ହାଇଦ୍ରାବାଦ: ଭାରତକୁ ଦୀର୍ଘ ୨୧ ବର୍ଷ ପରେ ମିଳିଛି ବ୍ରହ୍ମାଣ୍ଡ ସୁନ୍ଦରୀର ତାଜ୍(Miss universe 2021 Crown) । ଲାରା ଦତ୍ତଙ୍କ ପରେ ୨୧ ବର୍ଷର ହରନାଜ ସନ୍ଧୁ(Harnaaz Sandhu)ଜିତିଛନ୍ତି ଏହି କ୍ରାଉନ । ଆଉ ଭାରତକୁ ବିଶ୍ବ ସ୍ତରରେ କରିଛନ୍ତି ଗର୍ବିତ । ବିଶ୍ବରେ ୮୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ନିଜ ନାମରେ ଏହି ମୁକୁଟକୁ କରିଛନ୍ତି ହରନାଜ । ମିସ୍ ୟୁନିଭର୍ସ ୨୦୨୧ ହେବା ପରେ ହରନାଜଙ୍କ ନିକଟକୁ ବିଭିନ୍ନ ସ୍ତରରୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ତାଙ୍କୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ କିଏ ଏହି ସୁନ୍ଦରୀ, କିପରି ସେ ଏହି ସଫଳତାକୁ ହାତେଇଛନ୍ତି ତାହା ଜାଣିବା ପାଇଁ ସଭିଁଙ୍କ ମନରେ ଭରି ରହିଛି ଉତ୍କଣ୍ଠା । ତେବେ ଆସନ୍ତୁ ଜାଣିବା ବିଶ୍ବରେ ଭାରତକୁ ପୁଣି ଗୌରବାନ୍ବିତ କରିଥିବା ଏହି ସୁକନ୍ୟା ସମ୍ପର୍କରେ...
ହରନାଜଙ୍କ ୱିନିଙ୍ଗ ୱାର୍ଡ(Winning Words of Harnaaz):-
ହରନାଜ ଏହି ମୁକୁଟ ଜିତିବା ପରେ କହିଥିଲେ ଯେ, " ମୁଁ ଭଗବାନ, ପିତାମାତା ଓ ମିସ ଇଣ୍ଡିଆ ଅର୍ଗାନାଇଜେସନକୁ ଧନ୍ୟବାଦ ଜଣାଉଛି । ଏମାନେ ଏହି ସଫଳତାର ଯାତ୍ରାରେ ମୋର ମାର୍ଗଦର୍ଶନ ଓ ସହାୟତା କରିଛନ୍ତି ।" ଏହାସହିତ ସନ୍ଧୁ ତାଙ୍କ ସଫଳତା ପାଇଁ ପ୍ରାର୍ଥନା କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦୀର୍ଘ ୨୧ ବର୍ଷ ପରେ ଭାରତକୁ ଏହି ମୁକୁଟ ଆଣିବା ତାଙ୍କ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି ।
ଜିତିବା ପୂର୍ବରୁ କ'ଣ କହିଥିଲେ ହରନାଜ ?
ହରନାଜ ମିସ ୟୁନିଭର୍ସ-୨୦୨୧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପୂର୍ବରୁ ହରନାଜ କହିଥିଲେ ଯେ ସେ ଭାରତ ପାଇଁ ନିଶ୍ଚିତ ଭାବରେ ମିସ ୟୁନିଭର୍ସର ମୁକୁଟକୁ ଜିତିକି ଆଣିବେ । ଏଥିଲାଗି ସେ ଯଥାସମ୍ଭବ ଉଦ୍ୟମ କରିବେ ବୋଲି କହିଥିଲେ । ଏହାଦ୍ବାରା ଭାରତ ଓ ଇସ୍ରାଏଲ ମଧ୍ୟରେ ସମ୍ପର୍କ ମଧ୍ୟ ସୁଦୃଢ ହେବ । ତେବେ ହରନାଜ କହିଥିବା ନିଜର ସମସ୍ତ କଥାକୁ ବାସ୍ତବରେ ପରିଣତ କରିଛନ୍ତି । ଏଥିଲାଗି ଆଜି ପ୍ରତିଟି ଦେଶବାସୀ ହରନାଜଙ୍କୁ ନେଇ କରୁଛି ଗର୍ବ ।
କିଏ ହରନାଜ ସନ୍ଧୁ ?
ମିସ ୟୁନିଭର୍ସ ହରନାଜ ସନ୍ଧୁ ପଞ୍ଜାବର ଚଣ୍ଡିଗଡ଼ରେ ବାସ କରନ୍ତି । ସେ ଜଣେ ମଡ଼େଲ ଭାବେ କାର୍ଯ୍ୟ କରୁଥିଲେ । ହରନାଜ ଚଣ୍ଡିଗଡ଼ର ଶିୱଲିକ ପବ୍ଲିକ ସ୍କୁଲରେ ନିଜ ସ୍କୁଲ ପାଠ୍ୟକ୍ରମ ଶେଷ କରିଥିବା ବେଳେ ଗ୍ରାଜୁଏସନ ଚଣ୍ଡିଗଡ଼ରେ କରିଥିଲେ । ବର୍ତ୍ତମାନ ସେ public administration ରେ ସ୍ନାତକୋତ୍ତର ପାଠ୍ୟକ୍ରମ ଜାରି ରଖିଛନ୍ତି । ପାଠପଢା ସହିତ ସେ ଅନେକ ମଡେଲିଂ ଶୋ' ଓ ବ୍ୟୁଟି ପ୍ରତିଯୋଗିତା(Beauty Competition)ରେ ଅଂଶଗ୍ରହଣ କରିଥିଲେ ।
ହରନାଜଙ୍କ ପ୍ରଥମ ପ୍ରଦର୍ଶନ(First Performance of Harnaaz):-
ହରନାଜ ଗୋଟିଏ ଚାଷୀ ପରିବାରର ଝିଅ ହୋଇଥିବା ବେଳେ ତାଙ୍କ ଘରର କିଛି ସଦସ୍ୟ ଅନ୍ୟ ସ୍ଥାନରେ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି । ହରନାଜ ମଡେଲିଂ ଆରମ୍ଭ କରିବା ପରେ ପ୍ରଥମ ଥର ପାଇଁ କଲେଜରେ ନିଜ ପ୍ରତିଭାର ପ୍ରଦର୍ଶନ କରିଥିଲେ । ଏହାପରେ ହରନାଜଙ୍କ ଆତ୍ମବିଶ୍ବାସ ବଢିଥିଲା ଓ ସେ ଏହି କ୍ଷେତ୍ରରେ କ୍ୟାରିଅର ଗଢିବା ପାଇଁ ସ୍ଥିର କରିଥିଲେ ।
ହରନାଜଙ୍କ କ'ଣ ରହିଛି ରୁଚି ?
ହରନାଜ ସନ୍ଧୁ ମଡେଲିଂ, ଡ୍ୟାନ୍ସ ଓ ଆକ୍ଟିଙ୍ଗ ବ୍ୟତୀତ ସ୍ବିମିଂ, ଘୋଡାସୱାରୀ ଓ ବୁଲିବାରେ ରୁଚି ରଖନ୍ତି । କିଛି ଖାଲି ସମୟ ପାଇଲେ ହରନାଜ ନିଜର ଏହି ରୁଚି ଗୁଡ଼ିକୁ ପୂରଣ କରନ୍ତି । ସେ ଜଣେ ଅଭିନେତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ।
ଥଟ୍ଟା ମଜାର ଶିକାର ହେଉଥିଲେ ହରନାଜ:-
ହରନାଜ ମୂଳରୁ ସ୍ଲିମ ଫିଟ ରହିଆସିଛନ୍ତି । ପତଳା ଶରୀର ପାଇଁ ସ୍କୁଲ ସମୟରେ ସାଙ୍ଗ ପିଲାମାନେ ତାଙ୍କର ବହୁତ ମଜାକ୍ ଉଡାଉଥିଲେ । ଏହାକୁ ନେଇ ହରନାଜ ଦୁଃଖ ପ୍ରକାଶ କରୁଥିବାବେଳେ ପରିବାର ଲୋକେ ତାଙ୍କୁ ସାହସ ଦେଉଥିଲେ ।
#Foodie ସ୍ବଭାବର ହରନାଜ:-
ହରନାଜ ସୁସ୍ବାଦୁ ଖାଦ୍ୟକୁ ପସନ୍ଦ କରନ୍ତି । ଏକ ସାକ୍ଷାତକାରରେ ହରନାଜ କହିଥିଲେ ଯେ ସେ ସବୁ ପ୍ରକାରର ଖାଦ୍ୟ ଖାଇଥାନ୍ତି । ତଥାପି ସେ ନିଜ ଫିଟନେସର ଧ୍ୟାନ ରଖନ୍ତି । ହରନାଜଙ୍କ କହିବାନୁସାରେ, ଯାହା ଇଚ୍ଛା ତାକୁ ଖାଇବା ଦରକାର । କିନ୍ତୁ ଏହାସହିତ ପ୍ରତିଦିନ ବ୍ୟାୟାମ ମଧ୍ୟ ଜରୁରୀ ।
ହରନାଜ ସନ୍ଧୁଙ୍କ ଅଭିନୀତ ଫିଲ୍ମ:-
ହରନାଜ ପାଠପଢା ସହିତ ଅଭିନୟ ମଧ୍ୟ କରୁଥିଲେ । ସେ ପଞ୍ଜାବୀ ଫିଲ୍ମ 'ୟାରା ଦିୟାଁ ପୁ ବାରାଁ' ଓ 'ବାଈଜୀ କୁଟ୍ଟାଙ୍ଗେ' ଭଳି ଫିଲ୍ମରେ କାମ କରିଛନ୍ତି ।
ହରନାଜଙ୍କ ଜିତିଥିବା ପ୍ରତିଯୋଗିତା:-
- ଟାଇମ୍ସ ଫ୍ରେଶ ଫେସ ମିସ ଚଣ୍ଡିଗଡ଼(୨୦୧୭)
- ମିସ ମ୍ୟାକ୍ସ ଇମର୍ଜିଂ ଷ୍ଟାର(୨୦୧୮)
- ଫେମିନା ମିସ ଇଣ୍ଡିଆ ପଞ୍ଜାବ(୨୦୧୯)
- ମିସ ୟୁନିଭର୍ସ ଇଣ୍ଡିଆ(୨୦୨୧)
ହରନାଜଙ୍କ ଉତ୍ତର ଜିତିଥିଲା ଜଜ୍ଙ୍କ ହୃଦୟ:-
ଏହି ପ୍ରତିଯୋଗିତାର ଶେଷର ହରନାଜଙ୍କୁ ପ୍ରଶ୍ନ ପଚରାଯାଇଥିଲା ଯେ, "ବର୍ତ୍ତମାନ ସମୟରେ ଯୁବ ମହିଳାମାନେ ଯେଉଁ ଚାପ ଅନୁଭବ କରୁଛନ୍ତି, ସେଥିରୁ ମୁକ୍ତ ହେବା ପାଇଁ ଆପଣ ତାଙ୍କୁ କେଉଁ ଉପଦେଶ ଦେବେ?"
ଏହାର ଉତ୍ତରରେ ହରନାଜ କହିଥିଲେ ଯେ, " ବର୍ତ୍ତମାନ ଯୁବପିଢିମାନେ ଯେଉଁ ବଡ଼ ଚାପର ସାମନା କରୁଛନ୍ତି, ତାହା ହେଉଛି ନିଜ ଉପରେ ବିଶ୍ବାସ ରଖିବା । ଏହା ଜାଣିବା ଆବଶ୍ୟକ ଯେ ଆପଣ ହେଉଛନ୍ତି ଅଦ୍ବିତୀୟ । ଏହା ଆପଣଙ୍କୁ ସୁଦୃଢ କରିବ । ଅନ୍ୟଙ୍କ ସହିତ ନିଜକୁ ତୁଳନାକୁ ବନ୍ଦ କରିବା ଆବଶ୍ୟକ । ଦୁନିଆରେ ଚାଲୁଥିବା ବିଭିନ୍ନ ମହତ୍ତ୍ବପୂର୍ଣ୍ଣ ଘଟଣା ସମ୍ପର୍କରେ କଥାବାର୍ତ୍ତା ହେବା ଆବଶ୍ୟକ । ଘରୁ ବାହାରକୁ ବାହାରି ନିଜ ପାଇଁ କଥା ହେବା ଆବଶ୍ୟକ । କାରଣ ଆପଣ ନିଜ ଜୀବନର ନେତୃତ୍ବ କର୍ତ୍ତା । ଆପଣ ନିଜ ମାଧ୍ୟମରେ ହିଁ ନିଜ ଭିତରର ସ୍ବରକୁ ଅନ୍ୟ ନିକଟରେ ପହଞ୍ଚାଇ ପାରିବେ । ମୁଁ ନିଜ ଉପରେ ବିଶ୍ବାସ କରେ, ଏଥିଲାଗି ମୁଁ ଆଜି ଏଠାରେ ପହଞ୍ଚିଛି । "
ମିସ ୟୁନିଭର୍ସ ଜିତିବାରେ ଭାରତରେ ୩ୟ ହରନାଜ:-
ଭାରତ ୩ୟ ଥର ପାଇଁ ମିସ ୟୁନିଭର୍ସର ମୁକୁଟକୁ ନିଜ ନାମରେ କରିଛି । ପୂର୍ବରୁ ବଲିଉଡ଼ର ଆଗଧାଡ଼ିର ଅଭିନେତ୍ରୀ ସୁସ୍ମିତା ସେନ ୧୯୯୪ ମସିହାରେ ଏହି ମୁକୁଟର ବିଜୟିନୀ ହୋଇଥିଲେ । ଏହାର ୬ ବର୍ଷ ପରେ ଅନ୍ୟତମ ଅଭିନେତ୍ରୀ ଲାରା ଦତ୍ତ ୨୦୦୦ ମସିହାରେ ଭାରତ ପାଇଁ ପୁଣି ଏହି ଗର୍ବ ଆଣିଥିଲେ । ଏହାରି ମଧ୍ୟରେ ହରନାଜ ୩ୟ ଭାବେ ଭାରତ ପାଇଁ ଏହି ଗର୍ବ ଆଣିଛନ୍ତି । ସେ ଚଳିତ ବର୍ଷର ମିସ ୟୁନିଭର୍ସ(Miss Universe 2021) ତାଜ୍ ଜିତି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଦେଶର ନାମକୁ କରିଛନ୍ତି ଉଚ୍ଚ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ