ମୁମ୍ବାଇ: ମାୟାନଗରୀରର ଗ୍ରେସ ଫ୍ୟାମିଲି । ସେମାନଙ୍କ ଜୀବନ କୁକୁ । ତା ବିନା ଏହି ପରିବାର ଅସମ୍ପୂର୍ଣ୍ଣ । କୁକୁ ହେଉଛି ଏକ କାଉ, ହେଲେ ଏବେ ସେ ପାଲଟିଛି ଗ୍ରେସ ପରିବାରର ସଦସ୍ୟ ..ହଁ ଠିକ ବୁଝିଲେ, ଆପଣ ଦେଖୁଥିବା ଏ ଦୃଶ୍ୟ ପଛର କାହାଣୀ ଅତ୍ୟନ୍ତ ମାନବୀୟ ଓ ରୋଚକପୂର୍ଣ୍ଣ ..
ପରିବାରର ଜଣେ ସଦସ୍ୟ କହିଛନ୍ତି କି , ଅଢେଇ ବର୍ଷ ତଳେ ଆମ ବାଲକୋନୀରୁ ଏହି କାଉଟି ମିଳିଥିଲା । ସେ ଆହତ ଓ ରୋଗାଗ୍ରସ୍ତ ଥିଲା । ଆମେ ତାର ଚିକିତ୍ସା କରାଇଲୁ ଆଉ ପରେ ତାକୁ ଛାଡିଦେଲୁ... ହେଲେ ତା ପରଦିନ ପୁଣି ସେ ଫେରିଆସିଲା । ଆମେ ପୁଣି ତାକୁ ମୁକ୍ତ କରିଦେଲୁ, କିନ୍ତୁ ସେ ପୁଣି ଆସିଲା । ଆଉ କେବେ ବି ଗଲା ନାହିଁ ।
ଗ୍ରେସ ପରିବାରର ସହଯୋଗ ଓ ଭଲପାଇବା ଯୋଗୁଁ କାଉଟି ଯୋଡି ହୋଇଗଲା ଏମାନଙ୍କ ସହ । ଆଉ ଏହି ବନ୍ଧନ ଏତେ ମଜବୁତ ହୋଇଗଲା କି କାଉଟି ଆଉ ଯିବାକୁ ମନ କଲାନି । ଏପଟେ ପରିବାର ସଦସ୍ୟଙ୍କର ମଧ୍ୟ ଏହି ପକ୍ଷୀ ପ୍ରତି ଅନାବିଳ ପ୍ରେମ ବଢିଚାଲିଛି । ଆଉ ତାକୁ ପରିବାରର ସଦସ୍ୟ ଭାବେ ନିଜ ସହ ଯୋଡି ରଖିବା ସହ ତା ନାଁ ଦିଆଗଲା କୁକୁ । ପରିବାରର ଛୋଟ ସଦସ୍ୟ ଭଳି କୁକୁର ବିଶେଷ ଧ୍ୟାନ ଦିଆଯାଏ । ଗ୍ରେସ ପରିବାରର ସଭିଏଁ ତାର ରକ୍ଷଣାବେକ୍ଷଣା ସହ ତାକୁ ବିଶେଷ ଧ୍ୟାନ ଦିଅନ୍ତି ।
‘‘ଏବେ ସେ ଆମ ପରିବାରର ସଦସ୍ୟ ହୋଇସାରିଲାଣି । ଆମକୁ କେବେ ବି ଲାଗିନି କି ସେ ଗୋଟିଏ କାଉ । ଆମେ ତାକୁ ଆମ ଛୁଆ ଭଳି ମାନୁଛୁ । ସେ ଯାହା ଖାଇବାକୁ ଚାହେଁ , ଆମେ ତାକୁ ସବୁ ଦେଉଛୁ । ସେ ତାର ସାଙ୍ଗସାଥୀଙ୍କୁ ଭେଟିବାକୁ ଘରୁ ବାହାରକୁ ଯାଏଁ, ତାର ସାଥୀମାନେ ତାକୁ ଭେଟିବାକୁ ଘର ଗ୍ୟାଲେରୀକୁ ବି ଆସନ୍ତି ’’ ବୋଲି କହିଛନ୍ତି ଅନ୍ୟ ଜଣେ ପରିବାର ସଦସ୍ୟ
କୁକୁ ର ଆଗମନ ଗ୍ରେସ ପରିବାର ପାଇଁ ଆଣିଛି ଖୁସିର ଲହରୀ । ଗୋଟିଏ କାଉ ପ୍ରତି ଗ୍ରେସ ପରିବାରର ଏଭଳି ଭଲପାଇବା ଓ ଅନବିଳ ସ୍ନେହ ଓ ଯତ୍ନ ସମାଜ ପାଇଁ ଏକ ମାନବୀୟ ଉଦାହରଣ । ଆମ ସମସ୍ତଙ୍କୁ ପଶୁପକ୍ଷୀଙ୍କ ପ୍ରତି ଦାୟିତ୍ବବାନ ହେବା ଦରକାର । ସେମାନଙ୍କ ପ୍ରତି ସମ୍ବେଦଶୀଳ ହେବା ଜରୁରୀ ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ