କୋଲକାତା : ସୀମାବର୍ତ୍ତୀ ରାଜ୍ୟରେ ସୀମା ସୁରକ୍ଷା ବଳ (BSF)ର ତଦନ୍ତ ତଥା ଗିରଫଦାରୀ କ୍ଷମତା ପରିସରକୁ ବୃଦ୍ଧି କରିବାକୁ କେନ୍ଦ୍ର ପକ୍ଷରୁ ହୋଇଥିବା ନିଷ୍ପତ୍ତିକୁ ପଞ୍ଜାବ ପରି ପଶ୍ଚିମବଙ୍ଗ ମଧ୍ୟ ବିରୋଧ ଜାରି ରଖିବ । ତେବେ ଏହି ବିଷୟ ରାଜ୍ୟ ସରକାରଙ୍କ କ୍ଷମତା ଅନ୍ତର୍ଭୁକ୍ତ ତେଣୁ କେନ୍ଦ୍ରର ଏପରି ନିଷ୍ପତ୍ତି ଗ୍ରହଣଯୋଗ୍ୟ ନୁହେଁ । ସେହିପରି ବଙ୍ଗ ସୀମାରେ ଶାନ୍ତି ବଜାୟ ରହିଛି । କେନ୍ଦ୍ରର ଏହି ନିଷ୍ପତ୍ତି ଫଳରେ ବିଶୃଙ୍ଖଳା ଆରମ୍ଭ ହେବ । ତେଣୁୁ ଏହି ନିଷ୍ପତ୍ତିକୁ ପଞ୍ଜାବ ପରି ପଶ୍ଚିମବଙ୍ଗ ମଧ୍ୟ ବିରୋଧ ଜାରି ରଖିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ମମତା କହିଛନ୍ତି, ଆଇନ ଶୃଙ୍ଖଳା ଏକ ରାଜ୍ୟ ବିଷୟ ଏବଂ ବାଂଲାଦେଶ ସହିତ ପଶ୍ଚିମବଙ୍ଗର ସୀମା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରହିଛି । କେନ୍ଦ୍ରର ଏପରି ନିଷ୍ପତ୍ତି ବିବାଦ ଓ ବିଶୃଙ୍ଖଳା ସୃଷ୍ଟି କରିବ। ତାଙ୍କ ସରକାର ରାଜ୍ୟ ଆଇନ ସହ ପୂର୍ବପରି କାର୍ଯ୍ୟ ଜାରି ରଖିବା ନେଇ ମଧ୍ୟ ମମତା ସ୍ପଷ୍ଟ କରିଛନ୍ତି । ଆଜି (ସୋମବାର) ସିଲିଗୁଡିରେ ଜଲପାଇଗୁରୀ ଏବଂ ଆଲିରାଜପୁର ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ ସାରିବା ପରେ ମମତା ବାନାର୍ଜୀ ଏହି ମନ୍ତବ୍ୟ ଦେଇଛନ୍ତି । ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଆଜି (ସୋମବାର) ଏକ ସର୍ବଦଳୀୟ ବୈଠକ କରି ସୀମା ସୁରକ୍ଷା ବଳ BSF ଅଧିକାର ପରିସରକୁ ବଢାଇବା ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ବିରୋଧ କରିଥିଲେ ।
କେନ୍ଦ୍ର ଚଳିତ ମାସ ଆରମ୍ଭରେ ସୀମା ସୁରକ୍ଷା ବଳ (ବିଏସଏଫ)କୁ ଭାରତ-ପାକିସ୍ଥାନ ଏବଂ ଭାରତ-ବାଂଲାଦେଶରେ ଅନ୍ତର୍ଜାତୀୟ ସୀମା ଠାରୁ ଭାରତୀୟ ଅଞ୍ଚଳ ଭିତରେ 50 କିଲୋମିଟର ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ, ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ ବା ଅଟକ ରଖିବା ସହ ସନ୍ଦିଗ୍ଧ ସାମଗ୍ରୀ ଜବତ କରିବା ପାଇଁ କ୍ଷମତା ପ୍ରଦାନ କରିଛନ୍ତି ।
ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ଆସାମରେ ପୂର୍ବରୁ ବିଏସଫ ସୀମାରୁ ୧୫ କିଲୋମିଟର ଭାରତୀୟ ଅଞ୍ଚଳ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧିକୃତ ଥିବାବେଳେ ଏଥିପାଇଁ ସ୍ଥାନୀୟ ପୋଲିସ କିମ୍ବା ପ୍ରଶାସନର ଅନୁମତି ଆବଶ୍ୟକ ପଡୁନଥିଲା । ତେବେ ବିଏସଫର ଏହି କ୍ଷମତାକୁ ବୃଦ୍ଧି କରାଯାଇ ୧୫ କିମି ପରିବର୍ତ୍ତେ ୫୦ କିମି କରିଛନ୍ତି କେନ୍ଦ୍ର ସରକାର ।
ସେହିପର ଉତ୍ତର-ପୂର୍ବ ୫ଟି ରାଜ୍ୟ ମଣିପୁର, ମିଜୋରାମ, ତ୍ରିପୁରା, ନାଗାଲାଣ୍ଡ ଏବଂ ମେଘାଳୟରେ ପୂର୍ବରୁ ଏହି କ୍ଷମତା ୮୦ କିମି ପର୍ଯ୍ୟନ୍ତ ଥିବାବେଳେ ଗତ କିଛିଦିନ ତଳେ ଏହାକୁ ୨୦ କିମିକୁ ହ୍ରାସ କରାଯାଇଛି । ଗୁଜୁରାଟରେ ବିଏସଏଫର ଏହି ଅଧିକାର ପୂର୍ବରୁ 80 କିମି ଥିବାବେଳେ ବର୍ତ୍ତମାନ ଏହାକୁ 50 କିଲୋ ମିଟରରେ ମଧ୍ୟରେ ସମୀତ ରଖିବାକୁ ନିଷ୍ପତ୍ତି ହୋଇଛି । ତେବେ ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପଞ୍ଜାବ ମୁଖ୍ଯମନ୍ତ୍ରୀ ଚରଣଜିତ ସିଂ ଅସହମତି ପ୍ରକାଶ କରିବା ସହ ବିରୋଧ କରୁଥିବା ଦେଖିବାକୁ ମିଳିଛି ।
@ANI