛି । ସେହିପରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଓଡିଶାର ଏନଡିଏ ସାଂସଦଙ୍କ ଗୋଷ୍ଠୀ ସହିତ ସଂଧ୍ୟା 7ରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା କାର୍ଯ୍ୟକ୍ରମ ରହିଛି ।
ଏହା ମଧ୍ୟ ପଢନ୍ତୁ:-2024 polls: 5 ଦକ୍ଷିଣ ରାଜ୍ୟରେ ଦଳର ପ୍ରସ୍ତୁତି ସମୀକ୍ଷା କରିବେ ଖଡଗେ
ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ଅମିତ ଶାହା ଏବଂ ରାଜନାଥ ସିଂ ତଥା ବିଜେପି ମୁଖ୍ୟ ଜେ.ପି ନଡ୍ଡାଙ୍କୁ ଏନ୍ଡିଏ ନେତାଙ୍କ ସହ ସମନ୍ୱୟ ଦାୟିତ୍ବ ଦିଆଯାଇଛି । ସେହିପରି ଅନ୍ୟ ବରିଷ୍ଠ ନେତାଙ୍କ ମଧ୍ୟରେ ଭୁପେନ୍ଦ୍ର ଯାଦବ, ସର୍ବାନନ୍ଦ ସୋନୱାଲ, ତରୁଣ ଚୁଗ୍ ଏବଂ ଋତୁରାଜଙ୍କ ସମେତ 4ଜଣ ନେତାଙ୍କୁ ଏନ୍ଡିଏ ମେଣ୍ଟର କାର୍ଯ୍ୟକ୍ରମ ଦାୟିତ୍ବ ଦିଆଯାଇଛି । ପ୍ରହ୍ଲାଦ ପଟେଲ, ଅର୍ଜୁନ ରାମ ମେଘୱାଲ ଏବଂ ଭି.ମୁରଲୀଧରନଙ୍କ ସମେତ ଆଉ 4ଜଣ ନେତା ମଧ୍ୟ ମେଣ୍ଟର କାର୍ଯ୍ୟକ୍ରମ ଆୟୋଜନ ଦାୟିତ୍ବରେ ମଧ୍ୟ ରହିବେ । ଅନ୍ୟ କିଛି ମନ୍ତ୍ରୀ ଏବଂ ସାଂସଦମାନଙ୍କର ଆଉ ଏକ ଟିମ୍ ମଧ୍ୟ ଏହି ପ୍ରକ୍ରିୟାରେ ଏହି ଦୁଇ ଟିମ୍କୁ ସହଯୋଗ କରିବ । ରାଜଧାନୀ ଦିଲ୍ଲୀ ବ୍ୟତୀତ ବିଭିନ୍ନ ରାଜ୍ୟରେ ମଧ୍ୟ ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ କରିବ ଏନ୍ଡିଏ ମେଣ୍ଟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ