ହାଇଦ୍ରାବାଦ: ଋଷର ଘନ ଘନ ମିଜାଇଲ ମାଡ଼, ଗୋଳା ବାରୁଦ ଓ ଅତର୍କିତ ସୈନ୍ୟଙ୍କ ଆକ୍ରମଣରେ ଆଜି(ସୋମବାର) ୫ମ ଦିନରେ ଜଳୁଛି ୟୁକ୍ରେନ । ଋଷ ନିଜର ସମସ୍ତ ବଳ ପ୍ରୟୋଗ କରି ୟୁକ୍ରେନ ସହ ଜାରି ରଖିଛି ଯୁଦ୍ଧ । ଏପଟେ ୟୁକ୍ରେନ ଧରାଶାୟୀ ହୋଇଛି ସତ ହେଲେ ନୁଆଁଇନି ମୁଣ୍ଡ । ସେପଟେ ସାଧାରଣ ନାଗରିକଙ୍କୁ ହତିଆର ଉଠାଇବା ପାଇଁ ଆହ୍ବାନ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲ୍ଦିମିର ଜେଲେନସ୍କି । ଅସହାୟ ହୋଇପଡ଼ି ମଧ୍ୟ ଜେଲେନସ୍କି ଦେଶବାସୀଙ୍କ ମନୋବଳକୁ ଦୃଢ କରିଛନ୍ତି । ସଙ୍କଟ ବେଳେ ସେ ରାଷ୍ଟ୍ର ଛାଡିନାହାନ୍ତି, ବରଂ ଦେଶବାସୀଙ୍କ ସାଥୀରେ ରହିଛନ୍ତି । ଏଥିଲାଗି ଆଜି ସେ ୟୁକ୍ରେନର 'ନ୍ୟାସନାଲ ହିରୋ' ସାଜିଥିବା ବେଳେ ପୁରା ବିଶ୍ବରେ ତାଙ୍କୁ ନେଇ ହେଉଛି ଚର୍ଚ୍ଚା ।
ଏପରିକି ୟୁକ୍ରେନ ଛାଡିବାକୁ ଆମେରିକାର ପ୍ରସ୍ତାବକୁ ସେ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । ଆଉ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, "ମୁଁ କୌଣସି ପରିସ୍ଥିତିରେ ପଳାୟନ କରିବା ନାହିଁ । ଯଦି ତୁମେ ମୋତେ ସାହାଯ୍ୟ କରିବାକୁ ଚାହୁଁଛ, ମୋତେ ଅସ୍ତ୍ରଶସ୍ତ୍ର ପ୍ରଦାନ କର ।" ଅନ୍ୟପଟେ କିଛି ଦିନ ତଳେ ଜେଲେନସ୍କିଙ୍କ ଏକ ଟ୍ବିଟକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ଯେଉଁଥିରେ ସେ ଭାବପ୍ରବଣ ହୋଇପଡ଼ିଥିଲେ । ଏହି ସଙ୍କଟ ସମୟରେ ବିଶ୍ବ ସମୂଦାୟ ତାଙ୍କୁ ଏକାକୀ କରିଦେଲା ବୋଲି ସେ କହିଥିଲେ । ଯାହାକି ବିଶ୍ବବାସୀଙ୍କୁ ଆନ୍ଦୋଳିତ କରିଥିଲା ।
ଅନ୍ୟପଟେ ଆମେରିକାର ପଳାୟନ ପ୍ରସ୍ତାବକୁ ପ୍ରତ୍ୟାଖାନ ପରେ ୟୁକ୍ରେନର ରାଷ୍ଟ୍ରପତି ସେନା ୟୁନିଫର୍ମ ପିନ୍ଧି ପୁଟିନଙ୍କ ପ୍ଲାଟୁନର ଉତ୍ତର ଦେବାକୁ ରଣାଙ୍ଗନରେ ପାଦ ଥାପିଥିଲେ । ସବୁଠୁ ଖାସ କଥା ହେଉଛି ଜେଲେନସ୍କି ଜଣେ ହାସ୍ୟ ଅଭିନେତା । ସେ ଅନେକ ଶୋ’ରେ ନିଜର ପ୍ରତିଭାର ପ୍ରମାଣ ଦେଇଛନ୍ତି । ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଆଲୋଚନା କଲେ ଜେଲେନସ୍କି ସ୍କୁଲ ସମୟରୁ ଏକ ଝିଅକୁ ପ୍ରେମ କରୁଥିଲେ । ବିବାହ ପୂର୍ବରୁ 8 ବର୍ଷ ଧରି ତାଙ୍କୁ ଡେଟ କରିବା ପରେ ସେ ତାଙ୍କୁ ଶେଷରେ ବିବାହ କରିଥିଲେ । ତେବେ ଆସନ୍ତୁ ଜାଣିବା ଭୋଲ୍ଦିମିର ଜେଲେନସ୍କି ଏବଂ ଓଲେନା ଜେଲେନସ୍କାଙ୍କ ପ୍ରେମ କାହାଣୀଙ୍କ ସହ ତାଙ୍କ ରାଷ୍ଟ୍ରପତି ପର୍ଯ୍ୟନ୍ତ ଯାତ୍ରା ସମ୍ପର୍କରେ ।
- କିଏ ୟୁକ୍ରେନର ଜାତୀୟ ହିରୋ ଭୋଲ୍ଦିମିର ଜେଲେନସ୍କି ?
ଭୋଲ୍ଦିମିର ଜେଲେନସ୍କି 1978 ମସିହା ଜାନୁୟାରୀ ୨୫ ତାରିଖରେ ସୋଭିଏତ୍ ୟୁନିଅନର ସହର କ୍ରିଭ ରିହର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ଏହି ସହର ୟୁକ୍ରେନର ଏକ ଅଂଶ । ଜେଲେନସ୍କିଙ୍କ ପିତାମାତା ଇହୁଦୀ ଥିଲେ। କିଭର ଜାତୀୟ ଅର୍ଥନୈତିକ ବିଶ୍ବବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିବା ପରେ ସେ ନିଜକୁ ହାସ୍ୟ ଅଭିନେତା ଭାବରେ କାର୍ଯ୍ୟ କରିଥିଲେ ।
- ହାସ୍ୟ ଅଭିନେତାରୁ ୟୁକ୍ରେନ ରାଷ୍ଟ୍ରପତି ପର୍ଯ୍ୟନ୍ତ ଯାତ୍ରା
ୟୁକ୍ରେନର ରାଷ୍ଟ୍ରପତି ହେବା ପୂର୍ବରୁ ଜେଲେନସ୍କି ଜଣେ ହାସ୍ୟ ଅଭିନେତା ଥିଲେ । ସେ 1997 ରେ କମେଡି ଟ୍ରୁପ୍ କ୍ବାର୍ଟଲ୍ 95 ଗଠନ କରିଥିଲେ ଏବଂ 2003 ରେ ଏହି ଗୋଷ୍ଠୀ ଟେଲିଭିଜନ୍ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସେ 2015 ରେ 'Servant of the People Show' କରିଥିଲେ ଯାହା ତାଙ୍କ ଜୀବନର ମୋଡ଼ ପାଲଟିଥିଲା । ଏହି ଶୋ’ରେ ସେ ଜଣେ ଶିକ୍ଷକ ଭୂମିକାରେ ଅଭିନୟ କରିଥିଲେ । ଏଥିରେ ତାଙ୍କ ଚରିତ୍ରଟି ସକାଳେ ଜାଣିବାକୁ ପାଇଥାଏ ଯେ ସେ 60 ପ୍ରତିଶତରୁ ଅଧିକ ଭୋଟ୍ ଜିତି ଦେଶର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛି । ଏହି ଶୋ’ରେ ତାଙ୍କ ଚରିତ୍ର ଶିକ୍ଷକ ଦୁର୍ନୀତି ଉପରେ ଭାଷଣ ଦେଇ ରାଷ୍ଟ୍ରପତି ହୋଇଥିଲେ।
ଏହି ଶୋ ୟୁକ୍ରେନରେ ଏତେ ସଫଳ ହୋଇଥିଲା ଯେ ପରବର୍ତ୍ତୀ ସମୟରେ ଜେଲେନସ୍କି କମେଡି ଟ୍ରୁପ୍ କ୍ବାର୍ଟଲ୍ 95 ନାମରେ ଏକ ରାଜନୈତିକ ଦଳ ଗଠନ କରିଥିଲେ । କୁହାଯାଏ ଯେ ଏଥିରେ ତାଙ୍କର ସଫଳତା ଓ ଲୋକପ୍ରିୟତା ଆଧାରରେ ଜେଲେନସ୍କି 2019ରେ ୭୩ ପ୍ରତିଶତ ଅଧିକ ଭୋଟରେ ଜିତି ୟୁକ୍ରେନର ଷଷ୍ଠ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ। ବାସ୍ତବ ଜୀବନରେ ମଧ୍ୟ ଜେଲେନସ୍କି ଦୁର୍ନୀତି ଦୂର କରିବାକୁ ଶପଥ ନେଇଥିଲେ । ରାଷ୍ଟ୍ରପତି ହେବା ପୂର୍ବରୁ 44 ବର୍ଷର ଜେଲେନସ୍କିଙ୍କର କୌଣସି ରାଜନୈତିକ ଅଭିଜ୍ଞତା ନଥିଲା ।
ରାଷ୍ଟ୍ରପତି ନିର୍ବାଚନ ସମୟରେ ଜେଲେନସ୍କି ତାଙ୍କ ଲୋକଙ୍କୁ ଆଶ୍ବାସନା ଦେଇଥିଲେ ଯେ ସେ ଋଷ ସହିତ ବିବାଦର ଅନ୍ତ ଘଟାଇବେ ଏବଂ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେବେ। ଦୁଇମାସ ପରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଜଡିତ ଏକ ପ୍ରମୁଖ ଦୁର୍ନୀତିରେ ତାଙ୍କୁ ନାଁ ଆଗକୁ ଆସିଥିଲା । ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ହେବା ପରଠାରୁ ବାଇଡେନଙ୍କ ସହ ଜେଲେନସ୍କିଙ୍କର ଅଧିକ ଆନ୍ତରିକ ସମ୍ପର୍କ ରହିଥିଲା । ତଥାପି ଏହି ଯୁଦ୍ଧ ସମୟରେ ନିଜକୁ ଏକାକୀ ଅନୁଭବ କରିଛନ୍ତି ଜେଲେନସ୍କି କାରଣ ଆମେରିକା ୟୁକ୍ରେନକୁ ସହାୟତା ଯୋଗାଇନଥିବା ଦେଖିବାକୁ ମିଳିଛି ।
- 8 ବର୍ଷ ଡେଟ୍ ପରେ କରିଥିଲେ ବିବାହ
ଆଜି ନିଜର ସାହସିକତା ପାଇଁ ବିଶ୍ବବାସୀଙ୍କ ଦିଲ୍ରେ ସ୍ଥାନ ବନାଇଥିବା ଜେଲେନସ୍କି ନିଜ ସ୍କୁଲ ବାନ୍ଧବୀଙ୍କୁ କରୁଥିଲେ ପ୍ରେମ । ହେଲେ ବିଦ୍ୟାଳୟରେ ଆରମ୍ଭ ହୋଇନଥିଲା ଉଭୟଙ୍କ ସମ୍ପର୍କ । ସେ ବିଦ୍ୟାଳୟରେ ପଢିବା ସମୟରେ ଓଲେନା ଜେଲେନସ୍କାଙ୍କୁ ଜାଣିନଥିଲେ । ମାତ୍ର ୟୁନିଭର୍ସିଟିରେ ପଢିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁହେଁ ପରସ୍ପରକୁ ୮ ବର୍ଷ ଧରି ଡେଟ କରିବା ପରେ ୨୦୦୩ ମସିହା ସେପ୍ଟେମ୍ବର ୬ରେ ବିବାହ କରିଥିଲେ । 2014 ରେ ଏହି ଦମ୍ପତିଙ୍କର ପ୍ରଥମ ସନ୍ତାନ ହୋଇଥିଲା, ଯାହାର ନାମ ଆଲେକ୍ସେଣ୍ଡ୍ରା ଏବଂ 2013 ରେ ଓଲେନା ଶିଶୁପୁତ୍ର କିର୍ଲୋଙ୍କୁ ଜନ୍ମ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ