ଲକ୍ଷ୍ନୌ: ଗତ ଦେଢ ବର୍ଷରୁ ଅଧିକ ବର୍ଷ ଧରି ବିଜେପିର ପୂର୍ବତନ ବିଧାୟକ କୁଲଦୀପ ସିଂ ସେଙ୍ଗର ଦୁଷ୍କର୍ମ ଅଭିଯୋଗ ପରେ ଦଳୀୟ କାର୍ଯ୍ୟରୁ ନିବୃତ୍ତ ରହିଥିଲେ । କିଛି ଦିନର ବ୍ୟବଧାନ ପରେ କୁଲଦୀପଙ୍କ ପତ୍ନୀ ସଙ୍ଗୀତା ସିଂଙ୍କୁ ଦଳ ଉତ୍ତରପ୍ରଦେଶରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ତେବେ ସଙ୍ଗୀତା ରାଜ୍ୟର ଉନ୍ନାଓ ଜିଲ୍ଲାର ଫତେପୁର ଅଞ୍ଚଳରୁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଯାଉଛନ୍ତି ।
ଦୁଷ୍କର୍ମ ଅଭିଯୋଗରେ ବିଧାୟକ କୁଲଦୀପ ଦେଢ ବର୍ଷ ଧରି ଦଳୀୟ କାର୍ଯ୍ୟରୁ ନିବୃତ୍ତ ରହିଥିଲେ । ଏହାପରେ ବିଜେପି ତାଙ୍କ ପତ୍ନୀ ସଙ୍ଗୀତାଙ୍କୁ ଫତେପୁର ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛି । ସଙ୍ଗୀତା 2016 ନିର୍ବାଚନରେ ଜିଲ୍ଲା ପଞ୍ଚାୟତର ଅଧ୍ୟକ୍ଷ ପଦରେ ବିଜୟିନୀ ହୋଇଥିଲେ । ସଙ୍ଗୀତାଙ୍କୁ ଦଳର ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ପାଇଁ ବିଜେପି ମୁଖ୍ୟ ସ୍ବତନ୍ତ୍ର ଦେବ ସିଂ ଅନୁମୋଦନ ଦେଇଥିବା ଦଳ ପକ୍ଷରୁ ସୂଚନା ମିଳିଛି ।
ତେବେ କୁଲଦୀପଙ୍କୁ ମିଥ୍ୟା ଦୁଷ୍କର୍ମ ମାମଲାରେ ଫସାଯାଇଥିବା ଅଧିକାଂଶ ଲୋକ ବିଶ୍ବାସ ରଖିଛନ୍ତି । ତେବେ ସଙ୍ଗୀତା ଏହି ପ୍ରସଙ୍କୁ ନିଜ ନିର୍ବାଚନ ପାଇଁ ବ୍ୟବହାର କରି ଅଧିକ ଭୋଟରେ ବିଜୟିନୀ ହୋଇପାରନ୍ତି ବୋଲି ଆଶା ରଖାଯାଇଛି । ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା କୁଲଦୀପଙ୍କୁ ଗତ ବର୍ଷ ଫେବୃଆରୀରେ ଉତ୍ତରପ୍ରଦେଶ ବିଧାନସଭା ସଦସ୍ୟ ଭାବରେ ବହିଷ୍କାର କରାଯାଇଥିଲା । ବର୍ତ୍ତମାନ ସେ ତିହାର ଜେଲରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ