ନୂଆଦିଲ୍ଲୀ: ପୁଣି ଉଠିଲା କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ପ୍ରଶ୍ନ । ଗତ ୨ ଓ ୩ ତାରିଖ ଘାଟିରେ ଆତଙ୍କବାଦୀ ଆକ୍ରମଣରେ ଜଣେ କାଶ୍ମୀର ପଣ୍ଡିତଙ୍କ ମୃତ୍ୟୁ ହେବା ପରେ ସୁରକ୍ଷା ପାଇଁ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କଲେ କାଶ୍ମୀର ପଣ୍ଡିତ । ଉପତ୍ୟକାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ନାଗରିକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିରୋଧରେ ଆଜି (ଶନିବାର) କାଶ୍ମୀର ପଣ୍ଡିତମାନେ ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ କରିଛନ୍ତି । 1990 ମସିହାରୁ ଅଦ୍ୟାବଧି କାଶ୍ମୀରରେ ପଣ୍ଡିତଙ୍କ ସହ ହତ୍ୟାକାଣ୍ଡ ଓ ବର୍ବରତା ବନ୍ଦ ହୋଇ ନାହିଁ । ଏପରି ପରିସ୍ଥିତିରେ ସେମାନେ କେଉଁଆଡେ ଯିବେ ବୋଲି ସରକାରକୁ ପ୍ରଶ୍ନ କରିଛନ୍ତି ବିକ୍ଷୋଭକାରୀ ।
ବିକ୍ଷୋଭକାରୀ କାଶ୍ମୀର ପଣ୍ଡିତମାନେ ଅଭିଯୋଗ କରିଛନ୍ତି, ଘାଟିରେ ବର୍ତ୍ତମାନ ସଂଖ୍ୟାଲଘୁ ସାଧାରଣ ନାଗରିକଙ୍କ ହତ୍ୟା ଏକ ସୁଚିନ୍ତିତ ଆତଙ୍କବାଦୀ ଷଡଯନ୍ତ୍ରର ଏକ ଅଂଶ । ଯାହାର ମୂଳ ଉଦ୍ଦେଶ୍ୟ ହେଉଛି ଉପତ୍ୟକାର ଅବଶିଷ୍ଟ ସଂଖ୍ୟାଲଘୁଙ୍କୁ ବର୍ବର କାଣ୍ଡ ଘଟାଇ ଭୟଭୀତ କରାଇ ତଡିବା । ୨ ଅକ୍ଟୋବରରେ ସମଗ୍ର ବିଶ୍ବ ଗାନ୍ଧୀ ଜୟନ୍ତୀରେ ଅହିଂସା ଦିବସ ପାଳନ କରୁଥିବାବେଳେ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ବରଗେଶ ଭଗବତୀ ମାତା ମନ୍ଦିର ଉପରେ ଆକ୍ରମଣ ଓ ତାର ପରଦିନ ଅର୍ଥାତ ଗତ ୩ ତାରିଖରେ ଶ୍ରୀନଗରର ଇକବାଲ ପାର୍କରେ ନିଜ ଦୋକାନରେ ବସିଥିବା ମାଖାନ ଲାଲ ବିନ୍ଦ୍ରୋ ନାମକ ଜଣେ କାଶ୍ମୀର ପଣ୍ଡିତଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ । ‘The Resistance Front’ ନାମକ ଏକ ଆତଙ୍କୀ ଗୋଷ୍ଠୀ ଏହି ହତ୍ଯାକାଣ୍ଡ ପାଇଁ ନିଜକୁ ଦାୟୀ କରି ଘାଟିକୁ ଫେରିଥିବା କାଶ୍ମୀର ପଣ୍ଡିତ ସମ୍ପ୍ରଦାୟ ଭୟଭୀତ କରିବା ପାଇଁ ପ୍ରୟାସ କରୁଛି ।
୧୯୯୦ ମସିହାରେ ଘାଟିରେ କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ସେମାନେ ନିଜ ବାସଗୃହ ହରାଇବା ସହ ଘାଟି ଛାଡି ପଳାୟନ କରିବାକୁ ବାଧ୍ୟ ହୋଇଥିଲେ । ତେବେ ୪ ଦଶନ୍ଧି ପରେ ଏବେ ସ୍ଥିତି ସୁଧୁରିବାରୁ ସେମାନେ ନିଜ ଜନ୍ମମାଟିକୁ ଫେରିବା ଆରମ୍ଭ କରିଛନ୍ତି । ଏତିକିବେଳେ ସେମାନଙ୍କ ଉପରେ ଆକ୍ରମଣ ହେବା ଆରମ୍ଭ ହୋଇସାରିଥିବା କହି କ୍ଷୋଭ ପ୍ରକାଶ କରିଛନ୍ତି କାଶ୍ମୀର ପଣ୍ଡିତ ସମ୍ପ୍ରଦାୟ । ତେବେ ପଣ୍ଡିତଙ୍କ ପାଇଁ ଏକ ପୃଥକ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିବାର ଆବଶ୍ୟକତା ରହିଥିବା ଦର୍ଶାଇବା ସହ ଦାବି ମଧ୍ୟ ରଖିଛନ୍ତି କିଛି ବିକ୍ଷୋଭକାରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ