ମଧ୍ୟପ୍ରଦେଶ : ରାଜ୍ୟର ପନ୍ନାର ରତ୍ନଗର୍ଭା ମାଟି କେବେ କାହାକୁ ରାଜା କରି ଦେବ, ତାହା ବିଷୟରେ କେହି କହି ପାରିବେ ନାହିଁ । ଏବେ ଏହି ଦୁର୍ଲ୍ଲଭ ମାଟି ପୁଣି ଜଣେ ଶ୍ରମିକଙ୍କ ଭାଗ୍ୟ ଖୋଲି ଦେଇଛି । ଶ୍ରମିକଙ୍କ ଭାଗ୍ୟକୁ ହୀରା ଭଳି ଚମକାଇ ଦେଇଛି ଏହି ରତ୍ନଗର୍ଭା ମାଟି । ଶ୍ରମିକ ଜଣକ ଏଠାରୁ ମୂଲ୍ୟବାନ ହୀରା ପାଇ ରାତାରାତି ଲକ୍ଷପତି ହୋଇଯାଇଛନ୍ତି । ୩ ମାସର କଡ଼ା ପରିଶ୍ରମ ପରେ ଶ୍ରମିକଙ୍କୁ ଜେମ୍ କ୍ୱାଲିଟିର ଏକ ବଡ଼ ହୀରା ମିଳିଛି, ଯାହାର ଦାମ୍ ଲକ୍ଷାଧିକ ଟଙ୍କା ବୋଲି କୁହାଯାଉଛି ।
କୁଆଁ ନିବାସୀ ପ୍ରତାପ ସିଂ ଯାଦବ ଯିଏ କି ଜଣେ ଶ୍ରମିକ । ଦାରିଦ୍ର୍ୟ ହେତୁ ଦୁଃଖରେ ଦିନ କାଟୁଥିଲେ । ଗତ ଫେବୃୟାରୀ ମାସରେ ସେ ସରକାରୀ ହୀରା କାର୍ଯ୍ୟାଳୟରେ ଆବେଦନ କରିଥିଲେ ଏବଂ 10×10ର ଏକ ହୀରା ଖାଦାନର ପଟ୍ଟା ସ୍ୱୀକୃତ କରାଇଥିଲେ । ଏହା ପରେ ସେହି ଖାଦାନରେ ସେ ଦିନ ରାତି କଠିନ ପରିଶ୍ରମ କରିଥିଲେ, ଯାହାର ଫଳସ୍ୱରୂପ ଆଜି ତାଙ୍କ ଭାଗ୍ୟ ରାତାରାତି ବଦଳି ଯାଇଛି । ଗରିବ ଖଟିଖିଆ ଲୋକ ଆଜି ଲକ୍ଷପତି ହୋଇଯାଇଛନ୍ତି ।
ପ୍ରତାପଙ୍କୁ ଖାଦାନରୁ ମିଳିଥିବା ଏହି ହୀରାର ଓଜନ ରହିଛି ୧୧.୮୮ କ୍ୟାରେଟ୍, ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୬୦ରୁ ୭୦ ଲକ୍ଷ ବୋଲି କୁହାଯାଉଛି । ଶ୍ରମିକ ଏହି ହୀରାକୁ ହୀରା କାର୍ଯ୍ୟାଳୟରେ ଜମା କରାଇଛନ୍ତି । ପ୍ରତାପଙ୍କ କହିବା କଥା ବର୍ତ୍ତମାନ ହୀରାର ନିଲାମୀ ହେବ । ଏହାପରେ ଏଥିରୁ ମିଳିବାକୁ ଥିବା ଟଙ୍କାରେ ସେ ନିଜର ଆର୍ଥିକ ସ୍ଥିତିକୁ ସୁଧାରି ଦେବେ ଏବଂ ପିଲାମାନଙ୍କର ଭରଣପୋଷଣ ତଥା ପାଠପଢ଼ାରେ ପଇସା ଖର୍ଚ୍ଚ କରିବେ ।
ସେହିଭଳି ହୀରା କାର୍ଯ୍ୟାଳୟର ଜଣେ ଅଧିକାରୀ ରବି ପଟେଲଙ୍କ ଅନୁସାରେ ଏହା ଜେମ୍ସ କ୍ୱାଲିଟିର ହୀରା । ଏହାକୁ ସୌଭାଗ୍ୟର ପ୍ରତୀକ ବୋଲି କୁହାଯାଏ । ଏହାର ଆନୁମାନିକ ମୂଲ୍ୟ ମଧ୍ୟ ବହୁତ ଅଧିକ ରହିଥାଏ । ଏବେ ଆଗାମୀ ନିଲାମୀରେ ଏହି ହୀରାକୁ ନିଲାମ କରାଯିବ । ନିଲାମୀ ପରେ ୧୨ ପ୍ରତିଶତ ରୟାଲ୍ଟି କଟାଯାଇ ଶେଷ ପଇସା ହୀରା ପାଇଥିବା ବ୍ୟକ୍ତିଙ୍କୁ ହିଁ ଦିଆଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ