ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ଜଣେ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା । ଗୁଳି କରି କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କଲେ ଅଜଣା ଆତଙ୍କୀ । ଜମ୍ମୁ-କାଶ୍ମୀରର ପୁଲଓ୍ବାମା ଜିଲ୍ଲା ଅନ୍ତର୍ଗତ ଅଚନ ଗାଁରେ ଏହି ଅଭବାନୀୟ ଘଟଣା ଘଟିଥିବା ଜଣାପଡିଛି । ମୃତକ ଜଣଙ୍କ ହେଉଛନ୍ତି ସଞ୍ଜୟ ପଣ୍ଡିତ । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଏନେଇ ପୋଲିସ କହିଛି ଯେ, ଆଜି ସକାଳ ସମୟରେ ଅଚନ ଗ୍ରାମର କାଶିନାଥ ପଣ୍ଡିତଙ୍କ ପୁଅ ସଞ୍ଜୟ ପଣ୍ଡିତଙ୍କୁ ଆତଙ୍କୀ ଗୁଳି କରିଥିଲେ । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ପୁଲଓ୍ବାମା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ସଞ୍ଜୟ ଏକ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ଆତଙ୍କୀ ଆକ୍ରମଣ ନେଇ ଖବର ପାଇବା ପରେ ସୁରକ୍ଷାକର୍ମୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ତେବେ ଚଳିତ ବର୍ଷ ଜମ୍ମୁ କାଶ୍ମୀରରେ ପଣ୍ଡିତଙ୍କୁ ଆତଙ୍କୀ ହତ୍ୟା କରିବାର ଏହା ପ୍ରଥମ ଘଟଣା ।
ଏହା ମଧ୍ୟ ପଢନ୍ତୁ-Delhi Excise Policy: ସିବିଆଇରେ ହାଜର ହେବେ ସିସୋଦିଆ, ମାଆଙ୍କ ଆର୍ଶୀବାଦ ନେଇ ଘରୁ ବାହାରିଲେ
ଗତବର୍ଷ ଜାନୁଆରୀରୁ ଡିସେମ୍ବର ମଧ୍ୟରେ ଘାଟିରେ ଆତଙ୍କୀ ଆକ୍ରମଣ ଘଟଣାରେ 3 କାଶ୍ମୀର ପଣ୍ଡିତଙ୍କ ସମେତ ମୋଟ 14 ଜଣ ସଂଖ୍ୟାଲଘୁ ପ୍ରାଣ ହରାଇଥିଲେ । ଶୀତ ଅଧିବେଶନରେ ରାଜ୍ୟସଭାରେ ଏହି ସୂଚନା ଦେଇଥିଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ସେହିପରି ଏକାଧିକ ଆତଙ୍କୀ ନିରୋଧୀ ଅପରେସନରେ ମଧ୍ୟ ସୁରକ୍ଷାବଳକୁ ସଫଳତା ମିଳିଥିବା ପ୍ରକାଶ କରିଥିଲେ ।
ଗତବର୍ଷ 180 ଆତଙ୍କୀଙ୍କୁ ନିପାତ କରିବାରେ ସୁରକ୍ଷାବଳ ସକ୍ଷମ ହୋଇଥିଲେ । ସେହିପରି ଜମ୍ମୁ-କାଶ୍ମୀରରେ ମୋଟ 123ଟି ଆତଙ୍କୀ ହିଂସା ଘଟିଛି । ଯେଉଁଥିରେ 31 ସୁରକ୍ଷାକର୍ମୀ ଓ 31 ସାଧାରଣ ନାଗରିକଙ୍କ ଜୀବନ ଯାଇଥିଲା । ଘାଟିରେ ସାଧାରଣ ଲୋକ, ସଂଖ୍ୟାଲଘୁ, ଅଣସ୍ଥାନୀୟଙ୍କ ସୁରକ୍ଷା ନେଇ ସରକାର ପଦକ୍ଷେପ ଗ୍ରହଣ କରାଯାଇଥିବା କହିଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ।
ତେବେ 2019 ମସିହାରେ ଧାରା-370 ଓ ଅନୁଚ୍ଛେଦ 35 (କ) ଉଚ୍ଛେଦ ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା । ଆତଙ୍କବାଦ ଓ ବିଛିନ୍ନତାବାଦୀ ଆନ୍ଦୋଳନ ଓ ପଥରମାଡ ପ୍ରାୟତଃ ଦେଖିବାକୁ ମିଳୁନଥିଲା । ପୁଣି ଥରେ ଆତଙ୍କବାଦୀ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।