ଅଯୋଧ୍ୟା: ରାମନଗରୀ ଅଯୋଧ୍ୟାକୁ ମନ୍ଦିରମାଳିନୀ ସହର ମଧ୍ୟ କୁହାଯାଏ । କାରଣ ଏହି ପ୍ରାଚୀନ ନଗରୀରେ ପାଖାପାଖି 5ହଜାରରୁ ଅଧିକ ଛୋଟ ବଡ଼ ମନ୍ଦିର ଦେଖିବାକୁ ମିଳେ । ଭଗବାନ ସୀତାରାମ, ଜଗନ୍ନାଥ, ଲକ୍ଷ୍ମୀ ନାରାୟଣ, ହନୁମାନ, ମା ଦୁର୍ଗା, ସ୍ବାମୀ ନାରାୟଣ ଭଗବାନ, ମାଆ କାମାକ୍ଷା ତିରୁପତି ବାଲାଜି ସମେତ ଅନେକ ଦେବାଦେବୀ ଏଠାରେ ପୂଜା ପାଉଛନ୍ତି । ଏହି ପୌରାଣିକ ନଗରୀରେ ଏଭଳି ଏକ ମନ୍ଦିର ରହିଛି ଯେଉଁଠି ମୃତ୍ୟୁର ଦେବତା ଅର୍ଥାତ୍ କାଳ ଦେବତା ଯମରାଜ ମଧ୍ୟ ପୂଜା ପାଆନ୍ତି ।
ଭଗବାନ ରାମଙ୍କ ଜନ୍ମଭୂମୀ ଆଯୋଧ୍ୟରେ ପୂଜା ପାଆନ୍ତି ମୃତ୍ୟୁର ଦେବତା ଯମ । ପୌରାଣିକ କଥାବସ୍ତୁ ଅନୁଯାୟୀ, ଅଯୋଧ୍ୟା ଦେବୀଙ୍କ ଆର୍ଶୀବାଦ ପାଇ କାଳ ଦେବତା ଯମ ଏଠାରେ ସ୍ଥାନ ପାଇଥିଲେ । ସେବେଠାରୁ ଏଠାରେ ପୂଜା ପାଉଛନ୍ତି ଯମ ମହାରାଜ । ଅଯୋଧ୍ୟା ନଗରୀର ସରୟୁ ତଟ କୂଳରେ ପୂଜା ପାଆନ୍ତି ଯମ ଦେବତା ଏବଂ ଯମ ତୀର୍ଥକ୍ଷେତ୍ର ଭାବେ ବେଶ ପ୍ରସିଦ୍ଧି ଲାଭ କରିଛି ଏହି ଅଞ୍ଚଳ । ଅନ୍ୟ ମନ୍ଦିର ଭଳି ଏଠାରେ ମଧ୍ୟ ଭକ୍ତଙ୍କ ଭିଡ ଦେଖିବାକୁ ମିଳେ । ତେବେ ଅନ୍ୟ ଦିନ ଅପେକ୍ଷା ଯମ ଦ୍ବିତୀୟା ଅବସରରେ ପ୍ରତିବର୍ଷ ଏଠାରେ ହଜାର ହଜାର ଶ୍ରଦ୍ଧାଳୁ ପୂଜା କରୁଥିବା ଦେଖିବାକୁ ମିଳେ ।
ଏହାମଧ୍ୟ ପଢନ୍ତୁ..Ayodhya Deepotsav: ଭାଙ୍ଗିଲା ପୂର୍ବ ରେକର୍ଡ, 24 ଲକ୍ଷ ଦ୍ବୀପରେ ଆଲୋକିତ ହେଲା ଅଯୋଧ୍ୟା
ଅଯୋଧ୍ୟାର 14କୋସି ପରିକ୍ରମା ମାର୍ଗରେ ଅବସ୍ଥିତ ଏହି ଯବ ତୀର୍ଥକ୍ଷେତ୍ର: ଅଯୋଧ୍ୟାର 14 କୋସି ପରିକ୍ରମା ମାର୍ଗର କୂଳରେ ଯମଥରା ଘାଟରେ ଅବସ୍ଥିତ ଏହି ପ୍ରାଚୀନ ଯମ ଦେବତାଙ୍କ ମନ୍ଦିର । ତେବେ ଯମଙ୍କୁ ପୂଜା କରିବା ପାଇଁ ବର୍ଷ ସାରା ଏହି ମନ୍ଦିରରେ ସେତେଟା ଭିଡ ଦେଖିବାକୁ ମିଳେ ନାହିଁ । ହେଲେ ଯମ ଦ୍ବିତୀୟା ଅବସରରେ ଏଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳେ । ତେବେ ପୌରାଣିକ କଥାବସ୍ତୁ ଅନୁଯାୟୀ, ଯମ ଦ୍ବିତୀୟାରେ ଯମ ଦେବତାଙ୍କୁ ପୂଜାର୍ଚ୍ଚନା କଲେ ନର୍କର ମହାଦଶାରୁ ମୁକ୍ତି ମିଳିଥାଏ ।
ପ୍ରତ୍ୟେକ ବର୍ଷ ଯମ ଦ୍ବିତୀୟାରେ ସକାଳୁ ଶ୍ରଦ୍ଧାଳୁମାନେ ସରୟୁ ନଦୀରେ ସ୍ନାନ କରି ଦୀର୍ଘାୟୁ ହେବା କାମନା କରି ଯମରାଜାଙ୍କ ପୂଜାର୍ଚ୍ଚନା କରିଥାଆନ୍ତି । ବିଶେଷ କରି ଯମ ଦ୍ବିତୀୟାରେ ଭଉଣୀମାନେ ବ୍ରତ ରଖି ଭାଇମାନଙ୍କ ଶୁଭ ଓ ଦୀର୍ଘାୟୁ କାମନା କରିଥାନ୍ତି । ଯମଥରା ଘାଟରେ ସ୍ନାନ କରିବା ସହ ଯମରାଜାଙ୍କ ପୂଜାର୍ଚ୍ଚନା କଲେ ଦୀର୍ଘାୟୁ ଆର୍ଶୀବାଦ ମିଳେ ବୋଲି କୁହାଯାଏ । ଆଉମଧ୍ୟ ଯମରାଜା ଏହି ତପସ୍ଥଳୀ ମାତା ଅଯୋଧ୍ୟାଙ୍କଠାରୁ ପ୍ରାପ୍ତ କରିଥିଲେ । ଆଉ ଯେଉଁମାନେ ଏଠାରେ ପୂଜାର୍ଚ୍ଚନା କରନ୍ତି ସେମାନଙ୍କୁ ମୃତ୍ୟୁର ଭୟ ରହେନାହିଁ ବୋଲି କୁହାଯାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ